ବାତ୍ୟା ଭୟ ଟଳିଲା: ବାଂଲାଦେଶ ଓ ମିଆଁମାର ଉପକୂଳରେ ମାଡ଼ ହେବ

Advertisment

୧୪ ତାରିଖ ପୂର୍ବାହ୍ନରେ ସ୍ଥଳଭାଗ ଛୁଇଁବ, ଜାରି ରହିବ ଗ୍ରୀଷ୍ମ ପ୍ରବାହ, ଝାରସୁଗୁଡ଼ା ତତଲା

୧୪ ତାରିଖ ପୂର୍ବାହ୍ନରେ ସ୍ଥଳଭାଗ ଛୁଇଁବ, ଜାରି ରହିବ ଗ୍ରୀଷ୍ମ ପ୍ରବାହ, ଝାରସୁଗୁଡ଼ା ତତଲା

ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଅଗ୍ରସର ହେଉଛି ବାତ୍ୟା ‘ମିଗଜୋମ’  

ଭୁବନେଶ୍ବର : ଓଡ଼ିଶା ସମେତ ପୂର୍ବ ଭାରତ ଉପକୂଳରୁ ଟଳିଲା ବାତ୍ୟା ଭୟ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଆଜି ସକାଳେ ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୮.୮ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୮୮.୯ ଡିଗ୍ରି ପୂର୍ବ ଦ୍ରାଘିମା ନିକଟସ୍ଥ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଥିଲା। ପୂର୍ବାହ୍ନରେ ଏହା ଦକ୍ଷିଣ ପୂର୍ବ ଦିଗରେ ପୋର୍ଟ-ବ୍ଲେୟାରଠାରୁ ୫୩୦ କିମି, କକ୍ସ ବଜାର(ବାଂଲାଦେଶ)ଠାରୁ ଦକ୍ଷିଣ ଦିଗରେ ୧୪୩୦ କିମି ଏବଂ ସିଟ୍‌ ୱେ(ମିଆଁମାର)ଠାରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ୧୩୨୦ କିମି ଦୂରରେ ଥିଲା। ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାତିରେ ଏହି ଗଭୀର ଅବପାତ ସମାନ ଅଞ୍ଚଳରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟା (ମୋଚା)ରେ ପରିଣତ ହେବାର ସମ୍ଭାବନା ରହିଛି।

ପରବର୍ତ୍ତୀ ସମୟରେ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୧୧ ତାରିଖ ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ ହେବ। ଆହୁରି ତୀବ୍ର ହୋଇ ୧୧ ତାରିଖ ମଧ୍ୟରାତ୍ର ସୁଦ୍ଧା ଦକ୍ଷିଣ-ପୂର୍ବ ଓ ତତ୍‌ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅତି ଭୀଷଣ ବାତ୍ୟାର ପରିଣତ ହେବାର ସମ୍ଭାବନା ରହିଛି। ପରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ୧୨ ତାରିଖ ସକାଳ ସମୟରୁ ଗତି କରିବାର ସମ୍ଭାବନା ରହିଛି। ମେ’ ୧୩ ତାରିଖ ସନ୍ଧ୍ୟାଠାରୁ ସାମାନ୍ୟ ଦୁର୍ବଳ ହୋଇ ପବନ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ଏବଂ ସ୍ଥଳ ବିଶେଷରେ ସର୍ବାଧିକ ୧୩୦ କିମି ସହ ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାର ଉପକୂଳ ମୁହାଁ ହେବ। ମେ’ ୧୪ ପୂର୍ବାହ୍ନରେ ଏହା କକ୍ସ ବଜାର ଏବଂ କାୟୁକପିୟୁ(ମିଆଁମାର) ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦରଗୁଡ଼ିକ ପାଇଁ ଇତିମଧ୍ୟରେ ୧ ନମ୍ବର ବିପଦସଙ୍କେତ ଜାରି ହୋଇଛି।

ଅନ୍ୟପକ୍ଷରେ ସାରା ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସହର ସ‌ମେତ ରାଜ୍ୟର ମୋଟ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଉପକୂଳରେ ତାପମାତ୍ରା କମ୍‌ ରହିଥିଲେ ମଧ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ଝାରସୁଗୁଡ଼ା ଉପନିର୍ବାଚନ ତାତିକୁ ବଳି ଯାଇଛି ଗ୍ରୀଷ୍ମର ତାତି। ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ସମ୍ବଲପୁରରେ ୪୨.୬, ବୌଦ୍ଧରେ ୪୨.୪, ତାଳଚେରରେ ୪୨.୨, ଅନୁଗୁଳରେ ୪୨.୧, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୪୨, ହୀରାକୁଦରେ ୪୧.୯, ରାଉରକେଲାରେ ୪୧.୮, ବରଗଡ଼ରେ ୪୧, ସୋନପୁରରେ ୪୦.୮, ବାରିପଦାରେ ୪୦.୬, ଟିଟିଲାଗଡ଼ରେ ୪୦.୫, ନୟାଗଡ଼ରେ ୪୦.୨, ମାଲକାନଗିରିରେ ୪୦ ଡିଗ୍ରି ରହିଥିଲା। ଭୁବନେଶ୍ବରରେ ତାପମାତ୍ରା ୩୮.୬ ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରି ଆଖପାଖରେ ରହିବ। ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସହରର ତାପମାତ୍ରା ୫ ଦିନ ଯାଏ ୪୦ ଡିଗ୍ରି ଉପରେ ରହିବା ସହ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା ଦୁଇ ଦିନ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe