ଓଡ଼ିଶାରେ ଶୁଆ ମୁଖ୍ୟମନ୍ତ୍ରୀ ଦରକାର ନାହିଁ : ଗିରିରାଜ

Advertisment

ସମ୍ବଲପୁର ସମାବେଶରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର ସମାବେଶରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ ଶୁଆ ମୁଖ୍ୟମନ୍ତ୍ରୀ ଦରକାର ନାହିଁ : ଗିରିରାଜ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ନଜରବନ୍ଦୀ ହୋଇ ରହିଛନ୍ତି। ଶୁଆକୁ ଯେତିକି ପଢ଼ାଯାଏ ସେତିକି କହିବା ଭଳି ପାଣ୍ଡିଆନ ଯେତିକି ପଢ଼ାଉଛନ୍ତି, ସେ ସେତିକି କହୁଛନ୍ତି। ଏବେ ଶୁଆ ମୁଖ୍ୟମନ୍ତ୍ରୀ ଦରକାର ନାହିଁ। ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିଲେ ଓଡ଼ିଶାର ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ। ଆଉ ପାଣ୍ଡିଆନ ଜେଲ୍‌ ଯିବା ଥୟ ବୋଲି ଆଜି ଏଠାରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି।

କ୍ଷେତରାଜପୁର ଗୁଜରାତି ସମାଜ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ସେ କହିଥିଲେ, ମିସନ ଶକ୍ତି କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବା ବେଳେ ମୋଦୀ ସରକାରଙ୍କ ପକ୍ଷରୁ ଏ ବାବଦରେ ୩୫ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ପାଣ୍ଡିଆନ ଏହାକୁ ରାଜ୍ୟ ସରକାରଙ୍କ ଯୋଜନା ବୋଲି କହି ବୁଲୁଛନ୍ତି। କେନ୍ଦ୍ର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆବାସ ଯୋଜନାରେ ଓଡ଼ିଶାକୁ ୩୦ ଲକ୍ଷ ଘର ଦିଆଯାଇଛି। ମନରେଗା ଯୋଜନାରେ ୧୦ ବର୍ଷରେ କଂଗ୍ରେସ ସରକାର ଓଡ଼ିଶାକୁ ସାଢ଼େ ୬ ହଜାର କୋଟି ଟଙ୍କା ଦେଇଥିଲେ। ମୋଦୀ ସରକାର କିନ୍ତୁ ୨୫ ହଜାର କୋଟି ଟଙ୍କା ଦେଇଛନ୍ତି। ଏଥିସହିତ, ପାଣ୍ଡିଆନ ପଛଦ୍ବାରରେ ଆସି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଛନ୍ତି ଏବଂ ବାହାର ରାଜ୍ୟର ବ୍ୟକ୍ତି ଏଠାକାର ମୁଖ୍ୟମନ୍ତ୍ରୀ ହେବା ଓଡ଼ିଶାର ସଂସ୍କୃତିର ପରିପନ୍ଥୀ ବୋଲି କହିଥିଲେ।

ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର ପୁଣି ଆଜି ହନୁମାନ ଜୟନ୍ତୀ ପ୍ରସଙ୍ଗ ଉଠାଇ ପ୍ରଶାସନ ଓ ବିଜେଡି ସରକାରକୁ ଘେରିଥିଲେ। ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ଏଥର କାହିଁକି ବନ୍ଦ କରିଦିଆଗଲା ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହିତ, ତାଙ୍କର ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ଟାର୍ଗେଟ୍‌ କରି ଯିଏ ମନ୍ତ୍ରୀ ହେବା ପାଇଁ ଯୋଗ୍ୟ ନୁହନ୍ତି, ସେ ବିଧାୟକ ହେବା ପାଇଁ କେମିତି ଯୋଗ୍ୟ ହେଲେ ବୋଲି ପ୍ରଶ୍ନ କରିଥିଲେ। ସମାବେଶରେ ଯୋଗଦେଇ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ ବିଜେପିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ‌ଭୋଟଦେଇ ଜିତାଇବାକୁ ଅନୁରୋଧ କରିଥିଲେ। ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ ସ୍ବାଗତ ଭାଷଣ ଦେଇଥିଲେ। ସୁପ୍ରୀତି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ଗୋବିନ୍ଦ ଅଗ୍ରୱାଲ, ମୁନ୍ନା ତିୱାରୀ, ରାମ ନାରାୟଣ ତିୱାରୀ ପ୍ରମୁଖ ମଂଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe