ଓଡ଼ିଶାରେ ଗଣତନ୍ତ୍ର ନୁହେଁ, ବାବୁତନ୍ତ୍ର ଚାଲିଛି: ତେଜସ୍ବୀ ସୂର୍ଯ୍ୟ

ମୁଖ୍ୟମନ୍ତ୍ରୀଙ୍କ ମାଇକ୍‌ ଧରୁଥିବା ଲୋକ ବି ବାହାରିଆ

ଓଡ଼ିଶାରେ ଗଣତନ୍ତ୍ର ନୁହେଁ, ବାବୁତନ୍ତ୍ର ଚାଲିଛି: ତେଜସ୍ବୀ ସୂର୍ଯ୍ୟ

ସମ୍ବଲପୁର: ଓଡ଼ିଶାରେ ଗଣତନ୍ତ୍ର ନୁହେଁ, ବାବୁତନ୍ତ୍ର ଶାସନ ଚାଲିଛି। ବିଧାୟକ, ସାଂସଦମାନଙ୍କ ପାଖରେ କିଛି କ୍ଷମତା ନାହିଁ। ବାବୁମାନଙ୍କ କଥାରେ ସେମାନେ ଉଠ୍‌ବସ୍ ହେଉଛନ୍ତି। ଅଫିସରମାନେ ପ୍ରଚ୍ଛଦ ପଟରେ ରହି ଓଡ଼ିଶାକୁ ଶାସନ କରୁଛନ୍ତି। ଓଡ଼ିଶାରେ ଅଣଓଡ଼ିଆଙ୍କୁ ଗୁରୁତ୍ବ ଦିଆଯାଉଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ମାଇକ୍‌ ଧରୁଥିବା ବ୍ୟକ୍ତି ମଧ୍ୟ ବାହାରିଆ ଲୋକ ବୋଲି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତେଜସ୍ବୀ ସୂର୍ଯ୍ୟ ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ ନା’ ନେଇ ଶାଣିତ ଆକ୍ରମଣ କରିଛନ୍ତି।

ତେଜସ୍ବୀ ସୂର୍ଯ୍ୟ କହିଲେ, ୨୦୧୪ ଓ ୨୦୧୯ ମସିହାରେ ବିଜେପି କ୍ଷମତାକୁ ଆସିବା ପଛରେ ଯୁବବର୍ଗର ପ୍ରମୁଖ ଭୂମିକା ରହିଥିଲା। ତେଣୁ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଯୁବାକୈନ୍ଦ୍ରୀକ ବିକାଶକୁ ଗୁରୁ୍ତ୍ବ ଦେଇଥିଲେ। ‌ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବ ୧୦ ବର୍ଷ ମଧ୍ୟରେ ଯୁବବର୍ଗ ହତାଶ ଥିଲା। ଭ୍ରଷ୍ଟାଚାର ବଢ଼ିଥିଲା। ନିଯୁକ୍ତି ନିଯୋଗ ନଥିଲା। ଗତ ୧୦ ବର୍ଷ ମଧ୍ୟରେ ୩୬୦ ଡିଗ୍ରିରେ ସଂସ୍କାରମୂଳକ କାର୍ଯ୍ୟ ଚାଲିଛି। ଭାରତ ପୂର୍ବରୁ ବିଶ୍ବର ସର୍ବାଧିକ ୫ଟି ଆର୍ଥିକ ଦୁର୍ବଳ ରାଷ୍ଟ୍ର ମଧ୍ୟରେ ଥିବାବେଳେ ଏବେ ବିଶ୍ବର ପଞ୍ଚମ ଶ୍ରେଷ୍ଠ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି। ଖୁବ୍‌ଶୀଘ୍ର ଶ୍ରେଷ୍ଠ ତୃତୀୟ ଆର୍ଥିକ ବ୍ୟବସ୍ଥାରେ ପରିଣତ ହେବ। ଭାରତରେ ବିଦେଶୀ ପୁଂଜିନିବେଶ ବଢ଼ିଛି। ଭ୍ରଷ୍ଟାଚାର ହେଉନାହିଁ। ହିତାଧିକାରୀମାନଙ୍କୁ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଛି। ମୋଦୀ ସରକାର ଦୁର୍ନୀତି, ଆତଙ୍କବାଦ ଆଦି କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଆପଣେଇଛନ୍ତି। ୟୁପିଏ ଶାସନ ୧୦ ବର୍ଷ ମଧ୍ୟରେ ‌ଯେତିକି ନିଯୁକ୍ତି ହୋଇଥିଲା, ଏବେ ତାଠାରୁ ୫ ଗୁଣ ଅଧିକ ନିଯୁକ୍ତି ହୋଇଛି। ୧.୩୦ ଲକ୍ଷ ଷ୍ଟାର୍ଟ ଅଫ୍ ଆରମ୍ଭ ହେବା ସହିତ ପ୍ରତ୍ୟକ୍ଷ ଓ ‌ପରୋକ୍ଷ ଭାବରେ ୪୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ‌

ଉଠାଦୋକାନୀଙ୍କଠାରୁ ଆରମ୍ଭକରି ସବୁବର୍ଗର ଲୋକଙ୍କ ପାଇଁ ମୋଦୀ ସରକାରଙ୍କ ଯୋଜନାରେ ଉପକୃତ ହୋଇଛନ୍ତି। ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଭିତରକୁ ବାହରକୁ ଆସିଛନ୍ତି। ସମୃଦ୍ଧି ଓ ବିକଶିତ ଭାରତ ଗଠନ ପାଇଁ ଆଗାମୀ ୨୫ ବର୍ଷୀୟା ଯୋଜନା ବି ପ୍ରସ୍ତୁତ ହୋଇଛି। ଓଡ଼ିଶାରେ ଗତ ୨୪ ବର୍ଷ ହେଲା ବିଜେଡିର ସ୍ଥିର ସରକାର ଥିବା ସ‌ତ୍ତ୍ବେ ଗୁଜୁରାଟ, ମଧ୍ୟପ୍ରଦେଶ ଆଦି ରାଜ୍ୟ ଭଳି ଯେମିତି ଉନ୍ନତି ହେବା କଥା ହୋଇନାହିଁ। ବିଜେଡିର କୁଶାସନରେ ଲୋକେ ଅତିଷ୍ଠ। ସୁଶାସନ ପାଇଁ ବିଜେପିକୁ ଭୋଟ ଦେବା ପାଇଁ ଲୋକେ ମନସ୍ଥ କରିସାରିଲେଣି। ଓଡ଼ିଶାରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି। ପ୍ରେରଣାଦାୟୀ ନୀତି ବି ନାହିଁ। ଓଡ଼ିଶାରୁ ପଳାୟନ ଜାରି ରହିଛି। ଓଡ଼ିଶାର ବିକାଶ ପାଇଁ ଡବଲ୍‌ ଇଂଜିନ ସରକାରର ଆବଶ୍ୟକତା ରହିଛି ବୋଲି ତେଜସ୍ବୀ ସୂର୍ଯ୍ୟ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅର୍ପିତା ଅପରାଜିତା ବଡ଼ଜେନା, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଲୋକସଭା ପ୍ରଭାରୀ ଓମ୍ ପ୍ରକାଶ ମିଶ୍ର, ଜିଲ୍ଲା ସଭାପତି ଅଶ୍ବିନୀ ମାଝୀ, ମାନସ ରଂଜନ ବକ୍ସି, ସଂଜୟ ଷଡ଼ଂଗୀ, ମୁକେଶ ଜରିୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe