ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତି : ଏଥର ୬ଲକ୍ଷ ୬୦ହଜାର ୮୯୧ପରୀକ୍ଷାର୍ଥୀ

Advertisment

୨୮୮୮ପରୀକ୍ଷା କେନ୍ଦ୍ର, ୩୦୭ନୋଡାଲ ସେଣ୍ଟର

୨୮୮୮ପରୀକ୍ଷା କେନ୍ଦ୍ର, ୩୦୭ନୋଡାଲ ସେଣ୍ଟର

ଫର୍ମ ପୂରଣ କରି ପିଲା ପରୀକ୍ଷା ନ ଦେବା ଘଟଣା, ପିଲାଙ୍କ ଅନୁପସ୍ଥିତି ‌ନେଇ ବିଇଓମାନଙ୍କୁ ରିପୋର୍ଟ ମାଗିଲେ ଡିଇଓ!

Firstpost

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ୨୦୨୦ ହାଇସ୍କୁଲ ସାର୍ଟି‌ଫିକେଟ୍ (ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୬ଲକ୍ଷ ୬୦ହଜାର ୮୯୧ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ସେମାନଙ୍କ ପାଇଁ ୨୮୮୮ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଥିବାବେଳେ ପ୍ରଶ୍ନପତ୍ର ରଖିବା ପାଇଁ ୩୦୭ ଟି ନୋଡାଲ ସେଣ୍ଟର ସ୍ଥିର ହୋଇଛି। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ୨୨ଟି ଥାନାକୁ ନୋଡାଲ୍ ସେଣ୍ଟର ଚୟନ କରାଯାଇଛି।

ଆସନ୍ତା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହେଉଥିବା ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍‌) ପରୀକ୍ଷାରେ ଏଥର ୫ଲକ୍ଷ ୪୭ହଜାର ୭୪୭ଜଣ ପରୀକ୍ଷାର୍ଥୀ ୨୭ଶହ ୬୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୯ହଜାର ୭୭୧ଜଣ ପରୀକ୍ଷାର୍ଥୀ ୭୬ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ମଧ୍ୟମା ପରୀକ୍ଷାରେ ୩ହଜାର ୩୭୩ ପରୀକ୍ଷାର୍ଥୀ ୪୫ଟି କେନ୍ଦ୍ରରେ ପରୀକ୍ଷା ‌‌ଦେବେ। ମାଟ୍ରିକ୍ ପ୍ରଶ୍ନପତ୍ର ପାଇଁ ୩୦୫ଟି, ମୁକ୍ତ ବିଦ୍ୟାଳୟ ପାଇଁ ୪୫ଟି ଓ ମଧ୍ୟମା ପାଇଁ ୪୫ଟି ନୋଡାଲ ସେଣ୍ଟର ରହିଛି। ସେହିପରି ମାଟ୍ରିକ୍ ଖାତା ମୂଲ୍ୟାୟନ ପାଇଁ ୫୩ଟି, ମୁକ୍ତ ବିଦ୍ୟାଳୟ ପାଇଁ ୪ଟି ଓ ମଧ୍ୟମା ପାଇଁ ୪ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର ହୋଇଛି। ପରୀକ୍ଷା ସୁପରିଚାଳନା ପାଇଁ ଏକ ହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବାକୁ ବୋର୍ଡ ପକ୍ଷରୁ ଯୋଜନା କରାଯାଉଛି। ଫେବ୍ରୁଆରି ୮ତାରିଖରେ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କ ଉପସ୍ଥାନ ସିଟି ଓ ଆଡ୍‌ମିଟ୍ କାର୍ଡ ଆଦି ପଠାଯିବ। ଫେବ୍ରୁଆରି ୭ତାରିଖରେ ବୋର୍ଡ ୱେବସାଇଟ୍‌ରେ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡ ଛଡ଼ାଯିବ।

ପରୀକ୍ଷା ସୁପରିଚାଳନା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି। ଡିଇଓସ୍ତରୀୟ ସ୍କ୍ବାଡ୍‌, ବୋର୍ଡ ପକ୍ଷରୁ ସେଣ୍ଟ୍ରାଲ୍ ସ୍କ୍ବାଡ଼୍, ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ, ଆର୍‌ଡିସି, ଜିଲ୍ଳାପାଳ, ଏସ୍‌ପିମାନଙ୍କୁ ପରୀକ୍ଷା ପରିଚାଳନାରେ ସହାୟତା ଓ ସହଯୋଗ କରିବାକୁ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ପରୀକ୍ଷା ପରେ ଉତ୍ତରଖାତା ଦୁଇଟି ପର୍ଯ୍ୟାୟରେ ନୋଡାଲ ସେଣ୍ଟରୁ ମୂଲ୍ୟାୟନ କେନ୍ଦ୍ରକୁ ପଠାଯିବ। ପ୍ରଥମ ପର୍ଯ୍ୟାୟରେ ଫେବ୍ରୁଆରି ୨୫ରୁ ମାର୍ଚ ୧ତାରିଖ ମଧ୍ୟରେ ଓ ଦ୍ବିତୀୟ ପର୍ଯ୍ୟାୟରେ ମାର୍ଚ ୩ରୁ ମାର୍ଚ ୭ତାରିଖ ମଧ୍ୟରେ ଉତ୍ତରଖାତା ମୂଲ୍ୟାୟନ କେନ୍ଦ୍ରକୁ ଯିବ। ମାର୍ଚ୍ଚ ୧୮ତାରିଖରୁ ଏପ୍ରିଲ ୪ତାରିଖ ମଧ୍ୟରେ ଖାତା ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି। ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ମାର୍କ ପୋଷ୍ଟିଂ କରାଯିବା ବ୍ୟବସ୍ଥା ହୋଇଛି। ନୋଡାଲ ସେଣ୍ଟର ଓ ମୂଲ୍ୟାୟନ କେନ୍ଦ୍ରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବାର ବ୍ୟବସ୍ଥା ହୋଇଛି। ପରୀକ୍ଷା ପାଇଁ ଫେବ୍ରୁଆରି ୧୪ ଓ ୧୫ ତାରିଖ ଦୁଇ ଦିନ ଧରି କେନ୍ଦ୍ର ସୁପରିନଟେଣ୍ଡେଣ୍ଟ, ନୋଡାଲ ସେଣ୍ଟର ଇନଚାର୍ଜ, ସୁପରଭାଇଜର, ଡାଟା ଏଣ୍ଟ୍ରି ଅପରେଟରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବାକୁ ବୋର୍ଡ ପକ୍ଷରୁ ସ୍ଥିର ହୋଇଛି।

ହାଇସ୍କୁଲ ସାର୍ଟି‌ଫିକେଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସଂକ୍ରାନ୍ତ ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଛଡାଯାଇଛି। କେଉଁ ସ୍କୁଲରୁ କେତେ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି, କେଉଁ ସ୍କୁଲ ପରୀକ୍ଷା କେନ୍ଦ୍ର, ମୂଲ୍ୟାୟନ କେନ୍ଦ୍ର, ନୋଡାଲ ସେଣ୍ଟର ହୋଇଛି ଆଦି ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍କୁଲ କୋଡ ଓ ପାସ୍‌ୱାର୍ଡ ବ୍ୟବହାର କରି ନିଜ ସ୍କୁଲ ସଂପର୍କିତ ସମସ୍ତ ତଥ୍ୟ ଡାଉନଲୋଡ୍ କରିପାରିବେ। ଆଜି ବୋର୍ଡ ମୁଖ୍ୟ କାର୍ଯ୍ୟାଳ‌ୟରେ ଏ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବୋର୍ଡ ସଭାପତି ରାମାଶିଷ ହାଜରା, ସଂପାଦକ ଶ୍ରୀକାନ୍ତ କୁମାର ତରାଇ ଓ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ବିଭିନ୍ନ ଜିଲ୍ଲାର ଡିଇଓମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe