ସରକାରଙ୍କ ବାତ୍ୟା ପରବର୍ତୀ ଥଇଥାନ ଯୋଜନା ନାହିଁ

ତିତ୍‌ଲି ଓ ପରବର୍ତୀ ବର୍ଷା, ବନ୍ୟା ‌ମୁକାବିଲା : ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ କଂଗ୍ରେସ ପ୍ରଭାରୀ, ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ତୁରନ୍ତ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରନ୍ତୁ

ସରକାରଙ୍କ ବାତ୍ୟା ପରବର୍ତୀ ଥଇଥାନ ଯୋଜନା ନାହିଁ

ଭୁବନେଶ୍ବର : ଭୟଙ୍କର ଝଡବାତ୍ୟା ‘ତିତଲି’ ଏବଂ ପରର୍ବତୀ ବର୍ଷା ଓ ବନ୍ୟାର ମୁକାବିଲା କରିବାରେ ନବୀନ ସରକାର ସଂପୂର୍ଣ୍ଣ ବିଫଳ। ଗୋଟିଏ ହେଲେ ଜୀବନହାନି ନ ଘଟାଇବାକୁ ସରକାର ଗଣମାଧୢମରେ କେବଳ ପ୍ରଚାର କରିଚାଲିଲେ। କିନ୍ତୁ ବାତ୍ୟା ପରବର୍ତୀ ସମୟରେ ନିଜ ଦାୟିତ୍ବ ଭୁଲିଗଲେ। ଫଳରେ ୭୦ରୁ ଅଧିକ ଲୋକଙ୍କ ଜୀବନହାନି ଘଟିଲା। କିନ୍ତୁ ସରକାରୀ ଏବେ ବି କହୁଛନ୍ତି ୬୧ଜଣଙ୍କର ମୃତ୍ୟୁ ଘଟିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବ ସତର୍କ ସୂଚନା ଆଧାରରେ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଥିଲେ ଏଭଳି ମୃତାହତ ଘଟଣାକୁ ରୋକାଯାଇପାରିଥାନ୍ତ‌ା ବୋଲି ଓଡ଼ିଶା ପ୍ରଦେଶ କ˚ଗ୍ରେସ ପ୍ରଭାରୀ ତଥା ଅଖିଳ ଭାରତ କ˚ଗ୍ରେସ କମିଟି ସମ୍ପାଦକ ଜିତେନ୍ଦ୍ର ସି˚ କହିଛନ୍ତି।

ଆଜି ଶ୍ରୀ ସିଂ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ବରେ ପ୍ରଦେଶ କଂଗ୍ରେସର ଏକ କମିଟି ଗଜପତି ଓ ଗଞ୍ଜାମର କିଛି ବାତ୍ୟା, ବନ୍ୟା ଓ ପ୍ରବଳ ବର୍ଷା ଦ୍ବାରା ପ୍ରଭ‌ାବିତ ଅଞ୍ଚଳଗୁଡ଼ିକୁ ଗସ୍ତ କରିଥିଲେ। ସନ୍ଧ୍ୟାରେ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ୧୨ ଦିନ ପରେ ବି ଅନେକ ପ୍ରଭାବିତ ଅଞ୍ଚଳରେ ରାସ୍ତାଗୁଡ଼ିକର ପୁନରୁଦ୍ଧାର ହୋଇପାରିନାହିଁ। ଏବେ ବି ବହୁସଂଖ୍ୟକ ବିପନ୍ନ ପିଇବାପାଣି ପାଉନାହାନ୍ତି। ଅନେକ ଅଞ୍ଚଳ ଅନ୍ଧାର। ବାତ୍ୟା ଓ ପରବର୍ତୀ ବନ୍ୟା ସଂଘଟିତ ହେବ ବୋଲି ସାରା ଦୁନିଆ ଜାଣିଥିଲା। କିନ୍ତୁ ପ୍ରଭାବିତ ଅଞ୍ଚଳରେ ସେ ଖବର ପହଞ୍ଚିଲାନି। ଯେଉଁ ସରକାର ସତର୍କ ସୂଚନା ଦେଇପାରିଲେନି, ସେଥିରୁ ତାଙ୍କର ଆଗୁଆ ପ୍ରସ୍ତୁତି କେତେ ଥିଲା ତାହା ଜାଣିହେଉଛି। ଜିରୋ କାଜୁଆଲିଟି ବା ଶୂନ ମୃତାହତ ଆଭିମୁଖ୍ୟ ପ୍ରଭାବିତ ଲୋକମାନଙ୍କ ପାଇଁ ପ୍ରତାରଣା। ଏଥିପାଇଁ ନବୀନ ସରକାର ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ମାଗିବା ଉଚିତ ବୋଲି ପ୍ରଭାରୀ ଶ୍ରୀ ସିଂ କହିଥିଲେ।

ବାତ୍ୟା, ବନ୍ୟା ଓ ବର୍ଷା ପ୍ରଭାବିତ ଅଞ୍ଚଳରେ କାଁ ଭାଁ ରିଲିଫ ଓ ପୁନର୍ବାସ କାର୍ଯ୍ୟ ଚାଲିଥିବା ଅଭିଯୋଗ କରି ଶ୍ରୀ ସିଂ କହିଲେ ଯେ କେଉଁଠି ଅଢ଼େଇ ଲିଟର କିରାସିନି ମିଳୁଛି ତ ଅନ୍ୟ କେଉଁଠି ମାତ୍ର ଏକ ଲିଟର କିରାସିନି ମିଳୁଛି। ସେହିଭଳି ଆର୍ଥିକ ସହାୟତା ବଣ୍ଟନରେ ଅନିୟମିତତା ହେଉଛି। ୧୨ ଦିନରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଆଗକୁ ଖାଦ୍ୟାଭାବରୁ ଅଧିକ ସଂଖ୍ୟକ ଲୋକଙ୍କ ପ୍ରାଣହାନି ଘଟିବାର ଆଶଙ୍କା ରହିଛି। ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ଯେଉଁମାନଙ୍କର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ସେ ଦାବି କରିଥିଲେ। ବିଡ଼ମ୍ବନାର ବିଷୟ ହେଉଛି ଯେ ରାଜ୍ୟ ସରକାରଙ୍କ ଥଇଥାନ ଯୋଜନା ନ ଥିବା ଭଳି ମନେ ହେଉଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ନାମ ଉଚ୍ଚାରଣ ନ କରି ସେ କହିଲେ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ତାଙ୍କ ପ୍ରଭାବ ବିସ୍ତାର କରି ଓଡ଼ିଶାର ପ୍ରଭାବିତ ଲୋକମାନଙ୍କ ପାଇଁ ତୁରନ୍ତ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାନ୍ତୁ।

ସେ କହିଛନ୍ତି ଯେ ରାଜ୍ୟ ସରକାର ଶୂନ୍‌ ମୃତ୍ୟୁ ପ୍ରଚାରକୁ ନେଇ ଏଭଳି ବିଭୋର ଥିଲେ ଯେ ୪ ଦିନ ପର୍ଯ୍ୟନ୍ତ ବାତ୍ୟା ଓ ବର୍ଷାଜନିତ ମୃତ୍ୟୁ ସ˚ଖ୍ୟା ସାଧାରଣରେ ପ୍ରକାଶ କଲେନାହିଁ। ତେବେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଥମେ ପ୍ରଭାବିତ ଅଞ୍ଚଳକୁ ଯାଇ ମୃତାହତଙ୍କ ସଂପର୍କରେ କ୍ଷେତ୍ରସ୍ତରୀୟ ବିବରଣୀ ଦେଇଥିଲେ। ଏହାକୁ ମାନିବାକୁ ବାଧ୍ୟ ହୋଇଥିଲେ ସରକାର। ସେହିପରି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଅନ୍ୟାନ୍ୟ କଂଗ୍ରେସ ନେତା ସେସବୁ ଅଞ୍ଚଳ ଗସ୍ତ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ।
ଦୁର୍ଗତମାନଙ୍କ ଦୁଃଖ ଦୁର୍ଦଶା ସଂପର୍କରେ ବର୍ଣ୍ଣନା କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ବାତ୍ୟା ମୁକାବିଲା କରି ଏହି ସରକାର ମିଳିତ ଜାତିସଂଘଠାରୁ ପୁରସ୍କୃତ ହୋଇଛି। କିନ୍ତୁ ଏଥର ବାତ୍ୟା ଆସିବାର ୧୨ ଦିନ ପରେ ବି ଯେପରି ଏହାକୁ ମୁକାବିଲା କରିବାରେ ଚରମ ବିଫଳ ହୋଇଛନ୍ତି ସେଥିପାଇଁ କି ପୁରସ୍କାର ପାଇବେ ବୋଲି ସେ ପଚାରିଥିଲେ। ପ୍ରଭାବିତ ଅଞ୍ଚଳରେ ବହୁସଂଖ୍ୟକ ବିପନ୍ନ ରିଲିଫ, ଟଙ୍କା, ଚାଉଳ ପାଇବାରୁ ବଞ୍ଚିତ। ସେମାନଙ୍କ ପାଇଁ ବଣ୍ଟନ କରାଯାଉଥିବା ଟଙ୍କା, ଚାଉଳ ଆଦି କୁଆଡ଼େ ଯାଉଛି ବୋଲି ସେ ମଧ୍ୟ ପଚାରିଥିଲେ। ଏହି ସାମ୍ବାଦିକ ସମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ଯୁଗ୍ମ ସ˚ପାଦକ ଅନିଲ୍‌ ଚୌଧୁରୀ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe