ଓଡ଼ିଶା ନାଟ୍ୟସଂଘର ନିର୍ବାଚନ ୬ ମାସ ଘୁଞ୍ଚିଲା

Advertisment
ଓଡ଼ିଶା ନାଟ୍ୟସଂଘର ନିର୍ବାଚନ ୬ ମାସ ଘୁଞ୍ଚିଲା

Times of India

ଭୁବନେଶ୍ବର : କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଓଡ଼ିଶା ନାଟ୍ୟ ସଂଘର ନିର୍ବାଚନ ୬ ମାସ ଘୁଞ୍ଚାଇ ଦିଆଯାଇଛି। ଓଡ଼ିଶା ନାଟ୍ୟ ସଂଘର କାର୍ଯ୍ୟକାରୀ ସମିତି ବୈଠକରେ ଉପସ୍ଥିତ ବରିଷ୍ଠ ସଦସ୍ୟ ଓ ଜିଲ୍ଲାସ୍ତରରୁ ଫୋନ୍‌ ‌ଯୋଗେ ନିଆଯାଇଥିବା କାର୍ଯ୍ୟକାରୀ ସଦସ୍ୟଙ୍କ ମତାମତକୁ ଆଧାର କରି ୨୦୨୧ ମସିହା ଫେବ୍ରୁଆରି ୧୨ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି। ଏଥିସହ ଚଳିତ ମାସରେ ହେବାକୁ ଥିବା ଦ୍ବିବାର୍ଷିକ ଅଧିବେଶନକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଶତାବ୍ଦୀର କଳାକାର ନାଟ୍ୟାନୁଷ୍ଠାନର ଚାଳଘରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଗରିବ ଓ ଅସୁସ୍ଥ କଳାକାରମାନଙ୍କୁ ଦୁର୍ଦ୍ଦିନରେ ସାହାଯ୍ୟର ହାତ ବଢ଼ାଇବାକୁ ଏକ କର୍ପସ ପାଣ୍ଠି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ନାଟ୍ୟ ସଂଘରେ ପଞ୍ଜୀକୃତ ପ୍ରତ୍ୟେକ ନାଟ୍ୟଦଳକୁ ଏହି ପାଣ୍ଠିରେ ୧ହଜାର ଟଙ୍କାର ଯୋଗଦାନ ଦେବାକୁ କୁହାଯାଇଛି। ସଂଘର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ପଶ୍ଚିମ, ଦକ୍ଷିଣ ଓ ଉତ୍ତରରେ ଥିବା ଉପସଭାପତିଙ୍କୁ ନେଇ ଗଠିତ ୬ ଜଣିଆ କମିଟି ହାତରେ ଏହି ପାଣ୍ଠିର ପରିଚାଳନା ଦାୟିତ୍ବ ନ୍ୟସ୍ତ କରାଯିବ। ଏହାବ୍ୟତୀତ ଓଡ଼ିଶାର ଜଣେ ବିଶିଷ୍ଟ ନାଟ୍ୟବ୍ୟକ୍ତିତ୍ବଙ୍କୁ ସଂସ୍କୃତି ବିଭାଗ‌‌ରେ ଉପନିର୍ଦେଶକ ପଦବିରେ ଅବସ୍ଥାପିତ କରିବା, ଓଡ଼ିଶାରେ କାର୍ଯ୍ୟରତ ନାଟ୍ୟାନୁଷ୍ଠାନ ଓ କଳାକାରମାନଙ୍କର ଏକ ଗ୍ରେଡେସନ ତାଲିକା ପ୍ରସ୍ତୁତ କରିବା ଦାବିକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିକଟରେ ଉପସ୍ଥାପିତ କରାଯିବାକୁ ସଂଘର କର୍ମକର୍ତାମାନେ ମନସ୍ଥ କରିଛନ୍ତି। ଏହି ସଭାରେ ସଂଘର ଉପଦେଷ୍ଟା ଧୀର ମଲ୍ଲିକ, ସଭାପତି ହରେନ୍‌ ସାହୁ, ଉପସଭାପତି ପ୍ରକାଶ ମହାରଣା, ସମ୍ପାଦକ ଲାଲା ବୀରେନ ରାୟ, ଯୁଗ୍ମ ସମ୍ପାଦକ ଶୁଭକାନ୍ତ ପାଢ଼ୀ, କୋଷାଧ୍ୟକ୍ଷ ସୁଶିଲ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଦସ୍ୟ ଦେବାନନ୍ଦ ନାୟକ ଓ ଶରତ ସମ୍ରାଟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe