ସୁସ୍ଥ ସମାଜ ଲାଗି ସୁସ୍ଥ ନଦୀ ଲୋଡ଼ା

Advertisment

ଓଡ଼ିଶା ପରିବେଶ କଂଗ୍ରେସ ଉଦ୍‌ଘାଟିତ

ଓଡ଼ିଶା ପରିବେଶ କଂଗ୍ରେସ ଉଦ୍‌ଘାଟିତ

ସୁସ୍ଥ ସମାଜ ଲାଗି ସୁସ୍ଥ ନଦୀ ଲୋଡ଼ା

ନଦୀକୂଳର ଏକ କି.ମି. ଅଞ୍ଚଳରେ ୨ କୋଟି ବୃକ୍ଷରୋପଣ
ନଦୀ ନୀତି ଆଣିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

ଭୁବନେଶ୍ୱର : ସୁସ୍ଥ ସମାଜ ଲାଗି ନଦୀକୁ ସୁସ୍ଥ ରଖିବା ନିତାନ୍ତ ଆବଶ୍ୟକ। ନଦୀର ମାଲିକାନାକୁ ନେଇ ଦ୍ୱନ୍ଦ୍ୱ ଓ ପରିବେଶ ପ୍ରତି ବେଖାତିର ମନୋଭାବ ଯୋଗୁଁ ଜଳ ବିବାଦ ସୃଷ୍ଟି ହେଉଛି। ଯଦି ନଦୀ ତଟବର୍ତୀ ରାଜ୍ୟଗୁଡ଼ିକ ଜଳ ବଣ୍ଟନରେ ସମାନତା ନ ରଖିବେ ପରବର୍ତୀ ସମୟରେ ବିବାଦ ସୃଷ୍ଟି କରିବ। ଦେଶ ଭିତରେ ମନାନ୍ତର ସୃଷ୍ଟି ହେବ। ତେଣୁ କେହି ବି ନଦୀର ସୁସ୍ଥ ବାତାବରଣ ତଥା ଗତିପଥକୁ ଅବରୋଧ କରିବା ଉଚିତ୍‌ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟ ପରିସରରେ ଆଜି ଓଡ଼ିଶା ପରିବେଶ କଂଗ୍ରେସକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଜଳ ସଂରକ୍ଷଣ ଲାଗି ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବର୍ଷା ଜଳ ଅମଳ ବ୍ୟବସ୍ଥା, ଭୂତଳ ଜଳର ରିଚାର୍ଜ ଉପରେ ଧ୍ୟାନ ଦିଆଯାଉଛି। ମହାନଦୀ ସମେତ ଅନ୍ୟ ନଦୀର ଉଭୟ ପାର୍ଶ୍ୱର ଏକ କି.ମି. ଅଞ୍ଚଳରେ ଦୁଇ କୋଟି ବୃକ୍ଷ ରୋପଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାଦ୍ୱାରା ଜଳ ଏବଂ ମୃତ୍ତିକା ସଂରକ୍ଷଣ ହୋଇପାରିବ। କୃଷି ସହ ଶିଳ୍ପ ପାଇଁ ନଦୀ ଅବବାହିକା ପରିଚାଳନାର ଆବଶ୍ୟକତା ରହିଛି। ରାଜ୍ୟ ଜଳ ନୀତି ହେବା ଦ୍ୱାରା କୃଷି, ହାଇଡ୍ରୋ ପାଓ୍ଵାର, ପାନୀୟ ଜଳ ଏବଂ ପରିବେଶର ଆବଶ୍ୟକତା ପୂରଣ କରିପାରୁଛି। ଓଡ଼ିଶା ପରିବେଶ କଂଗ୍ରେସ ଦ୍ୱାରା ଜଳ ସମ୍ପଦର ସଠିକ୍‌ ପରିଚାଳନା ନେଇ ଯେଉଁ ନିର୍ଯ୍ୟାସ ବାହାରିବ ତାହା ଓଡ଼ିଶାବାସୀଙ୍କ ଆବଶ୍ୟକତା ପୂରଣ ଦିଗରେ କିଛି ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ରମନ ମାଗାସେସ୍‌ ପୁରସ୍କାର ବିଜେତା ତଥା ଜଳ ମାନବ ରାଜେନ୍ଦ୍ର ସିଂ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ନଦୀର ଅଧିକାର ହେଉଛି ବୋହିବା। ତାହାର ଗତିପଥକୁ ରୋକିବା ଉଚିତ୍‌ ନୁହେଁ। ଜଳ, ନଦୀ, ନଦୀର ଗତିପଥ, ପରିବେଶକୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ହେଉଛି। ଓଡ଼ିଶାରେ ଥିବା ୧୧ଟି ନଦୀ ଅବବାହିକା ରହିଛି। ସେଥିମଧ୍ୟରୁ ମହାନଦୀ ଅବବାହିକା ସମସ୍ୟାର ସମାଧାନ କରାଗଲେ ଅନ୍ୟ ସବୁ ସମସ୍ୟା ଦୂର ହୋଇଯିବ। ମହାନଦୀକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହାର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନ ଥିବା ପ୍ରଥମେ ଭାବୁଥିଲି। ଛତିଶଗଡ଼ ଏବଂ କେନ୍ଦ୍ର ସରକାରଙ୍କ ମନୋଭାବରୁ ଏବେ ଭାବୁଛି ଟ୍ରିବ୍ୟୁନାଲ ବ୍ୟତୀତ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଓଡ଼ିଶାରେ ନଦୀ ନୀତି ଆଣିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ସେ ଆହ୍ଵାନ ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାନଦୀ ତଥା ଓଡ଼ିଶା ଲୋକଙ୍କ ସ୍ୱାର୍ଥ ଲାଗି ବିଜେଡି ସରକାର ଲଢ଼େଇ ଜାରି ରଖିବ ବୋଲି କହିଥିଲେ। ଓଡ଼ିଶା ପରିବେଶ କଂଗ୍ରେସର ଅଧ୍ୟକ୍ଷ ଡି.କେ. ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାଙ୍ଗଠନିକ ସମ୍ପାଦକ ସୁଦର୍ଶନ ଦାଶ ସ୍ୱାଗତ ଭାଷଣ ଏବଂ ସଂଗ୍ରହାଳୟର ନିର୍ଦେଶକ ଡ. ଗୌରବ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ‘ଓଡ଼ିଶା ପରିବେଶ କଂଗ୍ରେସ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ଉଦ୍‌ଘାଟନୀ ଦିବସରେ ୪ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ‘ନଦୀ ଅବବାହିକାର ପରିଚାଳନା: ସମସ୍ୟା ଓ ଆହ୍ଵାନ’, ‘ଓଡ଼ିଶାର ନଦୀ’, ‘ନଦୀ ଜଳ ବଣ୍ଟନ: ବିବାଦ ଓ ସହଯୋଗ’ ଉପରେ ରାଜ୍ୟ ତଥା ରାଜ୍ୟ ବାହାରର ବିଶେଷଜ୍ଞମାନେ ମତ ପ୍ରକାଶ କରିଥିଲେ। ୩ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe