‘ଇନ୍‌କ୍ୟୁବେଟର’ ପାଇଁ ବୁଝାମଣାପତ୍ର

ଆଇଆଇଟିରେ ‘ଭାର୍‌ ଉତ୍କର୍ଷ କେନ୍ଦ୍ର’ ମାଇଲ୍‌ଖୁଣ୍ଟ: ମୁଖ୍ୟମନ୍ତ୍ରୀ

‘ଇନ୍‌କ୍ୟୁବେଟର’ ପାଇଁ ବୁଝାମଣାପତ୍ର

ଭୁବନେଶ୍ୱର : ଆଜି ଆଇଆଇଟି, ଭୁବନେଶ୍ୱରରେ ଭର୍‌ଚୁଆଲ୍‌ ଆଣ୍ଡ ଅଗ୍‌ମେଣ୍ଟେଡ୍‌ (ଭାର୍‌) ଉତ୍କର୍ଷ କେନ୍ଦ୍ର ବା ସେଣ୍ଟର ଫର୍‌ ଏକ୍ସସେଲେନ୍ସ ନାମକ ଏକ ଇନ୍‌କ୍ୟୁବେଟର ସ୍ଥାପନ ପାଇଁ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ଗବେଷଣା, ବୈଷୟିକ ଜ୍ଞାନକୌଶଳ, ଇନ୍‌କ୍ୟୁବେସନ୍‌ ଏବଂ ଉତ୍ପାଦ ବିକାଶ କ୍ଷେତ୍ରରେ ଏ ଧରଣର ଇନ୍‌କ୍ୟୁବେଟର ଦେଶରେ ଏକ ମାଇଲ୍‌ଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ, କେନ୍ଦ୍ର ସରକାରଙ୍କ ସଫ୍ଟେଓ୍ଵର ପାର୍କ ଅଫ୍‌ ଇଣ୍ଡିଆ(ଏସ୍‌ଟିପିଆଇ), ପ୍ରଖ୍ୟାତ ଓଡ଼ିଆ ଲେଖିକା ତଥା ସମାଜସେବୀ ସୁସ୍ମିତା ବାଗ୍‌ଚୀ ଏବଂ ଆଇଆଇଟି, ଭୁବନେଶ୍ୱର ମଧ୍ୟରେ ଆଇଆଇଟି ପରିସରରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏଭଳି ପ୍ରତିଷ୍ଠାନ ରାଜ୍ୟରେ ଷ୍ଟାର୍ଟ-ଅପ୍‌ ଏବଂ ନୂଆ ପୀଢ଼ିର ଉଦ୍ୟୋଗୀମାନଙ୍କ ଆବଶ୍ୟକତାକୁ ମେଣ୍ଟାଇପାରିବ। ବିଶେଷ କରି ସୁସ୍ମିତା ବାଗ୍‌ଚୀଙ୍କ ୨.୫ କୋଟି ଟଙ୍କାର ଅବଦାନ ଏହି ଇନ୍‌କ୍ୟୁବେଟର୍‌ ସ୍ଥାପନକୁ ଆଉ ପାଦେ ଆଗେଇ ନେଇଥିବା ଉପସ୍ଥିତ ଅତିଥିମାନେ ଅକୁଣ୍ଠ ଚିତ୍ତରେ କହିଥିଲେ। ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ ଯେ ରାଜ୍ୟ ସରକାର ୨୦୨୦ ସୁଦ୍ଧା ଏକ ହଜାର ସଂଖ୍ୟକ ଷ୍ଟାର୍ଟ-ଅପ୍‌ ସ୍ଥାପନ ନିମନ୍ତେ ଅଙ୍ଗୀକାରବଦ୍ଧ।

ଭୁବନେଶ୍ୱର ଆଇଆଇଟି ନିର୍ଦେଶକ ପ୍ରଫେସର ଆର.ଭି. ରାଜକୁମାର କହିଥିଲେ, ପ୍ରତିଭାବାନ୍‌ ପ୍ରଫେସର, ଛାତ୍ରଛାତ୍ରୀଙ୍କୁ ଗବେଷଣା ପାଇଁ ଏଭଳି ପ୍ରତିଷ୍ଠାନ ପ୍ରୋତ୍ସାହିତ କରିବ। ଏସ୍‌ଟିପିଆଇ ମହାନିର୍ଦେଶକ ଓମ୍‌କାର ରାଏ ଷ୍ଟାର୍ଟ-ଅପ୍‌ଙ୍କୁ ସଶକ୍ତୀକରଣ କରିବା ଦିଗରେ ଏସ୍‌ଟିପିଆଇ, ଆଇଆଇଟି ସହିତ ମିଳିତ ଭାବେ କାର୍ଯ୍ୟ କରିବ। ଶିଳ୍ପ ଏବଂ ସମାଜର ବିକାଶ ପାଇଁ ଏଭଳି ପ୍ରତିଷ୍ଠାନ ବ୍ରତୀ ହେବ ବୋଲି ଆଶାପ୍ରକାଶ କରିଥିଲେ ସୁସ୍ମିତା ବାଗ୍‌ଚୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe