ମୁରୁଜରେ ଅବିକଳ ରାଜ୍ୟପାଳ

Advertisment
ମୁରୁଜରେ ଅବିକଳ ରାଜ୍ୟପାଳ

ଭୁବନେଶ୍ବର : ଆପଣ ହୁଏତ କାନ୍‌ଭାସ ଉପରେ କାହାର ‌ଚେହେରାକୁ ଉତାରିବା ଦେଖିଥିବେ। ମାତ୍ର ମୁରୁଜରେ ଯେ ଜଣଙ୍କୁ ଏତେ ଅବିକଳ ଭାବେ ଚଟାଣରେ ଚିତ୍ରିତ କରାଯାଇପାରେ, ତାହାର ନିଦର୍ଶନ ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପରିସରରେ ସମସ୍ତଙ୍କୁ ଚକିତ କରିଦେଇଥିଲା। ଯେ କେହି ବି ବିଶ୍ବବିଦ୍ୟାଳୟକୁ ପ୍ରବେଶ କରୁଥିଲେ ମୁରୁଜରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅବିକଳ ପୋଟ୍ରେଟ୍‌ ବା ରଙ୍ଗିନ ଚିତ୍ର ଦେଖି ଚମତ୍କୃତ ହେଉଥିଲେ। ଏପରି ଏକ ନିଖୁଣ ସୃଜନର ରୂପକାର ବସନ୍ତ ପ୍ରଧାନଙ୍କ ରଙ୍ଗୋଲି କଳା ବିଶ୍ବବିଦ୍ୟାଳୟକୁ ପ୍ରବେଶ କରୁଥିବା ବ୍ୟକ୍ତିବିଶେଷଙ୍କୁ କ୍ଷଣେ ଅଟକାଇ ଦେବାକୁ ବାଧ୍ୟ କରୁଥିଲା।

ରାଜ୍ୟପାଳ ପ୍ରଫେସର ଲାଲ୍‌ ମଧ୍ୟ ନିଜର ଏହି ଚିତ୍ର ଦେଖି ବସନ୍ତଙ୍କୁ ଖୁବ୍‌ ସାବାସୀ ଦେଇଥିଲେ। ତେବେ ଏହି ମୁରୁଜ ଚିତ୍ରକୁ ଫୁଟାଇବା ପାଇଁ ତାଙ୍କୁ ଦୀର୍ଘ ସମୟ ବ୍ୟୟ କରିବା ସହ ଶ୍ରମ ଦେବାକୁ ପଡ଼ିଥିଲା। ଗତକାଲି ଦିନ ୧୨ଟାରୁ ଆଜି ଦିନ ୨ଟା ପର୍ଯ୍ୟନ୍ତ ସେ ଅବିଶ୍ରାନ୍ତ ଭାବେ ପରିଶ୍ରମ କରି ଏହି ଅବିକଳ ପୋଟ୍ରେଟ୍‌କୁ ଉତାରି ପାରିଥିଲେ। ଏଥିପାଇଁ ତାଙ୍କୁ ବିଭିନ୍ନ ରଙ୍ଗ ଫେଣ୍ଟାଫେଣ୍ଟି କରି ପ୍ରାୟ ୫୦ ରଙ୍ଗରେ ଏହା ପ୍ରସ୍ତୁତ କରିବାକୁ ପଡ଼ିଥିଲା। ଆଶ୍ଚର୍ଯ୍ୟ ଏହି ଯେ ଏଥିପାଇଁ ସେ କେବଳ ନିଜ ଆଙ୍ଗୁଳିର ସାହାରା ନେଇଥିଲେ। ବସନ୍ତ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରୁ ଗତବର୍ଷ ଚିତ୍ରକଳା ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ଚିତ୍ରକଳା ବିଭାଗର ଅଧ୍ୟାପକ ଚକ୍ରଧର ତାଙ୍କୁ ଏହି ମୁରୁଜ ଚିତ୍ର ପାଇଁ ଡକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe