The Asian Age
ଭୁବନେଶ୍ବର :ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨ବର୍ଷ ପୂର୍ବରୁ ସଭାପତି ପଦରୁ ଇସ୍ତଫା ଦେଇଥିଲି। ଆଜି ଏଆଇସିସି ପରିବର୍ତନ ନିଷ୍ପତ୍ତି ନେଇଛନ୍ତି। ସଭାପତି ପଦରୁ ଅବ୍ୟାହତି ନେଇଥିଲେ ହେଁ ଓଡ଼ିଶାର ସ୍ବାର୍ଥ ପାଇଁ ଯାହା କର୍ତବ୍ୟ ତାହା ଜାରି ରହିବ। ତେବେ ରାଜ୍ୟର ସ୍ବାର୍ଥ ପାଇଁ କଂଗ୍ରେସ ନେତୃବୃନ୍ଦଙ୍କୁ ଏକାଠି ହେବା ସହିତ ଲୋକଙ୍କ ନିକଟକୁ ଯିବାକୁ ପଡ଼ିବ। କଂଗ୍ରେସର ବିଚାରଧାରାକୁ ଲୋକଙ୍କୁ ଜଣାଇବାକୁ ହେବ। ଗତ କିଛିଦିନ ଧରି ରାଜ୍ୟ କଂଗ୍ରେସର ଏକତା କିମ୍ବା ଶୃଙ୍ଖଳା ଦେଖିବାକୁ ମିଳୁନାହିଁ। ପିସିସି ସଭାପତି ରହିବା ସମୟରେ କଂଗ୍ରେସକୁ ସୁଦୃଢ଼ କରି ଓଡ଼ିଶା ସ୍ବାର୍ଥ ପାଇଁ ଯେଉଁ କାର୍ଯ୍ୟ କରିବା କଥା, ତାହା ହୋଇ ନ ପାରିବା ଅବସୋସ ରହିଛି।
ସେ ଆହୁରି ମଧ୍ୟ କହିଥିଲେ ଯେ ଦେଶର ଅର୍ଥନୀତିର ସ୍ଥିତି ଏବେ ବହୁତ ଖରାପ। ଧନୀଟିଏ ଅଧିକ ଧନୀ ହେଉଥିବା ବେଳେ ଗରିବ ଆହୁରି ଗରିବ ହେଉଛି। ତେଣୁ ଏ ବିଷୟରେ ଲୋକଙ୍କୁ ଜଣାଇବାକୁ ହେବ। ଏହି ଅବସରରେ ସେ ନୂତନ ସଭାପତି ଶରତ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଅଧୀନରେ ଓଡ଼ିଶା କଂଗ୍ରେସ ନୂତନ ଶିଖରରେ ପହଞ୍ଚିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଶରତ ବାବୁଙ୍କୁ ସବୁବେଳେ ତାଙ୍କର ସମର୍ଥନ ଓ ମାର୍ଗଦର୍ଶନ ଜାରି ରହିବ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କଂଗ୍ରେସ ନେତୃବୃନ୍ଦଙ୍କୁ ତାଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।
  
 Follow Us