ପାକ୍‌ ଟାର୍ଗେଟରେ ରହିପାରେ ଓଡ଼ିଶାର ଏହି ସବୁ ସମ୍ବେଦନଶୀଳ ସାମରିକ ପ୍ରତିଷ୍ଠାନ

Advertisment
ପାକ୍‌ ଟାର୍ଗେଟରେ ରହିପାରେ ଓଡ଼ିଶାର ଏହି ସବୁ ସମ୍ବେଦନଶୀଳ ସାମରିକ ପ୍ରତିଷ୍ଠାନ

ଭୁବନେଶ୍ୱର (ସୁବ୍ରତ ଦାସ): ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ଥିବା ପ୍ରତିରକ୍ଷା ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରତିଷ୍ଠାନ ଉପରେ ପାକିସ୍ତାନର ଆକ୍ରମଣ ଆଶଙ୍କା ରହିଛି। ସେହି ପରିପ୍ରେକ୍ଷୀରେ ଏହି ସବୁ ପ୍ରତିଷ୍ଠାନ ପାଇଁ ଅଧିକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବା ଦରକାର ବୋଲି ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେ.ପି.ଧଳ ସାମନ୍ତ ମତବ୍ୟକ୍ତ କରିଛନ୍ତି।

publive-image ଲେଫ୍ଟନାଣ୍ଟ ଜେନେରାଲ କେ.ପି.ଧଳ ସାମନ୍ତ

ଲେଫ୍ଟନାଣ୍ଟ ଜେନେରାଲ ଧଳ ସାମନ୍ତ ‘ସମ୍ବାଦ ଡଟ ଇନ୍‌’ ସହିତ କଥାବାର୍ତ୍ତା ବେଳେ କହିଛନ୍ତି , ପାକିସ୍ତାନ ଏକ ହୁଣ୍ଡାଳିଆ ରାଷ୍ଟ୍ର (ରୋଗ୍‌ ଷ୍ଟେଟ୍‌)। ଯଦି ଏହା କୌଣସି କ୍ରମେ ଭାରତ ଉପରେ ଆକ୍ରମଣ କରେ, ତେବେ ଭାରତର ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେନଶୀଳ ସ୍ଥାନଗୁଡ଼ିକୁ ଟାଗେର୍ଟ (ଲକ୍ଷ୍ୟ) କରିପାରେ। ଓଡ଼ିଶାରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ଚାରି ବାଟିଆ ଗୋଇନ୍ଦା ବିମାନ ଅବତରଣ କେନ୍ଦ୍ର, ସୁନାବେଢ଼ା ବିମାନ ଇଞ୍ଜିନ କାରଖାନା ଏବଂ ସଇଁତଳା ଗୋଳାବାରୁଦ କାରଖାନା ପ୍ରଭୃତି ସମ୍ବେଦନଶୀଳ ପ୍ରତିଷ୍ଠାନ ରହିଛି । ଓଡ଼ିଶାରେ ଆତଙ୍କ ବିରୋଧୀ ସୁରକ୍ଷା ବ୍ୟବସ୍ଥା ଖୁବ୍‌ ମଜବୁତ୍‌ ନୁହେଁ । ତେଣୁ ସେ ଗୁଡ଼ିକର ସୁରକ୍ଷାପାଇଁ ସତର୍କତାମୂଳକ ପଦକ୍ଷେପ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରିବା ଏକାନ୍ତ ଆବଶ୍ୟକ। ଏହାଛଡ଼ା ଜନସାଧାରଣ ମଧ୍ୟ କୌଣସି ସନ୍ଦିଗ୍ଧ ବ୍ୟକ୍ତି ବା କାର୍ଯ୍ୟକଳାପ ନଜରକୁ ଆସିଲେ ତୁରନ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ଉଚିତ୍‌ ।

ପ୍ରକାଶ ଥାଉକି, ବଙ୍ଗୋପସାଗର କୂଳରେ ବାଲେଶ୍ୱର ସହର ନିକଟରେ ଚାନ୍ଦିପୁରଠାରେ ଅବସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ(ଡିଆର୍‌ଡିଓ)ର ଗୁଳିଗୋଳା ପରୀକ୍ଷାଗାର ଏବଂ ଅବ୍‌ଦୁଲ କଲାମ୍‌ ଦ୍ୱୀପପୁଞ୍ଜରେ କ୍ଷେପଣାସ୍ତ୍ର ଘାଟି ରହିଛି । ଏଠାରୁ ଆକାଶ,ଶୌର୍ଯ୍ୟ, ଅଗ୍ନୀ, ପୃଥ୍ଵୀ ଆଦି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି ।

ସେହିଭଳି କୋରାପୁଟ ଜିଲ୍ଲାର ସୁନାବେଢ଼ାଠାରେ ହିନ୍ଦୁସ୍ତାନ ଏରୋନେଟିକ  ଲିମିଟେଡ୍‌(ହାଲ୍‌)ର ବିମାନ ଇଞ୍ଜିନ୍‌ କାରଖାନା ରହିଛି। ଲଢ଼ୁଆ ବିମାନ ହିସାବରେ ମିଗ୍‌ ବିମାନର ସୁଖ୍ୟାତି ରହିଛି।

publive-image

ବଲାଙ୍ଗୀର ଜିଲ୍ଲାର ବଡମାଳଠାରେ ଗୁଳିଗୋଳା କାରଖାନା ରହିଛି ଯାହା କି ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ସ୍ୱିଜରଲାଣ୍ଡ ଏବଂ ବୁଲଗେରିଆ ଭଳି ରାଷ୍ଟ୍ରରୁ ପ୍ରଦତ୍ତ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି।

ଏହାଛଡା କଟକ ଜିଲ୍ଲାର ଚୌଦ୍ୱାର ନିକଟସ୍ଥ ଚାରବାଟିଆଠାରେ ଗୋଇନ୍ଦା ବିମାନ ଅବତରଣ କେନ୍ଦ୍ର ରହିଛି।

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ପ୍ରତିରକ୍ଷା ସମ୍ପର୍କିତ ଗୁୁରୁତ୍ୱ ରହିଛି ବୋଲି ତଥାଭିଜ୍ଞ ମହଲର ମତ। ତେଣୁ ଏସବୁ ପ୍ରତିଷ୍ଠାନର କଡ଼ା ସୁରକ୍ଷା ପ୍ରତି ଧ୍ୟାନ ଦେବା ଦରକାର। ଯଦିଓ ଓଡ଼ିଶା ଦେଶର ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ କିନ୍ତୁ ଏହି କାରଣରୁ ଏହା ଶତ୍ରୁ ପକ୍ଷର ଟାର୍ଗେଟରେ ରହିବା ଆଶଙ୍କା ରହିଛି। ଏ ପ୍ରସଙ୍ଗରେ ପୁଲିସ ଡିଜି ଡା.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ମତାମତ ଲାଗି ତାଙ୍କୁ ଯୋଗାଯୋଗ କରାଯାଇଥିଲା। ମାତ୍ର ବ୍ୟସ୍ତତା ହେତୁ ସେ ମତାମତ ଦେଇ ପାରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe