www.istockphoto.com
ବାରିପଦା : ମୟୂରଭଞ୍ଜରେ ଓଡ଼ିଶା ଏଜୁକେସନ ରୁଲ୍କୁ ଫୁଃରେ ଉଡ଼େଇ ଦେଉଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ। ରାଜ୍ୟ ସରକାରଙ୍କ ଶିକ୍ଷା ଓ ଶିକ୍ଷକ ନିଯୁକ୍ତି ସମ୍ପର୍କିତ ନିୟମକୁ ମୋଡ଼ି ମକଚି ଜିଲ୍ଲାରେ ଚାଲିଛି ବେଆଇନ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି। ମୋଟା ଅଙ୍କର ଲାଞ୍ଚ କାରବାରରେ ଚାଲିଛି କାମ। ବ୍ୟବସ୍ଥା ଆଖିରେ ଆଙ୍ଗୁଳି ଗେଞ୍ଜି ଡିଇଓଙ୍କ କାର୍ଯ୍ୟାଳୟର ଏହି ବରିଷ୍ଠ ବାବୁ ଜଣଙ୍କ ଚଲେଇଛନ୍ତି ନିଜର ମନମାନି। ଆଉ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରିଛନ୍ତି ପୂର୍ବତନ ଡିଇଓଙ୍କ ସମେତ ଆହୁରି କିଛି କର୍ମଚାରୀ। ବେଆଇନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ ଏବଂ କର୍ମଚାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କାର ଉତ୍କୋଚ ନେଇ ବେଆଇନ କାମ ହୋଇଥିବା ଅଭିଯୋଗ ହେଉଛି। ଏନେଇ ବୁଦ୍ଧିଜୀବୀମହଲରେ ଉଦ୍ବେଗ ପ୍ରକାଶ ପାଇବା ସହିତ କଥା ଯାଇ ଭିଜିଲାନ୍ସ, ୫-ଟି ସଚିବ ଏବଂ ଉପରିସ୍ଥ ଅଧିକାରୀଙ୍କ ପାଖରେ ପହଞ୍ଚିଲାଣି।
ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ସହଯୋଗ ବ୍ଲକ୍ଗ୍ରାଣ୍ଟ୍ ହାଇସ୍କୁଲ, ନୁଣଚାଟି ନଳଗଜାରେ ଘଟିଛି ଏପରି ସାଂଘାତିକ ବେଆଇନ କାର୍ଯ୍ୟ। ଉଲ୍ଲେଖଯୋଗ୍ୟ; ଓଡ଼ିଶା ଶିକ୍ଷା ଅଧିନିୟମ, ୧୯୮୯ ସେକ୍ସନ୭(୨) ଓ ରୁଲ୍ ୧୯୯୧ ସେକ୍ସନ ୨୬ ଅନୁସାରେ ପ୍ରତ୍ୟେକ ଘରୋଇ ସ୍ବିକୃତୀପ୍ରାପ୍ତ ହାଇସ୍କୁଲ୍ ଓ ବ୍ଲକ୍ଗ୍ରାଣ୍ଟ୍ ହାଇସ୍କୁଲ୍ର ପରିଚାଳନା କମିଟି ୩ ବର୍ଷ ପାଇଁ ବୈଧ ଅଟେ। ଏହାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମଞ୍ଜୁରୀ ଦେଲାପରେ କାର୍ଯ୍ୟ କରିଥାଏ। ବୈଧ ପରିଚାଳନା କମିଟି ବିଦ୍ୟାଳୟରେ ନିଯୁକ୍ତି ନିୟମ ଅନୁଯାୟୀ ଶିକ୍ଷକ ଏବଂ କର୍ମଚାରୀ ନିଯୁକ୍ତି ପ୍ରଦାନ କରିଥାଆନ୍ତି। ପରେ ଡିଇଓ ଉକ୍ତ କର୍ମଚାରୀଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ ପରେ ରାଜ୍ୟ ସରକାର ବ୍ଲକଗ୍ରାଣ୍ଟ୍ ମଞ୍ଜୁରୀ ଦେଇଥାଆନ୍ତି। ମାତ୍ର ନୁଣଚାଟି ନଳଗଜା ହାଇସ୍କୁଲ୍ର ପରିଚାଳନା କମିଟିର କାର୍ଯ୍ୟକାଳ ୧୩ ସେପ୍ଟେମ୍ବର ୧୯୯୯ରେ ସମାପ୍ତ ହୋଇଛି। ଉକ୍ତ ଦିନରୁ ୧୨ ଫେବ୍ରୁୟାରୀ ୨୦୧୭ ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟରେ ଆଉ କୌଣସି ପରିଚାଳନା କମିଟିକୁ ମାଧ୍ୟମିକ ଶିକ୍ଷା ପରିଷଦ ମଞ୍ଜୁରୀ ଦେଇନାହାନ୍ତି। ଅର୍ଥାତ ଉପରୋକ୍ତ ସମୟସୀମା ମଧ୍ୟରେ ଉକ୍ତ ସ୍କୁଲ୍ରେ କୌଣସି ବୈଧ ପରିଚାଳନା କମିଟି ନଥିବା ସୂଚନା ଅଧିକାର ନିୟମ ବଳରେ ମିଳିଥିବା ସୂଚନାରୁ ସ୍ପଷ୍ଟ ହୋଇଛି।
ମାତ୍ର ଉକ୍ତ ୮ ବର୍ଷ ମଧ୍ୟରେ କିନ୍ତୁ ବିଦ୍ୟାଳୟରେ ୭ଜଣ ଶିକ୍ଷକ ଏବଂ ୨ଜଣ ପିଅନ ନିଯୁକ୍ତି ପାଇଛନ୍ତି। ଯାହାକି ବେଆଇନ ବୋଲି ନିୟମ କହୁଛି। କିନ୍ତୁ ଶିକ୍ଷା ବିଭାଗକୁ ଅନ୍ଧାରରେ ରଖି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବର୍ତ୍ତମାନର ମୁଖ୍ୟ କିରାଣୀ ଏହି କାର୍ଯ୍ୟ କରିଥିବା ଅଭିଯୋଗ ଉଠିଛି। ବ୍ଲକଗ୍ରାଣ୍ଟ୍ ହାଇସ୍କୁଲ୍ର ଏଷ୍ଟାବ୍ଲିସମେଣ୍ଟ୍ ସେକ୍ସନ ଦାୟିତ୍ବରେ ଥିବା ଏହି ବଡ଼ବାବୁ ଜଣଙ୍କ ଉକ୍ତ ବିଦ୍ୟାଳୟ ପାଖରୁ ମୋଟା ଅଙ୍କର ଲାଞ୍ଚ ନେଇ ଡିଇଓଙ୍କ ପାଖରୁ ସୁପାରିସ କରି ବୋର୍ଡକୁ ମଞ୍ଜୁରୀ ପାଇଁ ପଠାଉଥିବା ଅଭିଯୋଗ ହୋଇଛି। ବୈଧ ପରିଚାଳନା କମିଟି ନଥାଇ ଅବୈଧ ନିଯୁକ୍ତି ପାଇଥିବା ୭ ଶିକ୍ଷକ ଏବଂ ୨ଜଣ ପିଅନଙ୍କୁ ବ୍ଳକଗ୍ରାଣ୍ଟ୍ ପାଇଁ ତତ୍କାଳୀନ ଡିଇଓ ଧ୍ରୁବ ଚରଣ ବେହେରା ୨୧ ଡିସେମ୍ବର ୨୦୧୯ରେ ଆଦେଶନାମା ଦେଇଛନ୍ତି।
ଏପରି ବେଆଇନ କାରବାରରେ ଲକ୍ଷାଧିକ ଟଙ୍କାର ଲାଞ୍ଚ କାରବାର ହୋଇଥିବା ସନ୍ଦେହ କରି ରାଧାରାଣୀ ଜେନା, ମୃତ୍ୟୁଞ୍ଜୟ ଗିରି, ଜୀବନ କୁମାର ସିଂ, ଲକ୍ଷ୍ମୀକାନ୍ତ ଗିରି, ଯଜ୍ଞେଶ୍ବର ଜେନା ପ୍ରମୁଖଙ୍କ ସମେତ ଏକାଧିକ ବ୍ୟକ୍ତିବିଶେଷ ଦୁର୍ନୀତି ନିବାରଣ ବିଭାଗ, ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ଗଣଶିକ୍ଷା ବିଭାଗ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଉଲ୍ଲେଖଯୋଗ୍ୟ; ଚଳିତ ମାସ ଶେଷ ଦିନରେ ଅବସର ନେବାକୁ ଯାଉଥିବା ଡିଇଓଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଥାଇ ମୁଖ୍ୟ କିରାଣୀ ହୋଇଥିବା ତଥା ଏହି ବେଆଇନ ନିଯୁକ୍ତିର ମୁଖ୍ୟ କାର୍ପଟଦାର କୁହାଯାଉଥିବା ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ କେସ୍ ନମ୍ବର ଏଲୱାଇ-୩୨୦/୨୦୧୯ରେ ଓଡ଼ିଶା ଲୋକାୟୁକ୍ତରେ ଦୁର୍ନୀତି ଅଭିଯୋଗର ତଦନ୍ତ ଜାରି ରହିଛି।
Follow Us