ଠେଲାପେଲା ପାଇଁ ବନ୍ଦ ରହିଲା ଭତ୍ତା ବଣ୍ଟନ, ମାନିଲେନି ସାମାଜିକ ଦୂରତା

Advertisment

୮୦୦ ହିତାଧିକାରୀଙ୍କ ପାଇଁ ହୋଇଥିଲା କ୍ୟାମ୍ପ

୮୦୦ ହିତାଧିକାରୀଙ୍କ ପାଇଁ ହୋଇଥିଲା କ୍ୟାମ୍ପ

ଠେଲାପେଲା ପାଇଁ ବନ୍ଦ ରହିଲା ଭତ୍ତା ବଣ୍ଟନ, ମାନିଲେନି ସାମାଜିକ ଦୂରତା

ରାଉରକେଲା: ଭତ୍ତା ଟଙ୍କା ପାଇଁ ହତାଧିକାରୀଙ୍କ ମଧ୍ୟରେ ଠେଲାପେଲା। ମାନିଲେନି ସାମାଜିକ ଦୂରତା। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ ଓ ଭତ୍ତା ବଣ୍ଟନ ଦାୟିତ୍ବରେ ଥିବା କର୍ମଚାରୀ ବି ନାଚାର। ସାମାଜିକ ଦୂରତା ବଜାୟ ରଖିବାକୁ ହାତ ଯୋଡି ଅନୁରୋଧ କରିଥିଲେ। କିନ୍ତୁ କେହି ଶୁଣି ନଥିଲେ। ସ୍ଥିତି ଏପରି ‌ହେଲା ଯେ ଶେଷରେ ଭତ୍ତା ବଣ୍ଟନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ବିଭାଗୀୟ ଅଧିକାରୀ। ଏମିତି ଚିତ୍ର ଦେଖିବାକୁ ମିଳିଥିବା ଗୋପବନ୍ଧୁପାଲୀ ଭତ୍ତା ବଣ୍ଟନ କ୍ୟାମ୍ପରେ। ଆଜି ସକାଳ ପ୍ରାୟ ୯ଟାରେ ଗୋପବନ୍ଧୁପାଲୀ ଫାଣ୍ଡି ନିକଟରେ ହୋଇଥିବା କ୍ୟାମ୍ପରେ ପହଞ୍ଚିଥିଲେ ଭତ୍ତା ବଣ୍ଟନ ଦାୟିତ୍ବରେ ଥିବା କର୍ମଚାରୀ। ବଣ୍ଟା ଆରମ୍ଭ ହେବାର ମାତ୍ର କେଇ ମିନିଟ୍‌ ମଧ୍ୟରେ ଏକାଠି ହୋଇଥିଲେ ଶହ ଶହ ହିତାଧିକାରୀ। ସମସ୍ତେ ସାମାଜିକ ଦୂରତା ନିୟମ ପାଳନ କରିବା ତ ଦୂରର କଥା ଭତ୍ତା ଟଙ୍କା ପାଇଁ ପରସ୍ପର ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ଠେଲାପେଲା ମଧ୍ୟରେ ବୁଝାସୁଝା କରି ପ୍ରାୟ ଘଣ୍ଟାକ ମଧ୍ୟରେ ୭୦ରୁ ୮୦ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥିତି ଅସମ୍ଭାଳ ହୋଇ ପଡିଥିଲା। କେହି କାହାରିକୁ ନ ମାନିବାରୁ ପରସ୍ପର ମଧ୍ୟରେ ପାଟିତୁଣ୍ଡ ହେବାରୁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କର୍ମଚାରୀମାନେ ବାଧ୍ୟ ହୋଇ ଭତ୍ତା ବଣ୍ଟନକୁ ସ୍ଥଗିତ ରଖିଥିଲେ। ଆସନ୍ତାକାଲି (ମଙ୍ଗଳବାର) ୫୦ରୁ ୬୦ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯିବ। ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ ।

ଆଜି ପରି ପରିସ୍ଥିତି ଉପୁଜିଥିଲେ ଭତ୍ତା ବଣ୍ଟନକୁ ବାତିଲ କରି ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ସୁନୀଲ ନାୟକ। ସେ କହିଛନ୍ତି ଗତ ୨୭ ତାରିଖରୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧିନ ୪୦ ୱାର୍ଡର ବିଭିନ୍ନ ବସ୍ତିରେ ଭତ୍ତା ବଣ୍ଟନ କରାଯାଉଛି। ସହରର ପ୍ରାୟ ୩୧ ହଜାର ଦିବ୍ୟାଙ୍ଗ, ବିଧବା, ଦିବ୍ୟାଙ୍ଗ ଓ ମଧୁବାବୁ ଭତ୍ତା ବାବଦରେ ପ୍ରାୟ ସାଢ଼େ ୬ କୋଟି ଟଙ୍କା ବଣ୍ଟନ କରାଯିବ। ଏଥିପାଇଁ କର୍ମଚାରୀମାନେ ବସ୍ତିକୁ ବସ୍ତି ଭୁଲି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରୁଛନ୍ତି। ଆବଶ୍ୟକ ଅନୁଯାୟୀ କେତେକ ସ୍ଥାନରେ କ୍ୟାମ୍ପ ମଧ୍ୟ କରାଯାଉଛି। ଗତ ଦୁଇ ଦିନ ତଳେ କର୍ମଚାରୀମାନେ ଗୋପବନ୍ଧୁପାଲୀ, ମଧୁସୂଦନପାଲୀ ଦୁଇଟି ବସ୍ତିକୁ ଭତ୍ତା ବଣ୍ଟନ କରିବାକୁ ଯାଇଥିଲେ। କିନ୍ତୁ ହିତାଧିକାରୀମାନେ ବସ୍ତି ଭିତରେ ଭତ୍ତା ବଣ୍ଟନ କରିବାକୁ ଦେଇ ନଥିଲେ। ସେଥିପାଇଁ ଦୁଇଟି ବସ୍ତିର ପ୍ରାୟ ୮୦୦ ହିତାଧିକାରୀଙ୍କ ପାଇଁ ଗୋପବନ୍ଧୁପାଲୀ ଫାଣ୍ଡି ନିକଟରେ ୫ ଦିନିଆ କ୍ୟାମ୍ପ ଆଜିଠୁ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe