ହବିଷ୍ୟାଳିଙ୍କ ପାଇଁ ହେବ ୭ ମହଲା କୋଠା

Advertisment
ହବିଷ୍ୟାଳିଙ୍କ ପାଇଁ ହେବ ୭ ମହଲା କୋଠା

ଭୁବନେଶ୍ୱର : ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାର ପୁଣି ଦରଦ ଦେଖାଇଛନ୍ତି। ଗତ ବର୍ଷ ‘କାର୍ତ୍ତିକ ହବିଷ ବ୍ରତ ଯୋଜନା’ ଆରମ୍ଭ କରି ଦୁଇ ହଜାର ହବିଷ୍ୟାଳିଙ୍କୁ ମାଗଣା ରହିବା ଓ ଖାଇବା ବନ୍ଦୋବସ୍ତ କରିଥିଲେ। ଏ ବର୍ଷ ତିନି ହଜାର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏବେ ସରକାର ଆଉ ପାଦେ ଆଗକୁ ଯାଇ ହବିଷ୍ୟାଳିଙ୍କ ପାଇଁ ପୁରୀରେ ଏକ ସ୍ୱତନ୍ତ୍ର ସାତ ମହଲା ବିଶିଷ୍ଟ କୋଠା ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜି ସଚିବାଳୟରେ ଏକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ କୋଠାର ଭିତ୍ତିପ୍ରସ୍ତର ଦେଇଥିଲେ।

ନରେନ୍ଦ୍ର କୋଠାରେ ଏହି କୋଠା ନିର୍ମାଣ ହେବ। ଏଥିରେ ଖର୍ଚ୍ଚ ହେବ ୩୯ କୋଟି ଟଙ୍କା। ଏକ ସମୟରେ ୨୦୦୦ ହବିଷ୍ୟାଳି ଏଠାରେ ରହିପାରିବେ। ଏହି ନୂଆ କୋଠାର ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପୁରୀରେ କାର୍ତ୍ତିକ ମାସରେ ବ୍ରତ କରିବାକୁ ଯାଉଥିବା ହଜାର ହଜାର ହବିଷ୍ୟାଳୀ ଏହା ଦ୍ୱାର ଉପକୃତ ହେବେ ବୋଲି ସେ ଆଶାପ୍ରକଟ କରିଛନ୍ତି। ସରକାର ହବିଷ୍ୟାଳୀମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି, ସେସବୁର
ସୁଯୋଗ ନେଇ କାର୍ତ୍ତିକ ବ୍ରତ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଦୂର ଜାଗାଗୁଡ଼ିକରେ ଥିବା ହବିଷ୍ୟାଳୀମାନେ ଯେପରି ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ସେ ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସଚିବାଳୟରେ ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲା ବେଳେ ପୁରୀରେ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ସତ୍ୟବାଦୀ ବିଧାୟକ ଉମାବଲ୍ଲଭ ସାମନ୍ତରାୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe