ଭୁବନେଶ୍ୱର: ୧୨ ଦଫା ଦାବି ନେଇ ଆଜି ବିଧାନସଭା ଘେରିଛି କ୍ଷେତ ମଜଦୁର ୟୁନିଅନ୍। ୟୁନିଅନ୍ ପକ୍ଷରୁ କୁହାଯାଇଛି, ମନରେଗା ଅଧୀନରେ ଆମ ରାଜ୍ୟରେ କାର୍ଯ୍ୟ ଦିବସ କମୁଥିବା ବେଳେ ମେସିନ୍ର ବ୍ୟବହାର ଏବଂ ଠିକାଦାର ବ୍ୟବସ୍ଥାରେ କାମ କରିବା ଫଳରେ ଅନେକ ଜବ୍କାର୍ଡଧାରୀ କାମ ପାଇବାରୁ ବଞ୍ଚିତ ହୋଇଛନ୍ତି। ଦାଦନ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ଯୋଜନାରେ ବର୍ଷକୁ ୨୦୦ ଦିନ କାମ ଓ ଦୈନିକ ମଜୁରି ୬୦୦ଟଙ୍କା ପ୍ରଦାନ କରିବାକୁ ୟୁନିୟନ ଦାବି କରିଛି। ଏହାବ୍ୟତୀତ ରାସନକାର୍ଡଧାରୀଙ୍କୁ ମାସିକ ମୁଣ୍ଡପିଛା ୧୦ କେଜି ଚାଉଳ ଓ ୧୪ଟି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯିବାକୁ ଦାବି କରାଯାଇଛି।
ଭାଗଚାଷ ଓ ଭାଗଚାଷୀଙ୍କୁ ସ୍ୱୀକୃତି ଓ ସରକାରୀ ସହାୟତା ଯୋଗାଇ ଦେବା, ସାମାଜିକ ନିରାପତ୍ତା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ମାସିକ ୩୦୦୦ଟଙ୍କା ଭତ୍ତା, କ୍ଷେତ ମଜଦୁର ଓ ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ, ପ୍ରତ୍ୟେକ ଭୂମିହୀନ ପରିବାରକୁ ଜମି, ଘରଡ଼ିହ ପଟ୍ଟା ଦେବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଛି। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରତିବାଦ ସ୍ଥଳରେ ପହଞ୍ଚି ୟୁନିଅନ୍ର ଦାବିଗୁଡ଼ିକୁ ସମର୍ଥନ କରିବା ସହ ବିଧାନସଭାରେ ଦାବି ଗୁଡ଼ିକ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ବିକ୍ଷୋଭରେ ରାଜ୍ୟ ସାଧାରଣ ସଂପାଦକ ନିର୍ମଳ ନାୟକ, ଓଡ଼ିଶା କୃଷକ ସଭାର ରାଜ୍ୟ ସାଧାରଣ ସଂପାଦକ ସୁରେଶଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ଉପସଭାପତି ଶିଶିର ହୁଇ, ନିତ୍ୟାନନ୍ଦ ପରିଡ଼ା, ଦୀପ୍ତିମାନ ଆଚାର୍ଯ୍ୟ, ଗିରିଧାରୀ ନାଥ, ପ୍ରଫୁଲ୍ଲ ପାଢ଼ୀ, ଦଣ୍ଡପାଣି ରଇତ, ଗୋକୁଳ ଦଣ୍ଡପାଣି, ବିପିନ ନାୟକ, ଦୁଃଶାସନ ଜେନା, ହରୀଶ ସିଂ, ପ୍ରଫୁଲ୍ଲ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ।
Follow Us