ଓସିସିଏଲ୍‌ ଅର୍ଥ ହଡ଼ପ ମାମଲାରେ ଦୁଇ ଜଣଙ୍କୁ ଜାମିନ

ଓସିସିଏଲ୍‌ ଅର୍ଥ ହଡ଼ପ ମାମଲାରେ ଦୁଇ ଜଣଙ୍କୁ ଜାମିନ

କଟକ : ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ)ର ସିନିୟର ମ୍ୟାନେଜର ବିଶ୍ବଜିତ ବିଶ୍ବାଳ ଓ ଇନଫିନିଟି ଇନଫ୍ରା ସ˚ସ୍ଥା ମୁଖ୍ୟ ଅନୀଲ କୁମାର ରାୟଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ଦୁଇ ଆବେଦନକାରୀ ନିମ୍ନ ଅଦାଲତରେ ୮୫ ଲକ୍ଷ ଟଙ୍କା ଲେଖାଏ ଜମା କରିବା ସହିତ ପାର୍ସପୋର୍ଟ ଦାଖଲ କରିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ମିଲନ କାନୁନଗୋ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ଏସ୍.ମହାନ୍ତି ସହାୟତା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ବର ଇନଫୋଭ୍ୟାଲିର ରାସ୍ତା କାମ ପାଇଁ ଓସିସିଏଲ ମୁଖ୍ୟ ଦୁଇଟି ଆକାଉଣ୍ଟକୁ ୩.୧୫କୋଟି ପଠାଇଥିଲେ। କାମ କରିବା ବାହାନାରେ ଶ୍ରୀ ବିଶ୍ବାଳ ଅନ୍ୟ ଆକାଉଣ୍ଟକୁ ୩.୧୦କୋଟି ଟ୍ରାନ୍ସଫର କରିନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଓସିସିଏଲ କର୍ତ୍ତପକ୍ଷଙ୍କ ସନ୍ଦେହ ହେବାରୁ ବିଭାଗୀୟ ତଦନ୍ତ କରାଯାଇଥିଲା। ୩.୧୦କୋଟି ହେରଫେର ହୋଇଥିବା ଜଣାପଡିଥିଲା। ଏହି ଟଙ୍କାରୁ ପ୍ରାୟ ୨.୧୦ କୋଟି ଇନଫିନିଟି ଇନଫ୍ରା ଆକାଉଣ୍ଟକୁ ଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଓସିସିଏଲ ସେକ୍ରେଟାରି ବିଭୁତିଭୂଷଣ ସାହୁ ଅଗଷ୍ଟ ୨୧ରେ ଇଓଡବ୍ଲ୍ୟୁ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଇଓଡବ୍ଲ୍ୟୁ ଶ୍ରୀ ବିଶ୍ବାଳ ଓ ଶ୍ରୀ ରାୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe