ସତ୍ୟବ୍ରତ ପ୍ରଧାନ
ଜଳେଶ୍ୱର: ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ ଥିବା ଓଡ଼ିଶା କୋଷ୍ଟ୍ କେନାଲ୍ ଏବେ ମୃତପ୍ରାୟ ଅବସ୍ଥାକୁ ଚାଲିଆସିଛି। ଏହି ଐତିହାସିକ କେନାଲର ପୁନରୁଦ୍ଧାର କେବଳ ପ୍ରସ୍ତାବରେ ଅଟକିଛି। ଏହା କେବେ ବାସ୍ତବ ରୂପ ନେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୧୮୬୭ ମସିହାରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପରେ ଲୋକଙ୍କୁ କାମ ବଦଳରେ ଖାଦ୍ୟ ଯୋଗାଇବା ଯୋଜନା କରି ତତ୍କାଳୀନ ଇଂରେଜ ସରକାର ଏହି କୋଷ୍ଟ୍ କେନାଲ୍ ଖନନ ଆରମ୍ଭ କରିଥିଲେ। ଏହି କେନାଲ ପଶ୍ଚିମବଙ୍ଗର ନାରାୟଣ ନଦୀରୁ ବାହାରି ଓଡ଼ିଶାର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ମନ୍ତେଇ ନଦୀର ଚାରବାଟିଆ ଯାଏଁ ରହିଛି। ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଏହା ୧୨୪ କିମି ଓ ପଶ୍ଚିମବଙ୍ଗରେ ୯୦ କିମି ଅଞ୍ଚଳ ଦେଇ ଯାଇଛି। ଓଡ଼ିଶା ଭିତରକୁ ଏହି କୋଷ୍ଟ୍ କେନାଲ୍ ଭୋଗରାଇ ବ୍ଲକ୍ ଅଧୀନ ଅନଳିଆ ପଞ୍ଚାୟତର ନସରାବାଦ ଗାଁ ନିକଟରେ ପ୍ରବେଶ କରିଛି।
ଶହେ କିମିରୁ ଊର୍ଦ୍ଧ୍ବ ଶଯ୍ୟା ଦଳଭର୍ତ୍ତି
ନଅଙ୍କ ଦୁର୍ଭିକ୍ଷ ପରେ ଖୋଳିଥିଲେ ଇଂରେଜ ସରକାର
ବନ୍ୟାଜଳ ନିଷ୍କାସନର ପ୍ରମୁଖ ମାଧ୍ୟମ ଥିଲା
ପୂର୍ବରୁ ଏହି କୋଷ୍ଟ୍ କେନାଲ୍ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ନୌବାଣିଜ୍ୟ ପରମ୍ପରାର ଏକ ପରିଚିତ ନାମ ଥିଲା। ନୌପରିବହନ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଟୋଲ୍ ଆଦାୟ କରାଯାଉଥିଲା। ବିଶ୍ବକବି ରବୀନ୍ଦ୍ର ନାଥ ଟାଗୋର ୧୮୯୧ ମସିହାରେ ଏହି କୋଷ୍ଟ୍ କେନାଲ୍ରେ ୭ ଦିନ ଯାତ୍ରା କରି ଓଡ଼ିଶା ଆସିଥିଲେ। କୋଷ୍ଟ୍ କେନାଲ୍ ଯୋଗୁ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ପାଖାପାଖି ୨୪ ହଜାର ହେକ୍ଟର ଜମିରୁ ଉଦ୍ବୃତ୍ତ ବର୍ଷା ଓ ବନ୍ୟା ଜଳ ସୁରୁଖୁରୁରେ ନିଷ୍କାସିତ ହେଉଥିଲା। ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ ନଦୀର ବନ୍ୟା ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଏହି କେନାଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।
ଏଥିସହ କେନାଲର ଉଭୟ ପାର୍ଶ୍ୱରେ ଥିବା ଜମି ଜଳସେଚିତ ହୋଇପାରୁଥିଲା। ହଜାର ହଜାର ଲୋକେ ମାଛ ମାରି ଜୀବିକା ନିର୍ବାହ କରୁଥିଲେ। ତେବେ, ଏହି କେନାଲ୍ରେ ଏବେ ନୀଳ ଜଳରାଶି ବଦଳରେ କେବଳ ସବୁଜ ଦଳ ଭର୍ତ୍ତି ହୋଇଛି। କେନାଲ୍ ଶଯ୍ୟା ସମ୍ପୂର୍ଣ୍ଣ ପୋତି ହୋଇଗଲାଣି। ୨୦୧୯ ମସିହାରେ କୋଷ୍ଟ୍ କେନାଲ୍ର ପୁନରୁଦ୍ଧାର ପାଇଁ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ ହୋଇଥିବା ବେଳେ ଏହା ବାସ୍ତବ ରୂପ ନେଇ ପାରିଲାନି। ୨୦୨୫ ଫେବ୍ରୁଆରିରେ କେନ୍ଦ୍ର ଜଳ ପ୍ରାଧିକରଣର ୩ ଜଣିଆ ଟିମ୍ ବାଲେଶ୍ୱର ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଫଳରେ କେନାଲ୍ର ପୁନରୁଦ୍ଧାର ପାଇଁ ଆଶା ସଞ୍ଚାର ହୋଇଥିଲା। ହେଲେ ୮ ମାସ ହେଲା ଏଥିରେ କୌଣସି ଅଗ୍ରଗତି ହୋଇନି।
Follow Us