ଆନ୍ଦୋଳନକୁ ଓହ୍ଲାଇବେ ଡିପ୍ଲୋମା ଇଞ୍ଜିନିୟର

Advertisment
ଆନ୍ଦୋଳନକୁ ଓହ୍ଲାଇବେ ଡିପ୍ଲୋମା ଇଞ୍ଜିନିୟର

ଭୁବନେଶ୍ୱର : ଚଳିତମାସ ୩୦ତାରିଖ ସୁଦ୍ଧା ଡିପ୍ଲୋମା ଇଞ୍ଜିନିୟରମାନଙ୍କ ଦାବି ପୂରଣ ନ ହେଲେ ସେମାନେ ବିଧାନସଭା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ୨ଦିନ ପାଇଁ ବିଧାନସଭା ଘେରାଉ କରାଯିବ। ଯଦି ଏଥିରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ବୃହତ୍ତର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା ସଂଘ ପକ୍ଷରୁ ଓଡେସା ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସଂପାଦକ ସଚିତ୍ର ମୋହନ ରାଉଳ କହିଲେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୮ହଜାରରୁ ଅଧିକ ଡିପ୍ଲୋମା ଇଞ୍ଜିନିୟର କାର୍ଯ୍ୟ କରୁଛନ୍ତି। ମାତ୍ର ଦୀର୍ଘଦିନ ସେମାନେ ସରକାରୀ ଅବହେଳାର ଶିକାର ହୋଇ ଆସୁଛନ୍ତି। ଡିଗ୍ରି ଇଞ୍ଜିନିୟରମାନଙ୍କୁ ସରକାର ପଦୋନ୍ନତି ଓ ଦରମା ହାର କ୍ଷେତ୍ରରେ ଅନୁକମ୍ପା ଦେଖାଉଥିବା ବେଳେ ଡିପ୍ଲୋମା ଇଞ୍ଜିନିୟରମାନଙ୍କ କ୍ଷେତ୍ରରେ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ପ୍ରାୟ ୭୦/୮୦ଭାଗ ଡିପ୍ଲୋମା ଇଞ୍ଜିନିୟର ବିନା ପଦୋନ୍ନତିରେ ଅବସର ନେଇ ସାରିଲେଣି। ତେଣୁ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ଚାକିରି ସମୟରେ ଅତିକମ୍‌ରେ ୩ଟି ପଦୋନ୍ନତି ଦିଆଯାଉ। ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଉପନିର୍ବାହୀ ଯନ୍ତ୍ରୀ ପଦବିକୁ ମିଶାଇ ଶତକଡ଼ା ୫୦ଭାଗ ସହକାରୀ ଯନ୍ତ୍ରୀ ପଦବିରୁ ସହକାରୀ ଯନ୍ତ୍ରୀ ପଦବିକୁ ପଦୋନ୍ନତି ପାଇଁ ସଂରକ୍ଷିତ ରଖାଯାଉ।

ଡିପ୍ଲୋମା ଇଞ୍ଜିନିୟରମାନଙ୍କ ମୂଳ ନିଯୁକ୍ତି ପଦବି କନିଷ୍ଠ ଯନ୍ତ୍ରୀଙ୍କ ଗ୍ରେଡ୍‌ ଦରମା ୪୬୦୦ଟଙ୍କାକୁ ବୃଦ୍ଧି କରାଯାଇ ୭ମ ବେତନ କମିସନଙ୍କ ଦ୍ୱାରା ଦିଆଯାଇଥିବା ଦରମା ମ୍ୟାଟ୍ରିକ୍ସରେ ୧୦ମ ସ୍ଥାନରେ ରଖାଯାଉ। ପଞ୍ଚାୟତିରାଜ ବିଭାଗର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀମାନଙ୍କୁ ସେହି ବିଭାଗ ଅଧୀନରେ ସହକାରୀ ଯନ୍ତ୍ରୀ ପଦବିକୁ ଉନ୍ନିତ କରାଯାଇ ତୁରନ୍ତ ସହକାରୀ ଯନ୍ତ୍ରୀ ପଦବି ପୂରଣ କରାଯାଉ। ଅନ୍ୟ ବିଭାଗଙ୍କ ଭଳି କୃଷି ବିଭାଗରେ ସେବାରତ ସମସ୍ତ ଡିପ୍ଲୋମା ଇଞ୍ଜିନିୟର ସହକାରୀ ଯନ୍ତ୍ରୀଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବିକୁ ଉନ୍ନତି କରାଯାଉ। କନିଷ୍ଠ ଯନ୍ତ୍ରୀ ପଦବିରେ ଠିକା ନିଯୁକ୍ତି ବନ୍ଦ କରାଯାଉ ଓ ସମସ୍ତ ଠିକା ନିଯୁକ୍ତିକୁ ତୁରନ୍ତ ନିୟମିତ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ପ୍ରଦୀପ କୁମାର ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe