ଝାଡ଼ଖଣ୍ଡରେ ନେଟ୍‌ୱର୍କ ଖୋଜୁଛନ୍ତି ଓଡ଼ିଶା ପିଲା

ଝାଡ଼ଖଣ୍ଡରେ ନେଟ୍‌ୱର୍କ ଖୋଜୁଛନ୍ତି ଓଡ଼ିଶା ପିଲା

କୁତ୍ରା : ୟୁଟ୍ୟୁବ୍‌ରେ ପାଠ ପଢ଼ିବା ପାଇଁ ଝାଡ଼ଖଣ୍ଡରେ ନେଟ୍‌ୱର୍କ ଖୋଜୁଛନ୍ତି ଓଡ଼ିଶାର ପିଲା। ଖାଲି ଝାଡ଼ଖଣ୍ଡ ଯାଉନାହାନ୍ତି, ତଳେ ନେଟ୍‌ୱର୍କ ନ ଆସିଲେ ପାହାଡ଼ ଉପରକୁ ବି ଚଢ଼ୁଛନ୍ତି। ସରକାରଙ୍କ ଡିଜିଟାଲ ଇଣ୍ଡିଆ ସ୍ଲୋଗାନର ଏହିଭଳି ଏକ ବିକଳ ଚିତ୍ର ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି।

କରୋନା ମହାମାରୀ ପାଇଁ ଦୀର୍ଘମାସ ଧରି ସ୍କୁଲ୍‌ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗତ ଜୁନ୍‌ ୨୧ ତାରିଖରୁ ଅନ୍‌ଲାଇନ୍ ୟୁଟ୍ୟୁବ୍‌ରେ ପାଠପଢା ଆରମ୍ଭ କରିଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଏହି ପାଠପଢ଼ା ଚାଲିଛି। ତେବେ, ରାଜ୍ୟର ବିଭିନ୍ନ ଉପାନ୍ତ ଅଞ୍ଚଳରେ କିଭଳି ପାଠପଢ଼ା ଚାଲିଛି, ତାହାର ଏକ ବାସ୍ତବ ଦୃଶ୍ୟ ସୁନ୍ଦରଗଡ଼ର କୁତ୍ରା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଉପାନ୍ତ ରଙ୍ଗାମାଟି ସମେତ ଆଖପାଖର ଅନେକ ଗାଁର ପିଲାମ‌‌ାନଙ୍କ ମୋବାଇଲ୍‌କୁ ଅନେକ ସମୟରେ ନେଟ୍‌ୱର୍କ ଆସୁନି। ଏଠିକାର ଛାତ୍ରଛାତ୍ରୀ ଓଡ଼ିଶାରେ ପାଠ ପଢନ୍ତି ସତ, ହେଲେ ଅନଲାଇନ୍ ପାଠପଢା ହେବା ଦିନଠାରୁ ନେଟ୍‌ୱର୍କ ଖୋଜିବାକୁ ସବୁଦିନେ ସୀମା ସେପାଖରେ ଥିବା ଝାଡ଼ଖଣ୍ଡର କାଦୋପାନୀ ଯିବାକୁ ବାଧ୍ୟ ହୁଅନ୍ତି। କାରଣ ସେଠାରେ ପାହାଡ଼ ଉପରେ ମୋବାଇଲ୍‌ ନେଟ୍‌ୱର୍କ ଥାଏ। ଦିନରେ ମଧ୍ୟ ଏ ଅଞ୍ଚଳର ଜଙ୍ଗଲି ରାସ୍ତାରେ ସାପ, ହାତୀ ଓ ବାର୍‌ହାଙ୍କ ସହିତ ମୁହାଁମୁହିଁ ହେବା ସାଧାରଣ କଥା। କିନ୍ତୁ ସେ ଭୟ ଥିଲେ ମଧ୍ୟ ପିଲାଏ ସକାଳ ହେଲେ ଝାଡ଼ଖଣ୍ଡର ସେଇ ଜଙ୍ଗଲ ଭରା ପାହାଡ଼ ଉପରକୁ ଯାଇ ପାଠ ପଢୁଛନ୍ତି।

ତେବେ ଏହା ଭିତରେ ଗୋଟିଏ ଭଲ ଖବର ମଧ୍ୟ ରହିଛି: ଏଭଳି ଦୁର୍ଦ୍ଦିନ ସମୟରେ ରଙ୍ଗାମାଟି ଗାଁର ଜଣେ ପାଠୋଇ ଝିଆ ସୋନୀ ସଂଯୁକ୍ତା ଡୁଙ୍ଗଡୁଙ୍ଗ ଆଗେଇ ଆସି ୟୁଟ୍ୟୁବ୍‌ରେ ଆସିଥିବା ପାଠକୁ ରେକର୍ଡ କରି ପିଲାଙ୍କୁ ଦେଖାଇ ପାଠ ବୁଝାଇ ପଢ଼ାଉଛନ୍ତି। ସେ ପ୍ରତ୍ୟେକ ଦିନ ପଡ଼ା ପଡ଼ା ଯାଇ ପିଲାମାନଙ୍କୁ ଏକଜୁଟ କରି ୟୁଟ୍ୟୁବ୍‌ ପାଠ ପଢାଉଛନ୍ତି। କରୋନା ମହାମାରୀ ସମୟରେ ତାଙ୍କର ଏଭଳି ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ।

ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ କହିବାନୁସାରେ, ନେଟ୍‌ୱର୍କ ପାଇଁ ସାଧାରଣ ଲୋକ ଯେତିକି ସମସ୍ୟା ଭୋଗୁଛନ୍ତି ତା’ଠାରୁ ଢେର ଅଧିକ ଅସୁବିଧା ଭୋଗୁଛନ୍ତି ୟୁଟ୍ୟୁବ୍‌ରେ ପାଠ ପଢୁଥିବା ଛାତ୍ରଛାତ୍ରୀ। ଏହା ସରକାରଙ୍କ ପରିକଳ୍ପିତ ଡିଜିଟାଲ୍‌ ଇଣ୍ଡିଆ ସ୍ଳୋଗାନ୍‌ ପାଇଁ ଏକ ଶକ୍ତ ଧକ୍କା ସଦୃଶ। ଏଥିସହିତ, ଅନ୍‌ଲାଇନ୍‌ ପାଠପଢ଼ାର ବାସ୍ତବ ସ୍ଥିତିକୁ ସାମ୍‌ନାକୁ ଆଣିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe