ଓଡ଼ିଶା ମତ୍ସ୍ୟଜୀବୀ ଫୋରମ୍‌ର ଦାବି : ସାମୁଦ୍ରିକ ଦୁର୍ଘଟଣାରେ ମୃତ ମତ୍ସ୍ୟଜୀବୀଙ୍କ ପରିବାରକୁ ଦିଆଯାଉ ୧୦ଲକ୍ଷ

Advertisment
ଓଡ଼ିଶା ମତ୍ସ୍ୟଜୀବୀ ଫୋରମ୍‌ର ଦାବି : ସାମୁଦ୍ରିକ ଦୁର୍ଘଟଣାରେ ମୃତ ମତ୍ସ୍ୟଜୀବୀଙ୍କ ପରିବାରକୁ ଦିଆଯାଉ ୧୦ଲକ୍ଷ

ଭୁବନେଶ୍ୱର : ସାମୁଦ୍ରିକ ଦୁର୍ଘଟଣାରେ ମୃତ ମତ୍ସଜ୍ୟଜୀବୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରିଛି ଓଡ଼ିଶା ମତ୍ସ୍ୟଜୀବୀ ଫୋରମ୍‌। ଏହାସହ ସେଭିଂସ କମ୍‌ ରିଲିଫ ଯୋଜନାରେ ବକେୟା ରାଶି ତୁରନ୍ତ ପ୍ରଦାନ କରାଯାଉ ବୋଲି ଫୋରମ୍‌ ସରକାରଙ୍କୁ ଜଣାଇଛି।

ଆଜି ପ୍ରେସ୍‌ କ୍ଲବ୍‌ ଅଫ ଓଡ଼ିଶା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଫୋରମ୍‌ର ସଭାପତି ନାରାୟଣ ଚନ୍ଦ୍ର ହାଲଦାର କହିଲେ, ଗତ ଦେଢ଼ ମାସ ଭିତରେ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ସମୁଦ୍ରରେ ୭ଜଣ ମତ୍ସ୍ୟଜୀବୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ପରିବାରର ଜୀବନ ଜୀବିକା ବିପନ୍ନ ହୋଇଛି। ତେଣୁ ମୃତ ମତ୍ସ୍ୟଜୀବୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଉ। ଏହାସହ ମାଛ ଧରିବାକୁ ଯାଉଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଲାଇଫ ଜ୍ୟାକେଟ୍‌ ଯୋଗାଇ ଦିଆଯାଉ।

ସେହିପରି ପ୍ରତିବର୍ଷ ମେ-ଜୁଲାଇ ମାସ ମଧ୍ୟରେ ସମୁଦ୍ରରେ ମାଛ ମାରିବା ନିଷିଦ୍ଧ ଘୋଷଣା କରାଯାଇଛି। ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସ୍ୱଳ୍ପ ସଂଚୟ ସେଭିଂସ୍‌ କମ୍‌ ରିଲିଫ ଯୋଜନାରେ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ଦିଆଯାଇଥାଏ। ମାତ୍ର ୨୦୧୬/୧୭ ମସିହାରେ ରାଜ୍ୟର ୧୦ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଏହି ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସୂଚନା ଅଧିକାର ଆଇନ ବଳରେ ତଥ୍ୟରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାର ୨୦୧୫/୧୬ ମସିହାର ୟୁସି ଦେଇ ନ ଥିବାରୁ କେନ୍ଦ୍ର ସରକାର ଏ ବାବଦ ଟଙ୍କା ଦେଇ ନାହାନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଏ ନେଇ ପଦକ୍ଷେପ ଗ୍ରହଣ କରନ୍ତୁ। ଏହାସହ ପରିବେଶ ନଷ୍ଟକାରୀ ଜଳ ବିମାନ ଚଳାଚଳ ବନ୍ଦ କରାଯାଉ ବୋଲି ଶ୍ରୀ ହାଲଦାର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଂପାଦକ କୃଷ୍ଣଚନ୍ଦ୍ର ସ୍ୱାଇଁ, ସେନାପତି ବେହେରା, ଭୀମସେନାବେହେରା, ତ୍ରିଲୋଚନ ଦାସ ଓ କାଞ୍ଚନ ତରାଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe