Odisha Sun Times
କଟକ : ଲକ୍ଡାଉନ ସମୟରେ କୋର୍ଟ କାର୍ଯ୍ୟ କରିବା ପାଇଁ ଯାଉଥିବା ଆଇନଜୀବୀ, ମୋହରିର ଓ ଅନ୍ୟମାନଙ୍କୁ ରାସ୍ତାରେ ଗାଡ଼ି ନେଇ ଯିବାଆସିବା କରିବାକୁ ଅନୁମତି ପ୍ରଦାନ ପ୍ରସଂଗକୁ ନେଇ ଦାୟର ମାମାଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସ.କେ.ମିଶ୍ର ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମସଂପାଦକ ଦିଲ୍ଲୀପ କୁମାର ରାୟଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ହୋଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିପୂର୍ବରୁ ଏହି ପ୍ରସଂଗରେ ପକ୍ଷ ରଖିବାକୁ ଖଣ୍ଡପୀଠ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାରେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଡାଉନ ଅବଧି ବୃଦ୍ଧି କରାଯାଇଥିବା ବେଳେ ହାଇକୋର୍ଟ ଓ ନିମ୍ନ ଅଦାଲତଙ୍କ କାର୍ଯ୍ୟ ସମୟ ନେଇ ଏପ୍ରିଲ ୧୫ରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମିତ ବ୍ୟବଧାନରେ ହାଇକୋର୍ଟରେ ଖଣ୍ଡପୀଠ ବସି ମାମଲା ଶୁଣାଣି କରିବେ। ଏପ୍ରିଲ ୧୭, ୨୦, ୨୨, ୨୪, ୨୯ ଓ ମେ ୧ରେ ଖଣ୍ଡପୀଠ ବସିବେ। ଲକ୍ଡାଉନ ସମୟରେ ସବୁ କାର୍ଯ୍ୟ ଦିବସରେ ହାଇକୋର୍ଟ ଫାଇଲିଂ କାଉଣ୍ଟର ଦିନ ୧୦ଟା ୩୦ରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସେହିଭଳି ଭାବେ ନିମ୍ନ ଅଦାଲତ ଗୁଡିକ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେଠାରେ କୋର୍ଟ ଓ ଏହାର କାର୍ଯ୍ୟାଳୟ ଦିନ ୯ଟାରୁ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ନାହିଁ ସେଠାରେ କୋର୍ଟ ଓ କୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏପ୍ରିଲ ୧୫ର ବିଜ୍ଞପ୍ତି ପରେ ଆଇନଜୀବୀ, ନୋଟାରି, ମୋହରିର, ଷ୍ଟାମ୍ପ ଭେଣ୍ଡରଙ୍କୁ କାର୍ଯ୍ୟ କରିବାକୁ ଅଦାଲତ ଯିବାକୁ ଅନୁମତି ପ୍ରଦାନ କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ, ଲକ୍ଡାଉନ ସମୟରେ କେବଳ ଅଦାଲତ କାର୍ଯ୍ୟ ପାଇଁ ଯାଉଥିବା ଆଇନଜୀବୀ ଓ ଅନ୍ୟମାନଙ୍କୁ ଗାଡି ଧରି ଯିବା ପାଇଁ ଅନୁମତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ମାମଲାରେ ରାଜ୍ୟ ଗୃହ ବିଭାଗ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।
Follow Us