Sambad English
ବ୍ରହ୍ମପୁର : କୋରାପୁଟର କୋଟିଆ ଏବଂ ଗଞ୍ଜାମ ଜିଲ୍ଲାର କେତେକ ସୀମାନ୍ତବର୍ତ୍ତୀ ଗାଁ’ରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ଉଦ୍ୟମ କରୁଥିବାବେଳେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ସରକାରୀ ସ୍କୁଲ୍ରେ ପାଖାପାଖି ୪୦୦ ପିଲା ନାଁ ଲେଖାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ନିମନ୍ତେ ‘ଆମ୍ମା ବଡ଼ି’ ନାମରେ ଏକ ଅଭିନବ ଯୋଜନା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସରକାର ହାତକୁ ନେଇଛନ୍ତି। ଏଥିରେ ସରକାରୀ ସ୍କୁଲ୍ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବା ବ୍ୟବସ୍ଥା ରହିଛି। ଏହା ଛାତ୍ରଛାତ୍ରୀଙ୍କ ମାଆଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁ ପଠାଯାଉଛି। ଏହି ଯୋଜନା କେବଳ ଆନ୍ଧ୍ରପ୍ରଦେଶ ବାସିନ୍ଦାଙ୍କ ଲାଗି ଉଦ୍ଦିଷ୍ଟ। କିନ୍ତୁ ଏହି ସହାୟତା ପାଇବା ଆଶାରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ର ଶତାଧିକ ଛାତ୍ରଛାତ୍ରୀ ଏବେ ଆନ୍ଧ୍ର ସ୍କୁଲ୍ରେ ନାମ ଲେଖାଉଥିବା ଜଣାପଡ଼ିଛି। କିନ୍ତୁ ଓଡ଼ିଶାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ ନାହିଁ ବୋଲି ଜଣାପଡ଼ିଛି। ଆନ୍ଧ୍ର ସ୍କୁଲ୍ରେ ଭଲ ସୁବିଧା ମିଳୁଥିବାରୁ ଏବଂ ଓଡ଼ିଶାରେ କରୋନା ମହାମାରୀର ପ୍ରାଦୁର୍ଭାବ ଫଳରେ ସ୍କୁଲ୍ ଖୋଲି ନ ଥିବାରୁ ପାତ୍ରପୁରର ସୀମାନ୍ତ ଅଞ୍ଚଳର ପିଲାମାନେ ବର୍ତ୍ତମାନ ଆନ୍ଧ୍ର ସ୍କୁଲ ମୁହାଁ ହୋଇଛନ୍ତି। ପାଖାପାଖୀ ୪ ଶହ ପିଲା ନାମ ଲେଖାଇଥିବା ଜଣାପଡ଼ିଛି।
ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ୩୪ଟି ସୀମାନ୍ତ ଗାଁ ରହିଛି। ଏହି ବ୍ଲକରେ ସମୁଦାୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୧୪୨ଟି ବିଦ୍ୟାଳୟ ରହିଛି। ଏଥିମଧ୍ୟରୁ ୧୪ଟି ବହୁଭାଷୀ (ଓଡ଼ିଆ ଓ ତେଲୁଗୁ) ବିଦ୍ୟାଳୟ ରହିଛି। ୨୦୨୦ ମାର୍ଚ୍ଚ ୧୭ ପରଠାରୁ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ସ୍କୁଲ୍ ବନ୍ଦ ରହିଛି। ପାତ୍ରପୁର ସୀମାନ୍ତ ଅଞ୍ଚଳରେ ତେଲୁଗୁ ଭାଷାଭାଷୀ ଲୋକ ଅଧିକ ବାସ କରୁଛନ୍ତି। କିନ୍ତୁ ଗତ ଜାନୁଆରି ମାସରୁ ଆନ୍ଧ୍ରପ୍ରଦେଶର ସବୁ ସ୍କୁଲ ଖୋଲିସାରିଛି। ତେଣୁ ଆନ୍ଧ୍ର ସ୍କୁଲରେ ପାତ୍ରପୁର ଅଞ୍ଚଳର ପିଲା ନାମ ଲେଖାଉଥିବା ଜଣାପଡ଼ିଛି।
ସରକାରୀ ହିସାବ ଅନୁଯାୟୀ, ପାତ୍ରପୁର ବ୍ଲକର ଗୁଡ଼ିପଦର ଓ ବି.ନୂଆଗାଁ ଗ୍ରାମପଞ୍ଚାୟତର ପ୍ରାୟ ୬୦ଜଣ ଛାତ୍ରଛାତ୍ରୀ ଆନ୍ଧ୍ରର ଟି.ବ୍ରହ୍ମପୁର, ଜଗନ୍ନାଥପୁର ଏବଂ ବଳରାମପୁର ସ୍କୁଲରେ ନାମ ଲେଖାଇଛନ୍ତି। ଅପରପକ୍ଷେ ପାତ୍ରପୁର ଠାରୁ ୬କିମି ଦୂରରେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ମଣ୍ଡଳର କେ.ଶାସନମ୍ ଗ୍ରାମରେ ଜିଲ୍ଲା ପରିଷଦ ହାଇସ୍କୁଲ୍ ରହିଛି। ଏହି ସ୍କୁଲରେ ଷଷ୍ଠ ଠାରୁ ଦଶମ ଶ୍ରେଣୀ ଯାଏ ରହିଥିବା ବେଳେ ୪୩୦ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ସେଥିମଧ୍ୟରୁ ୩୫୦ଜଣ ଛାତ୍ରଛାତ୍ରୀ ଗଞ୍ଜାମ ଜିଲ୍ଲା ପାତ୍ରପୁର ଅଞ୍ଚଳର ବୋଲି ଉକ୍ତ ସ୍କୁଲ୍ର ଜଣେ ଶିକ୍ଷକ ‘ସମ୍ବାଦ’କୁ କହିଛନ୍ତି।
ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପୌର ନିଗମ ଅର୍ନ୍ତଗତ ୧୦ଟି, ଚିକିଟି ବ୍ଲକର ୧୫ଟି, ପାତ୍ରପୁର ବ୍ଲକର ୨୦ଟି ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ୮ଟି ସ୍କୁଲରେ ସମୁଦାୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୬୯୫୮ଜଣ ତେଲୁଗୁ ଭାଷାଭାଷୀ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏଥିଲାଗି ପ୍ରତିବର୍ଷ ଆନ୍ଧ୍ର ସରକାର ଓଡ଼ିଶା ସରକାରଙ୍କୁ ବହି ଯୋଗାଇଥାନ୍ତି। ଶ୍ରୀକାକୁଲମ୍ରୁ ବହି ଆସିଥାଏ। କିନ୍ତୁ ଛାତ୍ରଛାତ୍ରୀମାନଙ୍କୁ କେବଳ ମାତୃଭାଷା ବହି ତେଲୁଗୁର ଦିଆଯାଏ। ବାକି ବହି ପିଲାମାନେ ନିଜସ୍ବ ଉଦ୍ୟମରେ ସଂଗ୍ରହ କରି ପଢ଼ିଥାନ୍ତି। ଚଳିତବର୍ଷ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପଢୁଥିବା ତେଲୁଗୁ ଭାଷାଭାଷୀ ପିଲାଙ୍କୁ ତେଲୁଗୁ ଭାଷାର ସମସ୍ତ ପାଠ୍ୟ ପୁସ୍ତକ ଦେବା ଲାଗି ସ୍ଥିର ହୋଇଛି। ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ୨୪୮୦୩ ଖଣ୍ଡ ଓ ଅଷ୍ଟମ ଶ୍ରେଣୀ ଲାଗି ୭୫୩୬ଖଣ୍ଡ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଟିବିପିଏମ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି। ଗତ କିଛିଦିନ ତଳେ ଆନ୍ଧ୍ର ବିଧାନ ପରିଷଦ ଗୃହ କମିଟି ବ୍ରହ୍ମପୁର ଆସି ତେଲୁଗୁ ଶିକ୍ଷାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/02/school-students.jpg)