ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣରେ ୪ର୍ଥ ଥର ପାଇଁ ଓଡ଼ିଶା ୧ ନମ୍ବର

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୫ବର୍ଷରେ ୨୪୮୯୩ କି.ମି ରାସ୍ତା ନିର୍ମାଣ

Nbmcw.com

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) କାର୍ଯ୍ୟାନ୍ବୟନ କରିବାରେ ଓଡ଼ିଶା ଚତୁର୍ଥ ଥର ପାଇଁ ଦେଶରେ ଅଗ୍ରଣୀ ହୋଇଛି। ୨୦୧୬-୧୭ରୁ ୨୦୧୯-୨୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଜାତୀୟ ସ୍ତରରେ ୧ ନମ୍ବର ସ୍ଥାନ ବଜାୟ ରଖିଛି। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁଣାତ୍ମକ ରାସ୍ତା ନିର୍ମାଣ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦିଆଯାଇଛି।

ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବିଭିନ୍ନ ଜିଲ୍ଲାରେ ପିଏମ୍‌ଜିଏସ୍‌ୱାଇର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟାନ୍ବୟନ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଆର୍ଥିକ ଓ ବୈଷୟିକ ଦିଗ ଉପରେ ଆଲୋଚନା ହୋଇଥିଲା। ଏହି ପର୍ଯ୍ୟାୟର ୯ ହଜାର ୪୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହାକୁ ଆସନ୍ତା ୨୦୨୪-୨୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି, ଭୂ-କେନ୍ଦ୍ରିକ ମ୍ୟାପିଂ କରି ଅଗ୍ରାଧିକାର ଭିତ୍ତିରେ ରାସ୍ତାଗୁଡ଼ିକ ନିର୍ମାଣ ପାଇଁ ସ୍ଥିର କରାଯାଉଛି। ଗୋଟିଏ ରାସ୍ତା କେତେ ଗ୍ରାମକୁ ସଂଯୋଗ କରିବ ଓ ଏହାଦ୍ବାରା କେତେ ଲୋକ ଉପକୃତ ହେବେ ତାକୁ ଗୁରୁତ୍ବ ଦିଆଯାଇଛି। ଏହାସହିତ ରାସ୍ତାଟି କେତେ ହସ୍ପିଟାଲ, ବିଦ୍ୟାଳୟ, ଗ୍ରାମୀଣ ବଜାର, ପର୍ଯ୍ୟଟନ ସ୍ଥଳୀମାନଙ୍କୁ ସଂଯୋଗ କରିବ ସେ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ବୈଠକରେ ଆଲୋଚନା ହୋଇଛି।

ତୃତୀୟ ପର୍ଯ୍ୟାୟର ପ୍ରଥମ ଦଫାରେ ୧୩ଟି ଜିଲ୍ଲାରେ ୩୫୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୫୧୮ଟି ପ୍ରକଳ୍ପର ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି। ସେଥିରୁ ଅନୁଗୁଳ ଜିଲ୍ଲାରେ ୨୯ଟି, ବରଗଡ଼ରେ ୪୧, ବୌଦ୍ଧରେ ୧୨, ଦେବଗଡ଼ରେ ୧୨, ଢେଙ୍କାନାଳରେ ୩୫, ଗଜପତିରେ ୪୧, ଝାରସୁଗୁଡ଼ାରେ ୨୬, କନ୍ଧମାଳରେ ୫୭, କେନ୍ଦୁଝରରେ ୫୨, କୋରାପୁଟରେ ୭୧, ରାୟଗଡ଼ାରେ ୪୬, ସୋନପୁରରେ ୨୮ ଓ ସୁନ୍ଦରଗଡ଼ରେ ୬୮ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ସମସ୍ତ ପ୍ରକଳ୍ପ ବାବଦରେ ସମୁଦାୟ ୨୨୦୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରମୌଳି ପଟ୍ଟନାୟକ ସୂଚନା ଦେଇଥିଲେ। ବାକି ୧୭ଟି ଜିଲ୍ଲାରେ ୫ ହଜାର ୯୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଡିପିଆର ପ୍ରସ୍ତୁତ କରିବାକୁ ସ୍ଥିର ହୋଇଛି।

ଏହି ଅବସରରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇ କହିଛନ୍ତି, ରାସ୍ତା ନିର୍ମାଣ ସମୟରେ ମୁଖ୍ୟ ରାସ୍ତାକୁ ଯେପରି ନିକଟବର୍ତ୍ତୀ ଗ୍ରାମ ଓ ଅନୁଷ୍ଠାନଗୁଡ଼ିକ ସଂଯୋଗ ହେବ ସେଥିପାଇଁ ଆବଶ୍ୟକ ଲିଙ୍କ୍‌ ରାସ୍ତା ଓ ପୋଲ ନିର୍ମାଣ କରାଯିବ। ଏ ବାବଦରେ କେନ୍ଦ୍ର ୬୦% ଓ ରାଜ୍ୟ ୪୦% ହାରରେ ଅର୍ଥ ଖର୍ଚ୍ଚ କରିବ। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ସୁଦର୍ଶନ ପରିଡ଼ା ସୂଚନା ଦେଇ କହିଛନ୍ତି, ଗତ ଆର୍ଥିକ ବର୍ଷରେ ରାଜ୍ୟରେ ୫ ହଜାର ୩୦୦ କିଲୋମିଟର ରାସ୍ତା ନିର୍ମାଣ ହୋଇଛି। ଯାହାକି ଜାତୀୟ ପୋର୍ଟାଲ୍‌ର ତଥ୍ୟ ଅନୁସାରେ ସବୁ ରାଜ୍ୟଠାରୁ ଅଧିକ। ଓଡ଼ିଶାକୁ ଲଗାତାର ଚତୁର୍ଥ ଥର ପାଇଁ ୧ ନମ୍ବର ସ୍ଥାନ ବଜାୟ ରଖିବାରେ ସଫଳତା ମିଳିଛି। ପିଏମ୍‌ଜିଏସ୍‌ୱାଇର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୬୦ ହଜାର ୩୩୪ କିଲୋମିଟର ରାସ୍ତା ଓ ୫୭୪ଟି ପୋଲ ନିର୍ମାଣ ହୋଇଛି। ଏ ବାବଦରେ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ପ୍ରାୟ ୨୫ ହଜାର ୬୮୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଉତ୍ପାଦନ କମିସନର ରାଜ କୁମାର ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପୂର୍ତ୍ତ ବିଭାଗ ଶାସନ ସଚିବ କ୍ରିଷନ କୁମାରଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe