ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ନେଇ ମିଲରମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ  ଆଜି ଏକ ବୈଠକରେ ନିଖିଳ ଓଡ଼ିଶା ରାଇସ୍‌ ମିଲର୍ସ ସଂଘର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଛନ୍ତି। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି  ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିଃ.ର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ନିଖିଳ ଓଡ଼ିଶା ରାଇସ୍‌ ମିଲର୍ସ ସଂଘର ସଭାପତି, ସଂପାଦକ ଓ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନା କରିଥିଲେ। 
Advertisment
ରାଜ୍ୟରେ ସରକାରୀ ବ୍ୟବସ୍ଥାରେ ଧାନ ସଂଗ୍ରହ, ଧାନରୁ ଚାଉଳ ପ୍ରସ୍ତୁତି ପରେ ସରକାରଙ୍କୁ ଚୁକ୍ତିଭିତ୍ତିକ ଚାଉଳ ଯୋଗାଣ ଏବଂ ରାଜ୍ୟ ସରକାରଙ୍କ ଠାରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଚାଉଳ ସଂଗ୍ରହ କରିବା ଆଦି ସବିଶେଷ ପ୍ରକ୍ରିୟାରେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ସେସବୁର ସମାଧାନ ଦିଗରେ ସଂଘର କର୍ମକର୍ତ୍ତାମାନେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  
ଖରିଫ୍ ମାର୍କେଟିଂ ଋତୁ ୨୦୨୪-୨୫ରେ ସଂଗୃହିତ  ଧାନ ଅନୁସାରେ ସେସବୁର କଷ୍ଟମ ମିଲିଂ ଓ ଚାଉଳ ଯୋଗାଣ ସଂପର୍କରେ ଆଲୋଚନା ହୋଇଥିଲା। ୨୦୨୫-୨୬ ମାର୍କେଟିଂ ଋତୁ ଆରମ୍ଭ ହୋଇସାରିଥିଲେ ମଧ୍ୟ ୨୦୨୪-୨୫ ମାର୍କେଟିଂ ଋତୁର ଚିକ୍ତିଭିତ୍ତିକ ମିଲିଂ ଚାଉଳ ପ୍ରାୟ ଦଶ ପ୍ରତିଶତ ବାକି ରହିଛି ଓ ଏହାର ଯୋଗାଣ  ଜାରି ରହିଛି।  ସଂଗୃହୀତ ନୂଆ ଧାନ ସଂଗ୍ରହ, ଦୀର୍ଘ ସମୟ ଧରି  ମିଲରେ କଷ୍ଟମ ମିଲ୍ଡ  ଚାଉଳ ଓ ନୂଆ ଧାନ ରଖିବା ପାଇଁ ସ୍ଥାନ ଓ ଧାନ ସଂରକ୍ଷଣ ଜନିତ ସମସ୍ୟା ରହୁଛି। ରାଜ୍ୟ ଖାଦ୍ୟ ଓ ଯୋଗାଣ ନିଗମ ସହାୟତାରେ ମିଲର୍ସମାନଙ୍କ ଦ୍ୱାରା ନିଜ ନିଜ ପରିସରରେ ଧାନ ସଂଗ୍ରହ ପାଇଁ ଅତିରିକ୍ତ ସୁବିଧା କରାଯାଇଥିଲେ ହେଁ, ଧାର୍ଯ୍ୟ ମାସରୁ ଅଧିକ ସମୟ ଧରି ସେସବୁକୁ ରଖିବାକୁ ପଡ଼ୁଥିବାରୁ ଏଥିପାଇଁ ଅଧିକ ଭଡ଼ା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ସମସ୍ୟା ରହୁଥିବାରୁ ସେ ସଂପର୍କରେ ମିଲର୍ସ ଆସୋସିଏସନ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆହୁରି ମଧ୍ୟ ମିଲରମାନେ ଧାନ ସଂଗ୍ରହ  ଓ ଚାଉଳ ପରିବହନ ବାବଦକୁ ପାଉଥିବା ଆର୍ଥିକ ସହାୟତା  ଖର୍ଚ୍ଚରେ  ବୃଦ୍ଧି  କରିବା ନେଇ ଅନୁରୋଧ କରିଥିଲେ।  ଦୀର୍ଘ ଦିନ ଧରି ଧାନ ଓ ଚାଉଳ ସଂରକ୍ଷଣ ରଖିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଓ ଉଦ୍ୟୋଗ ଯୋଜନାରେ ବଡ଼ ବଡ଼ ଧାନ ସଂରକ୍ଷଣ କେନ୍ଦ୍ର ବ୍ୟବସ୍ଥା କରିବା ପାଇଁ ସଂଘ ତରଫରୁ ପ୍ରସ୍ତାବ ଦିଆଯାଇଛି। 
ମୁଖ୍ୟ ଶାସନ ସଚିବ ଗର୍ଗ ନିଖିଳ ଓଡ଼ିଶା ରାଇସ୍‌ ମିଲର୍ସ ସଂଘ ଠାରୁ ମିଲରମାନଙ୍କ ସମସ୍ୟା ସଂପର୍କରେ ଶୁଣିଥିଲେ। ସବୁ ସମସ୍ୟାଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଇ ସେସବୁର ସମାଧାନ ପାଇଁ ପଦକ୍ଷେପ ନେବାକୁ ସେ ପ୍ରତିଶୃତି ଦେଇଛନ୍ତି। ଅନ୍ୟପକ୍ଷରେ ମିଲର୍ସ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି ଯେ, ଧାନ ସଂଗ୍ରହ, ଚୁକ୍ତିଭିତ୍ତିକ କଷ୍ଟମ ମିଲ୍ଡ ଚାଉଳ ପ୍ରଦାନ କରିବା ଏକ ନିରନ୍ତର ପ୍ରକ୍ରିୟା। ଏଥିରେ ମିଲର୍ସମାନଙ୍କର ସହଯୋଗ ରହିଛି। କିନ୍ତୁ ସାମଗ୍ରିକ ପ୍ରକ୍ରିୟାରେ ମିଲର୍ସମାନେ ଦୀର୍ଘ ଦିନରୁ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର  ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଥିଲେ।