୩ ଘରୋଇ ଡାକ୍ତରଖାନା ସହ ରାଜିନାମା

Advertisment
୩ ଘରୋଇ ଡାକ୍ତରଖାନା ସହ ରାଜିନାମା

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ବା ଓଏସ୍‌ଟିଏଫ୍ ଯୋଜନାରେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଉ ୩ଟି ଘରୋଇ ଡାକ୍ତରଖାନା ସହ ରାଜିନାମା ସ୍ବାକ୍ଷର କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ଉପସ୍ଥିତିରେ ବିଭାଗ ପକ୍ଷରୁ ଡିଏମ୍‌ଇଟି ଡା. ସୋନାମାଲି ବାଗ୍ ରାଜିନାମାରେ ସ୍ବାକ୍ଷର କରିଥିଲେ। ଫଳରେ ରାଜ୍ୟରେ ଓଏସ୍‌ଟିଏଫ୍ ଯୋଜନାରେ ଘରୋଇ ଡାକ୍ତରଖାନା ସଂଖ୍ୟା ୨୦ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ବିଭାଗ ସହିତ ରାଜିନାମା ସ୍ବାକ୍ଷର କରିଥିବା ଡାକ୍ତରଖାନାଗୁଡ଼ିକ ହେଲା ବିଜୟନଗରମସ୍ଥିତ ତିରୁମାଲା ହସ୍ପିଟାଲ ସୁପର ସ୍ପେସାଲିଷ୍ଟ ଏଣ୍ଡ ଲାପ୍ରାସ୍କୋପିକ ପ୍ରତିଷ୍ଠାନ, ଜିଏଚ୍‌ଏସ୍‌ପିଏଲ ଜୟପୁର ହେଲ୍‌ପ କେୟାର ଏଲଏଲପି ଏବଂ ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଥିବା ଟାଟା ମେଡିକାଲ ହସ୍ପିଟାଲ। ତିରୁମାଲା ହସ୍ପିଟାଲ ପକ୍ଷରୁ କେ.ଏମ୍‌ ରାଓ, ଜିଏସ୍‌ପିଏଲର ସଂଗ୍ରାମ କୁମାର ‌ବେହେରା ଓ ଟାଟା ମେଡିକାଲ ପକ୍ଷରୁ ଭି. ପଦ୍ମରାଓ ଏହି ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜିନାମା କାର୍ଯ୍ୟକ୍ରମରେ ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ସ୍ବତନ୍ତ୍ର ସଚିବ ଡା. ବି.କେ ବ୍ରହ୍ମା, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ଏଚ୍ ପଟ୍ଟନାୟକ, ଜନସ୍ବାସ୍ଥ୍ୟ ନିର୍ଦେଶକ, ଅତିରିକ୍ତ ଶାସନ ସଚିବଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe