ସବୁ ପରିବାରକୁ ଏଲ୍‌ଇଡି ବଲ୍‌ବ୍ ମାଗଣା : ୬ ମାସ ଭିତରେ ବଣ୍ଟା ହେବ

Advertisment
ସବୁ ପରିବାରକୁ ଏଲ୍‌ଇଡି ବଲ୍‌ବ୍ ମାଗଣା : ୬ ମାସ ଭିତରେ ବଣ୍ଟା ହେବ

ଭୁବନେଶ୍ବର : କେନ୍ଦ୍ର ସରକାର ରିହାତି ଦରରେ ଏଲ୍‌ଇଡି ବଲ୍‌ବ୍‌ ବାଣ୍ଟିଲା ପରେ ଏବେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣାରେ ବାଣ୍ଟିବାକୁ ଅଣ୍ଟା ଭିଡ଼ିଛନ୍ତି। ଗୋଟିଏ ଫେଜ୍ ବିଦ୍ୟୁତ ସଂଯୋଗ ନେଇଥିବା ପ୍ରତିଟି ପରିବାରକୁ ୪ଟି ଲେଖାଏ ବଲ୍‌ବ୍‌ ଦିଆଯିବ। ପାଖାପାଖି ୯୬ ଲକ୍ଷ ପରିବାର ବଲ୍‌ବ୍‌ ପାଇବେ। ଏଥି ପାଇଁ ରାଜ୍ୟ ସରକାର ୨୩୭ କୋଟି ଟଙ୍କା ଖର୍ଚ୍ଚ କରିବେ। ‘ଆମ ଘରେ ଏଲ୍‌ଇଡି ଲାଇଟ୍’ ନାମରେ ଏହି ଯୋଜନା କାର୍ଯ୍ୟକାରୀ ହେବ।

ଯୋଜନାକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ନେଇଥିବା ଓପିଟିସିଏଲ୍ ପକ୍ଷରୁ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯୋଜନାର ମଞ୍ଜୁରି ପାଇଁ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଲା ପରେ ଓପିଟିସିଏଲ୍ ପକ୍ଷରୁ ଏନର୍ଜି ଏଫିସିଏନ୍‌ସି ସର୍ଭିସ୍ ଲିମିଟେଡ୍ ପକ୍ଷରୁ ଟେଣ୍ଡର୍ ଡକାଯାଇ ୯ ୱାଟ୍‌ର ୩.୮୪ କୋଟି ଏଲ୍ଇଡି ବଲ୍‌ବ୍‌ କିଣାଯିବ। ପ୍ରଥମେ ଏହି ଯୋଜନା ପାଇଁ୨୪୮ କୋଟି ଟଙ୍କା ରଖାଯାଇଥିଲା। ପରେ ଏହାକୁ ସଂଶୋଧନ କରାଯାଇ୨୩୭ କୋଟି ଟଙ୍କା ରଖାଯାଇଛି। ଏହି ବଲ୍‌ବ୍‌ ଲଗାଇବା ଦ୍ବାରା ବିଜୁଳି
ଖର୍ଚ୍ଚ କମିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ଉଭୟ ଉପଭୋକ୍ତା ଓ ସରକାର ଲାଭବାନ ହେବେ। ପିଡିଏସ୍ ବ୍ୟବସ୍ଥାରେ ଏହାରୁ ବିତରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଯେହେତୁ ୬ ମାସ ଭିତରେ ବଲ୍‌ବ୍‌ ବଣ୍ଟା ଶେଷ କରିବାକୁ ଯୋଜନା ହୋଇଛି, ତେଣୁ ସମ୍ଭବତଃ ମାସକ ଭିତରେ ବଲ୍‌ବ୍‌ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ ହୋଇପାରେ। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ତାହା ପୂର୍ବରୁ ପ୍ରକ୍ରିୟା ଶେଷ ହେବ।

ଗତ ବର୍ଷ କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ରିହାତି ଦରରେ ଏଲ୍‌ଇଡି ବଲ୍‌ବ୍‌ ଯୋଗାଇଥିଲେ। ଶକ୍ତି ବିଭାଗ ଅଧୀନସ୍ଥ ବିଭିନ୍ନ ବିତରଣ କମ୍ପାନିର କାର୍ଯ୍ୟାଳୟରେ ଏହା ଉପଲବ୍ଧ ହେଉଥିଲା। ଉଜ୍ଜଳା ଯୋଜନାରେ ରାଜ୍ୟରେ ପ୍ର‌ାୟ ୧ କୋଟି ୪୦ ଲକ୍ଷ ବଲ୍‌ବ୍‌ ବିକ୍ରି ହୋଇଥିଲା। କେନ୍ଦ୍ର ସରକାରଙ୍କ ରିହାତି ଦରର ବଲ୍‌ବ୍‌ ପରେ ରାଜ୍ୟ ସରକାରଙ୍କ ମାଗଣା ବଲ୍‌ବ୍‌କୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe