ଓଡ଼ିଶା ଦ୍ରବ୍ୟ ଓ ସେବା କର ଦ୍ବିତୀୟ ସଂଶୋଧନ ବିଲ୍‌ ପାରିତ

Advertisment

ଆଜି ବିଧାନସଭାରେ ଓଡ଼ିଶା ଦ୍ରବ୍ୟ ଓ ସେବା କର (ଦ୍ବିତୀୟ ସଂଶୋଧନ) ବିଲ୍‌, ୨୦୨୪ ପାରିତ ହୋଇଛି। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଲ୍‌କୁ ଉପସ୍ଥାପନ କରିଥିବାବେଳେ ଏହା ଉପରେ ଆଲୋଚନା...

ଆଜି ବିଧାନସଭାରେ ଓଡ଼ିଶା ଦ୍ରବ୍ୟ ଓ ସେବା କର (ଦ୍ବିତୀୟ ସଂଶୋଧନ) ବିଲ୍‌, ୨୦୨୪ ପାରିତ ହୋଇଛି। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଲ୍‌କୁ ଉପସ୍ଥାପନ କରିଥିବାବେଳେ ଏହା ଉପରେ ଆଲୋଚନା...

assembly2

ଭୁବନେଶ୍ବର: ଆଜି ବିଧାନସଭାରେ ଓଡ଼ିଶା ଦ୍ରବ୍ୟ ଓ ସେବା କର (ଦ୍ବିତୀୟ ସଂଶୋଧନ) ବିଲ୍‌, ୨୦୨୪ ପାରିତ ହୋଇଛି। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଲ୍‌କୁ ଉପସ୍ଥାପନ କରିଥିବାବେଳେ ଏହା ଉପରେ ଆଲୋଚନା ପରେ ବାଚସ୍ପତି ସୁରମା ପାଢ଼ୀ ଏହାକୁ ବାଚନିକ ଭୋଟ୍‌ରେ ପାରିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ବିଲ୍‌ ଉପସ୍ଥାପନ କରିବା ପରେ ଏହାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା। ରାଜ୍ୟ ସରକାର କାହିଁକି ତରବରିଆ ଭାବେ ଏହି ବିଲ୍‌କୁ ପାସ୍‌ କରୁଛନ୍ତି ସେନେଇ ପ୍ରଶ୍ନ ଉଠାଇଥିଲେ। ଏହା ଏକ ଜଟିଳ ବିଲ୍‌ ହୋଇଥିବାରୁ ବିଧାୟକମାନଙ୍କୁ ଏହାକୁ ପଢ଼ିବାକୁ ଅଧିକ ସମୟ ଦିଆଯାଇଥିଲେ ଭଲ ହୋଇଥାନ୍ତା। ବିଲ୍‌ରେ ଯାହା ଭୁଲ୍‌ ଥିବ ତାହା ତରବରିଆ ଭାବେ ଜଣାପଡ଼ିବନି। ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବିଧାନସଭା ଚାଲିବାକୁ ଥିବାରୁ ଏହା ଉପରେ ଅଧିକ ଆଲୋଚନା ପାଇଁ ଆଉ କୌଣସି କାର୍ଯ୍ୟଦିବସକୁ ଘୁଞ୍ଚାଯାଉ ବୋଲି ଦାବି କରିଥିଲେ। କିନ୍ତୁ ବିରୋଧୀଙ୍କ ଏହି ଦାବି ରହିନଥିଲା। 

ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ, କାଲି ଏହି ବିଲ୍‌ ଉପସ୍ଥାପନ ହୋଇଛି, ତରବରିଆ ଭାବେ କାହିଁକି ଏହାକୁ ପାରିତ କରାଯାଉଛି। ଏହି ଜିଏସ୍‌ଟି ବିଲ୍‌ ଉପରେ କାହାର ବିଶେଷ ଜ୍ଞାନ ନାହିଁ। ନା ବିଧାୟକମାନଙ୍କର ଅଛି ନା ଅଧିକାରୀମାନଙ୍କର ଅଛି। ଏହା ଉପରେ ଅଧିକ ଆଲୋଚନା ପାଇଁ ଏହାକୁ ଅନ୍ୟ ଦିନକୁ ଘୁଞ୍ଚା ଯାଉ। ଏକ୍ସଟ୍ରା ନିଉଟ୍ରାଲ ଆଲକହଲ୍, ରେକ୍ଟିଫାଏଡ୍‌ ସ୍ପିରିଟ କାହିଁକି ଜିଏସ୍‌ଟି ଅନ୍ତର୍ଭୁକ୍ତ ହେବନି? ଏଥିରେ କ’ଣ ଟିକସ ଲାଗୁଛି ତାହା ଗୃହକୁ ଜଣାଇବା ଦରକାର। ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀ ଦଳରେ ଥିବାବେଳେ କ୍ଷୀର, ମୁଢ଼ି, ଚୁଡ଼ା, ଦହି, ପନିର୍ ଆଦି ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରିବାକୁ ଦାବି କରୁଥିଲେ। ମୁଖ୍ୟମନ୍ତ୍ରୀ ଏବେ ଜିଏସ୍‌ଟି କାଉନସିଲ୍ ବୈଠକକୁ ଗଲେ ଏହି ସାମଗ୍ରୀ ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରିବାକୁ ଦାବି କରନ୍ତୁ। ବିଧାୟକ ଗଣେଶ୍ବର ବେହେରା ବି ଆଲୋଚନାରେ ଭାଗ ନେଇଥିଲେ।

 ତରବରିଆ ଭ‌ାବେ ବିଲ୍‌ ପାସ୍‌ କରିବାକୁ ନେଇ ବିଜେଡି ଓ କଂଗ୍ରେସର ବିରୋଧ
ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ବିଲ୍‌ ପାରିତ ହେବାକୁ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି: ମୁଖ୍ୟମନ୍ତ୍ରୀ

ସେହିପରି କଂଗ୍ରେସ ପକ୍ଷରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ ଆବାସ ଯୋଜନାରେ ଯେଉଁମାନଙ୍କୁ ଘର ମିଳୁଛି ସେମାନେ କିଣୁଥିବା ସିମେଣ୍ଟ, ରଡ୍‌ ଉପରୁ ଜିଏସ୍‌ଟି ଛାଡ଼ କରାଯାଉ। ବିଧାୟିକା ସୋଫିଆ ଫିର୍‌ଦୋସ କହିଥିଲେ, ଛୋଟ ଛୋଟ ବ୍ୟବସାୟୀଙ୍କ ଉପରେ ଅଯଥାରେ ଜିଏସ୍‌ଟି ରେଡ୍‌ କରାଯାଉଛି। ଏହାଦ୍ବାରା ସେମାନେ ବହୁତ ହଇରାଣ ହେଉଛନ୍ତି। ଜିଏସ୍‌ଟି ରେଡ୍‌ ପାଇଁ ଏକ ଗାଇଡଲାଇନ୍ ପ୍ରସ୍ତୁତ ହେଉ। ବିଭିନ୍ନ ନିତିଦିନିଆ ସାମଗ୍ରୀ ଉପରୁ ଜିଏସ୍‌ଟି ଛାଡ଼ କରିବାକୁ ସେ କହିଥିଲେ। ଶାସକ ଦଳ ପକ୍ଷରୁ ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ସନ୍ତୋଷ ଖଟୁଆ ଏହି ବିଲ୍‌ ସପକ୍ଷରେ ମତ ରଖିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ, ଓଡ଼ିଶା ଦ୍ରବ୍ୟ ଓ ସେବା କର (ଦ୍ବିତୀୟ ସଂଶୋଧନ) ବିଲ୍‌, ୨୦୨୪ରେ ଯେଉଁ ସଂଶୋଧନ ଅଣାଯାଇଛି ତାହା ଜିଏସ୍‌ଟି କାଉନସିଲ୍‌ର ସୁପାରିସ ଅନୁଯାୟୀ ହୋଇଛି। କେନ୍ଦ୍ର ସରକାର ଏକ୍ସଟ୍ରା ନିଉଟ୍ରାଲ ଆଲକହଲ୍, ରେକ୍ଟିଫାଏଡ୍‌ ସ୍ପିରିଟକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବାକୁ ଚାହୁଁଥିଲେ। ହେଲେ ବିଭିନ୍ନ ରାଜ୍ୟ ଏହାକୁ ବିରୋଧ କରିଥିଲେ। ସମସ୍ତ ରାଜ୍ୟଙ୍କ ଦାବି ଉପରେ ଏହି ନିଷ୍ପତ୍ତି ହୋଇଛି। ଏହା ଉପରେ ବହୁ ତର୍ଜମା ହୋଇଛି। ସଂଘୀୟ ବ୍ୟବସ୍ଥା ଅନୁଯାୟୀ ଆମେ କିଛି ପରିବର୍ତ୍ତନ କରିପାରିବାନି। ପଞ୍ଜାବ, କେରଳ ଭଳି ସରକାର ଏହାକୁ ଲାଗୁ କରିସାରିଲେଣି। ମହାରାଷ୍ଟ୍ର, ଗୁଜୁରାଟ, ମଣିପୁର, ବିହାର ଭଳି ଓଡ଼ିଶା ଅଧ୍ୟାଦେଶ ଜାରି କରି ଏହାକୁ ଲାଗୁ କରିଛି। ଏହି ବିଲ୍ ପାରିତ କରିବାକୁ ସମୟ ଅବଧି ଭାବେ ନିର୍ଦ୍ଦିଷ୍ଟ ଭାବେ ଥିବାରୁ ଆମେ ଏହାକୁ ଆଜି ପାରିତ କରୁଛୁ। ସେହିପରି କ୍ଷୀର, ଚୁଡ଼ା, ମୁଢ଼ି, ଗୁଡ଼ ଆଦି ସାମଗ୍ରୀ ଖୋଲା ବଜାରରେ ବିକ୍ରି ହେଉଥିବାବେଳେ ଏହା ଉପରେ ଜିଏସ୍‌ଟି ଲାଗୁନି। ଯାହା ମଲ୍‌ ଏବଂ ବଡ଼ ଦୋକାନଗୁଡ଼ିକରେ ବିକ୍ରି ହେଉଛି ସେଠାରେ ଲାଗୁଛି। ବିରୋଧୀ ଦଳଗୁଡ଼ିକ ଖାଲି ବିରୋଧ କରିବା ଦରକାର ବୋଲି ଏହାକୁ ବିରୋଧ କରୁଛନ୍ତି। ସେହିପରି ଆଜି ପାରିତ ହେବାକୁ ଥିବା ଓଡ଼ିଶା ସାର୍ବଜନୀନ ପରୀକ୍ଷା (ଅନୁଚିତ ସାଧନର ନିବାରଣ) ବିଲ୍‌, ୨୦୨୪କୁ ବାଚସ୍ପତି ଅନ୍ୟ ଏକ କାର୍ଯ୍ୟ ଦିବସକୁ ସ୍ଥାନାନ୍ତର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe