ଭୁବନେଶ୍ୱର : ନୀତି ଆୟୋଗ ବୈଠକରେ ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ପାହ୍ୟାର ଅଧିକାରୀଙ୍କୁ ପଛୁଆ ଜିଲ୍ଲାର ଦାୟିତ୍ୱ ଦେବା ପାଇଁ ସ୍ଥିର ହୋଇଥିଲା। ସେହି ଅନୁଯାୟୀ ଓଡ଼ିଶାର ୮ଟି ଜିଲ୍ଲାକୁ ସାମିଲ କରାଯାଇ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ରାଜ୍ୟ ସରକାରଙ୍କ ନିର୍ଦେଶକୁ ପାଳନ କରି ଆସନ୍ତା ୪ ଏବଂ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଓଡ଼ିଶାର କୌଣସି ଅଧିକାରୀ ଯୋଗ ନ ଦେବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛି ବିଜେପି।
ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ ପଛୁଆ ଅଞ୍ଚଳ ବିକାଶ ଦାୟିତ୍ୱରେ ଥିବା ଜିଲ୍ଲାପାଳମାନେ ନୀତି ଆୟୋଗ ବୈଠକରେ ଅଂଶଗ୍ରହଣ ନ କରିବା ପଛରେ କାହାର ସ୍ୱାର୍ଥ ରହିଛି? ଏହା ଏକ ନିନ୍ଦନୀୟ ଘଟଣା। ନିଜର ଅପାରଗତାକୁ ଲୁଚାଇବା ଲାଗି ବିଜେଡି ଅଫିସରଙ୍କୁ ନିଜ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରୁଛି। କେନ୍ଦ୍ର ସରକାର ଅର୍ଥ ଦେଉଥିଲେ ମଧ୍ୟ ରାଜନୈତିକ ଫାଇଦା ଲାଗି ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ର ଉପରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି। ସରକାରୀ କଳକୁ ବିଜେଡି ଦଳ ବ୍ୟବହାର କରୁଛି। କଠିନ ପରିଶ୍ରମ ନୁହେଁ ବରଂ ବିଜ୍ଞାପନ ମାଧ୍ୟମରେ ଓଡ଼ିଶା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭୁଆଁ ବୁଲାଉଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି।
Follow Us