ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି : ନଭେମ୍ବର ୨୦ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂରେ ମାମଲା ଶୁଣାଣି

ଅକ୍ଟୋବର ମାସରେ ଶନିବାର ଅଦାଲତ ବନ୍ଦ ରହିବ

ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ କ୍ଷେତ୍ରରେ କ୍ଷତିପୂରଣ ପ୍ରସଂଗ : ସରକାରଙ୍କ ସତ୍ୟପାଠ ଉପରେ ଜବାବ ରଖିବାକୁ ନିର୍ଦ୍ଦେଶ

Image Source: Zee News

କଟକ : ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ୨୦୨୦, ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ପୂର୍ବଭଳି କଟକଣା ଭିତରେ କାର୍ଯ୍ୟ କରିବ। କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଫୁଲ୍ କୋର୍ଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଏପରି ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ସୂଚନା ମିଳିଛି।

ପୂର୍ବରୁ କୋର୍ଟ କାର୍ଯ୍ୟ ନେଇ ୨୦୨୦, ଅଗଷ୍ଟ ୨୧ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି ଆଜି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଫଳରେ ପୂର୍ବଭଳି ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ମାମଲା ଶୁଣାଣି ଜାରି ରହିବ। ଉଭୟ ପୁରୁଣା ଓ ନୂଆ ଜରୁରୀ ମାମଲା ଗୁଡିକର ଶୁଣାଣି କରାଯିବ। ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ପ୍ରସଂଗରେ ଜରୁରୀ ସଂପର୍କିତ ସୂଚନା ଥିବା ମେମୋ ଇ-ଫାଇଲିଂ ମୋଡ୍/ଇ-ମେଲ୍/ଡ୍ରପ୍ ବକ୍ସ ମାଧ୍ୟମରେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ଆଗୁଆ ଦାଖଲ ହେବ ଓ ଏ ନେଇ ଆଗୁଆ ପ୍ରତିପକ୍ଷଙ୍କୁ ଅବଗତ କରାଯିବ ବୋଲି ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଯଦି ଶୁଣାଣି ସମୟରେ ଆଇନଜୀବୀ ଅନୁପସ୍ଥିତ ରୁହନ୍ତି ତେବେ ମାମଲାରେ କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁ। ଆଇନଜୀବୀ‌ ଓ ପକ୍ଷମାନେ ଘ‌ରୁ କିମ୍ବା କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଅଂଶଗ୍ରହଣ କରିବେ। ହାଇକୋର୍ଟ ପରିସରରେ ମାମଲା ଶୁଣାଣିରେ ଅଂଶଗ୍ରହଣ ପାଇଁ କୌଣସି ବ୍ୟବସ୍ଥା ରହିବ ନାହିଁ। ଜାରି ରହିଥିବା ବ୍ୟବସ୍ଥା ଅନୁସାରେ ନୂଆ ମାମଲା ସହିତ, ଜବାବ (କାଉଣ୍ଟର ଆ‌ଫିଡେଭିଟ୍), ବିଚାରାଧୀନ ମାମଲାରେ ଅନ୍ତରୀଣ ଆବେଦନ ଓ ଡକୁମେଣ୍ଟ ଦାଖଲ ଇ-ଫାଇଲିଂ ପୋର୍ଟାଲ କିମ୍ବା ଇ-ମେଲ୍ ଦ୍ବାରା କରାଯିବ। ବିକଳ୍ପ ଭାବେ ଯଦି ମାମଲା ଜରୁରୀ ଥାଏ ତେବେ ହାଇକୋର୍ଟ ପରିସରରେ ଥିବା ଡ୍ରପ୍ ବକ୍ସରେ ଏ ସଂପର୍କିତ ଆବେଦନ ଓ ଡକୁମେଣ୍ଟ ଦାଖଲ କରିହେବ। ଜରୁରୀ ପ୍ରସଂଗ ସଂପର୍କିତ ସୂଚନା ଏକ ମେମୋ ଆକାରରେ ଫାଇଲ ସହିତ ଦାଖଲ କରିବାକୁ ପଡିବ। ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଡ୍ରପ୍ ବକ୍ସ ବ୍ୟବସ୍ଥା ରହିବ। ଡ୍ରପ୍ ବକ୍ସରେ ଆବେଦନ ଦାଖଲ କରିବା ସମୟରେ ଭିଡ଼ ନ କରିବାକୁ ଓ ସାମାଜିକ ଦୂରତ୍ବ ନିୟମ କଡ଼ା କଡ଼ି ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା। ଏଥିସହିତ ରାଜ୍ୟର ସମସ୍ତ ସବ୍ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଓ ଟ୍ରିବୁନାଲର କୋର୍ଟ କାର୍ଯ୍ୟ ମଧ୍ୟ ଅଗଷ୍ଟ ୨୧ର ନିର୍ଦ୍ଦେଶନାମା ଅନୁସାରେ ଚାଲିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ସାନି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଶନିବାର ଅଦାଲତ ବନ୍ଦ ରହିବ। ଅକ୍ଟୋବର ମାସର କାର୍ଯ୍ୟ ଦିବସ ଥିବା ସମସ୍ତ ଶିନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ଏହି ମାସର କାର୍ଯ୍ୟଦିବସ ଥିବା ସମସ୍ତ ଶନିବାର ଦିନ ରାଜ୍ୟର ସମସ୍ତ ସବ୍‌ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ), ଟ୍ରିବୁନାଲ ଓ ଏ ସଂପର୍କିତ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe