ପରୀକ୍ଷା ପରିଚାଳନା ପାଇଁ ବିକଳ୍ପ ବାଟ ଖୋଜୁଛନ୍ତି ସରକାର

ପରୀକ୍ଷା ପରିଚାଳନା ପାଇଁ ବିକଳ୍ପ ବାଟ ଖୋଜୁଛନ୍ତି ସରକାର

ନିୟୋଜିତ ହେବେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ
ଆନ୍ଦୋଳନରତ ଶିକ୍ଷକ ସହ ଆଜି ପୁଣି ଆଲୋଚନା

ଭୁବନେଶ୍ୱର : ଗତ ୧୧ଦିନ ଧରି ଆନ୍ଦୋଳନରେ ବସିଥିବା ଶିକ୍ଷକଙ୍କୁ ବୁଝାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଶିକ୍ଷକଙ୍କ ସହ ବାରମ୍ବାର ଆଲୋଚନା ହୋଇଥିଲେ ହେଁ ସମାଧାନର ବାଟ ବାହାରି ପାରୁନାହିଁ। ସରକାର ଓ ଶିକ୍ଷକ, ଅଧ୍ୟାପକଙ୍କ ମଧ୍ୟରେ ଚାଲିଥିବା ଟଣାଓଟରାରେ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ତେବେ ଆଗକୁ ମାଟ୍ରିକ୍‌ ଓ +୨ ପରୀକ୍ଷା ଆସୁଥିବା ବେଳେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଡିଗ୍ରି କଲେଜ, ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ, ହାଇସ୍କୁଲ ଓ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ପରୀକ୍ଷା ପରିଚାଳନାରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏନେଇ ସବୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏଥିପାଇଁ ବିଭାଗୀୟ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ପୂର୍ବ ନିର୍ଧାରିତ ତାରିଖ ଓ ସମୟରେ ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନାରେ କୌଣସି ବ୍ୟତିକ୍ରମ ହେବ ନାହିଁ।  ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷକମାନଙ୍କ ସହିତ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ମାତ୍ର ଏହା ବିଫଳ ହୋଇଥିଲା। ଆସନ୍ତା ୧୯ତାରିଖରେ ସ୍କୁଲ ଓ କଲେଜ ଶିକ୍ଷକମାନେ ପୁଣିଥରେ ମହାସମାବେଶ କରିବା ପାଇଁ ଘୋଷଣା କରିଛନ୍ତି। ବିଜେପୁର ଉପ ନିର୍ବାଚନ ଚାଲିଥିବାରୁ ମାର୍ଚ ୯ତାରିଖ ପୂର୍ବରୁ ଶିକ୍ଷକଙ୍କ ସମସ୍ୟାର ସମାଧାନ କରିବା ସମ୍ଭବ ନୁହେଁ ବୋଲି ରାଜ୍ୟ ସରକାରୀ ଅଧିକାରୀ ଶିକ୍ଷକଙ୍କ ମିଳିତ ମଞ୍ଚକୁ ଜଣାଇଥିଲେ। ମାତ୍ର ଏଥିପାଇଁ କୌଣସି ଲିଖିତ ପ୍ରତିଶ୍ରୁତି ଦିଆଯାଇ ନ ଥିବାରୁ ମିଳିତ ମଞ୍ଚ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ପୂର୍ଣ୍ଣ ଅନୁଦାନ ଆଇନ ନ ଆଣିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଥିଲା। ତେବେ ଆସନ୍ତାକାଲି ପୁଣି ଥରେ ଶିକ୍ଷକ ସଂଘ ସହିତ ଆଲୋଚନା କରିବା ଲାଗି ସରକାର ଆଗ୍ରହ ଦେଖାଇଛନ୍ତି। ଛୁଟି ସତ୍ତ୍ୱେ ସକାଳ ୮ଟା ବେଳେ ରାଜ୍ୟ ସଚିବାଳୟରେ ଏଭଳି ଆଲୋଚନା ଲାଗି ସମୟ ସ୍ଥିର ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe