ଆନ୍ଧ୍ର ଦଲାଲଙ୍କ କବ୍‌ଜାରେ ଓଡ଼ିଶା ଜମି: କପା ଚାଷ କରି ହେଉଛନ୍ତି ମାଲେମାଲ

Advertisment

ଏକର ପିଛା ଲିଜ୍‌ ଦର ରହିଛି ୬୦୦୦

ଏକର ପିଛା ଲିଜ୍‌ ଦର ରହିଛି ୬୦୦୦

ଆନ୍ଧ୍ର ଦଲାଲଙ୍କ କବ୍‌ଜାରେ ଓଡ଼ିଶା ଜମି: କପା ଚାଷ କରି ହେଉଛନ୍ତି ମାଲେମାଲ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ସରଳ ଆଦିବାସୀଙ୍କୁ ପ୍ରଲୋଭନରେ ଫସାଉଛନ୍ତି। ଯଦି କିଏ ନଫସିଲା, ତେବେ ଋଣ ଜାଲରେ ଛନ୍ଦୁଛନ୍ତି ଆନ୍ଧ୍ର ଦଲାଲ। ଏହାପରେ ୬୦୦୦ଟଙ୍କା ଲିଜ୍‌ ଦରରେ କବ୍‌ଜା କରୁଛନ୍ତି ଚାଷ ଜମି। ଯେଉଁଥିରେ ଫଳାଉଛନ୍ତି ଧଳା ହୀରା (କପା)। ଗୋଟିଏ ଏକର ଜମିରୁ ଲକ୍ଷାଧିକ ଟଙ୍କା ମୁନାଫା ପାଉଥିଲା ବେଳେ ଓଡ଼ିଶା ଚାଷୀ ଅନ୍ୟତ୍ର ମୂଲ ଲାଗୁଛନ୍ତି। ରାୟଗଡ଼ା ଜିଲ୍ଲାର ବଡ଼ ଭାଗ ସୀମା ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶକୁ ଲାଗିରହିଛି। କିଛିବର୍ଷ ହେଲା ଜିଲ୍ଲାର ସୀମାନ୍ତ ଅଞ୍ଚଳରେ କପା ଚାଷ ପରିମାଣ ବଢ଼ି ଚାଲିଛି। ହଠାତ୍‌ ଚାଷ ବଢ଼ିବା ପଛର କାରଣ ଖୋଜିବାରୁ ସାଂଘାତିକ ଷଡ଼୍‌ଯନ୍ତ୍ର ସାମ୍ନାକୁ ଆସିଥିଲା। ସୀମାନ୍ତ ଗଜିଗାଁ, ଭୈରବହାଲଵା, ଶେଷଖାଲ, କେରଡା ପଞ୍ଚାୟତର ହଜାର ହଜାର ଏକର ଜମିରେ ଆନ୍ଧ୍ରର ଦଲାଲ କପା ଚାଷ କରୁଥିବା ପ୍ରମାଣ ମିଳିଥିଲା। ଓଡ଼ିଶାରେ ଆନ୍ଧ୍ର ଦଲାଲ କେମିତି ଏତେ ପରିମାଣରେ ଚାଷ ପାଇଲେ ଅନୁସନ୍ଧାନ କରିବାରୁ ତାଟକା କରିବା ଭଳି ତଥ୍ୟ ମିଳିଥିଲା।

କପା ଚାଷକୁ ରାୟଗଡ଼ା ଜିଲ୍ଲାର ପାଣିପାଗ ସୁହାଉଛି। ଚାଷ ପାଇଁ ବିଶେଷ ଖର୍ଚ୍ଚ କରିବାକୁ ପଡିନଥାଏ। ଅଧିକ ପାଣି ମଧ୍ୟ ଆବଶ୍ୟକ ହୋଇନଥାଏ। ତେଣୁ ଆନ୍ଧ୍ର ଦଲାଲ ଏହି ଅଞ୍ଚଳର କ୍ଷୁଦ୍ର ଚାଷୀଙ୍କୁ ପ୍ରଥମେ ଟାର୍ଗେଟ କରୁଛନ୍ତି। ସେମାନଙ୍କୁ ଜମି ଲିଜ୍‌ରେ ଦେବାକୁ ପ୍ରଲୋଭିତ କରୁଛନ୍ତି। ଏକର ପିଛା ଜିଲ୍‌ ଦର ମାତ୍ର ୬୦୦୦ ଟଙ୍କା। କ୍ଷୁଦ୍ର ଚାଷୀ ବିନା ପରିଶ୍ରମରେ ଏକର ପିଛା ୬୦୦୦ ଟଙ୍କା ମିଳୁଥିବାରୁ ବିନା ଦ୍ବିଧାରେ ଜମି ଦଲାଲଙ୍କ ହାତକୁ ଟେକି ଦେଉଛନ୍ତି। ଯଦି କୌଣସି ଚାଷୀ ଜମି ଦେବାକୁ ନାରାଜ ହେଉଛି ତେବେ ଋଣ ନେବାକୁ ପ୍ରଭାବିତ କରୁଛନ୍ତି। ପରବର୍ତ୍ତୀ ସମୟରେ ସେହି ଚାଷୀ ଠାରୁ ଶସ୍ତାରେ କପା କିଣି ଆନ୍ଧ୍ରରେ ବିକ୍ରି କରୁଛନ୍ତି। ଚାଷ ପ୍ରତି ବିଶେଷ ସଚେତନ ନଥିବା ଏହି ଅଞ୍ଚଳର ଚାଷୀ ଏକର ପିଛା ୮ରୁ ୯କ୍ବିଣ୍ଟାଲ ପର୍ଯ୍ୟନ୍ତ କପା ଉତ୍ପାଦନ କରୁଛନ୍ତି। ଅନ୍ୟପକ୍ଷରେ, ଆନ୍ଧ୍ର ଦଲାଲ ଆଧୁନିକ ପ୍ରଣାଳୀରେ ଏକର ପିଛା ୧୫କ୍ବିଣ୍ଟାଲ ପର୍ଯ୍ୟନ୍ତ ଅମଳ କରୁଛନ୍ତି। ସେହିପରି ରାୟଗଡ଼ା ଜିଲ୍ଲାରେ କ୍ବିଣ୍ଟାଲ ପିଛା କପା ଦର ୭୦୨୦ଟଙ୍କା ରହିଥିଲା ବେଳେ ଆନ୍ଧ୍ରରେ ୯୦୦୦ଟଙ୍କା ରହିଛି। ଦୁଇ ରାଜ୍ୟ ମଧ୍ୟରେ କ୍ବିଣ୍ଟାଲ ପିଛା ପ୍ରାୟ ୨ହଜାର ଟଙ୍କାର ଫରକ। କପା ମଣ୍ଡିରେ ବିଭ୍ରାଟ ଏବଂ ଅବ୍ୟବସ୍ଥା ଯୋଗୁଁ ଜିଲ୍ଲାର ଚାଷୀ ଚାଷ କରିବାକୁ ବି ବିଶେଷ ଆଗ୍ରହ ଦେଖାଉନାହିଁ। ସେହିପରି କ୍ଷୁଦ୍ର ଚାଷୀ ଜମି ଜିଲ୍‌ ଆକାରରେ ଦେଇ ନିଜ ଗୁଜୁରାଣ ପାଇଁ ଦାଦନ ଖଟିବାକୁ ଚାଲି ଯାଉଛି। ନଚେତ ଯାହାକୁ ଜିଲ୍‌ ଦେଉଛି ତା ପାଖରେ ହିଁ ମୂଲ ଲାଗୁଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ରାୟଗଡ଼ା ଜିଲ୍ଲାରେ ପ୍ରାୟ ୪୯ହଜାର ହେକ୍ଟର ଜମିରେ କପା ଚାଷ ହେଉଛି, ସେଥିରୁ ୧୦ପ୍ରତିଶତ ଜମି ଆନ୍ଧ୍ର ଦଲାଲଙ୍କ କବ୍‌ଜାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe