ଓଡ଼ିଶାର ସ୍ବାସ୍ଥ୍ୟକାର୍ଡ, ଲାଭ ପାଉଛି ଛତିଶଗଡ଼: ଗାଁ ଗାଁରେ ପଶୁଛନ୍ତି ନର୍ସିଂହୋମ୍‌ ଦଲାଲ

Advertisment

ଗାଡ଼ିରେ ବୋହି ନେଉଛନ୍ତି ରୋଗୀ, ଅକାରଣେ ଚାଲିଛି ଅସ୍ତ୍ରୋପଚାର

ଗାଡ଼ିରେ ବୋହି ନେଉଛନ୍ତି ରୋଗୀ, ଅକାରଣେ ଚାଲିଛି ଅସ୍ତ୍ରୋପଚାର

ଓଡ଼ିଶାର ସ୍ବାସ୍ଥ୍ୟକାର୍ଡ, ଲାଭ ପାଉଛି ଛତିଶଗଡ଼: ଗାଁ ଗାଁରେ ପଶୁଛନ୍ତି ନର୍ସିଂହୋମ୍‌ ଦଲାଲ

ବରଗଡ଼: ଓଡ଼ିଶା‌ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ଭରପୁର ଲାଭ ଉଠାଉଛି ଛତିଶଗଡ଼।  ସ୍ଥିତି ଏଭଳି ଯେ, ଓଡ଼ିଶାର ନିରୀହ ସରଳ ଲୋକଙ୍କ ଠାରୁ ଛତିଶଗଡ଼ରେ କିଛି ନର୍ସିଂହୋମ୍ ମାସିକ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ଛତିଶଗଡ଼ ସୀମାନ୍ତରେ ଥିବା କିଛି ଗାଁରୁ ‘ସମ୍ବାଦ’କୁ ଏ ନେଇ ଠୋସ୍‌ ତଥ୍ୟ ବି ମିଳିଛି।

ତଥ୍ୟ ଅନୁସାରେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଛତିଶଗଡ଼ର ୧୧ଟି ଘରୋଇ ହସ୍ପିଟାଲ ତଥା ନର୍ସିଂହୋମ୍‌ ଅନୁବନ୍ଧିତ ରହିଛି। ସେଠାକାର ନର୍ସିଂହୋମ୍‌ ଏବଂ ଘରୋଇ ହସ୍ପିଟାଲର ଦଲାଲମାନେ ସୀମାନ୍ତ ବ୍ଲକ୍‌ଗୁଡ଼ିକୁ ଆଖି ପକାଇଛନ୍ତି। ଗାଡ଼ି ନେଇ ସେମାନେ ଗାଁ ଗାଁକୁ ପଶୁଛନ୍ତି। ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଥିବା ଲୋକଙ୍କୁ ଠାବ କରୁଛନ୍ତି। ସେମାନଙ୍କୁ ଭୁତାଇ ଛତିଶଗଡ଼ ନେଇ ଯାଉଛନ୍ତି। ରୋଗୀର ସାମାନ୍ୟ ଜ୍ବର କି ମୁଣ୍ଡବିନ୍ଧା ଥିଲେ ବି ତାକୁ ଜବରଦସ୍ତି ନର୍ସିଂହୋମ୍‌ରେ ଭର୍ତି କରାଯାଉଛି। ବିଭିନ୍ନ ପରୀକ୍ଷା ବାହାନାରେ ଗୋଟିଏ ଦୁଇଦିନ ସେଠାରେ ରଖାଯାଉଛି। ମନଇଚ୍ଛା ଔଷଧ ଦିଆଯାଉଛି। ଏହାପରେ ରୋଗୀକୁ ଡିସ୍‌ଚାର୍ଜ କରିବା ବେଳେ ମୋଟା ଅଙ୍କର ବିଲ୍‌ ଦେଇ ଓଡ଼ିଶା ସରକାରଙ୍କୁ ଭୁଆଁ ବୁଲାଇ ସେସବୁ ଆଦାୟ ଚାଲିଛି। ବର୍ତମାନ ବରଗଡ଼ ଜିଲ୍ଲାର ପ୍ରାୟତଃ ସବୁ ସୀମାନ୍ତ ବ୍ଲକ୍‌ରେ ଛତିଶଗଡ଼ର ଦଲାଲମାନେ ଏହି କାରବାର ଚଳାଉଛନ୍ତି। ପ୍ରତିଦିନ ଛତିଶଗଡ଼ରୁ ଗାଡ଼ି ଆସି କୌଣସି ନା କୌଣସି ଗାଁରେ ଲାଗୁଛି ଏବଂ ରୋଗୀଙ୍କୁ ବୋହି ନେଉଛି।

ସୀମାନ୍ତ ଗାଁର ଛତିଶଗଡ଼ ଫେରନ୍ତା କିଛି ରୋଗୀ ଏନେଇ ‘ସମ୍ବାଦ’କୁ ମତାମତ ବି ଦେଇଛନ୍ତି। ଜଣେ ମହିଳା ରୋଗୀଙ୍କ ପେଟରେ ସାମାନ୍ୟ ଯନ୍ତ୍ରଣା ହେଉଥିଲା। ସ୍ଥାନୀୟ ଔଷଧ ଦୋକାନରୁ ଔଷଧ ଖାଇବା ପରେ ଯନ୍ତ୍ରଣା ୮୦ ପ୍ରତିଶତ କମିଥିଲା। ଦୁଇ ସପ୍ତାହ ତଳେ ଛତିଶଗଡ଼ର ଗୋଟିଏ ନର୍ସିଂହୋମ୍‌ର ଗାଡ଼ି ଉକ୍ତ ଗାଁରେ ଲାଗିଥିଲା। ତାଙ୍କୁ ପଚରାଉଚରା କରି ଛତିଶଗଡ଼ ନିଆଯାଇଥିଲା। ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଥିବାରୁ ଖର୍ଚ୍ଚ କଥା ଚିନ୍ତା ନକରିବାକୁ ରୋଗୀଙ୍କୁ କର୍ମଚାରୀମାନେ ପ୍ରବର୍ତାଇଥିଲେ। ଏହାପରେ ତାଙ୍କ ପେଟର ଅସ୍ତ୍ରୋପଚାର ବି ହେଲା। କିନ୍ତୁ କ’ଣ ପାଇଁ ଅସ୍ତ୍ରୋପଚାର କରାଗଲା, ତାହା ରୋଗୀ କିମ୍ବା ପରିଜନଙ୍କୁ ବି ଜଣାନାହିଁ। ଛତିଶଗଡ଼ର ଦଲାଲମାନଙ୍କ କାରନାମା ଏତିକିରେ ସରି ନାହିଁ। ସେମାନେ ସ୍ଥାନୀୟ ଅଂଚଳର କିଛି ଯୁବକମାନଙ୍କୁ ଏଜେଣ୍ଟ ଭାବେ ରଖିଛନ୍ତି। ଉକ୍ତ ଏଜେଣ୍ଟମାନେ ରୋଗୀଙ୍କୁ ଛତିଶଗଡ଼ ଯାଇ ଚିକିତ୍ସା କରିବାକୁ ଚାପ ପକାଉଥିବା ଜଣାପଡ଼ିଛି। କେବଳ ବରଗଡ଼ ଜିଲ୍ଲା ନୁହେଁ, ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଛତିଶଗଡ଼ର ଦଲାଲମାନେ ଏଭଳି ନେଟ୍‌ୱର୍କ ଖେଳାଇ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe