ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଦର୍ଶନ ନେଇ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ : ଗ୍ରାମ୍ୟ ସଡ଼କ ନିର୍ମାଣରେ ଓଡ଼ିଶା ଦେଶରେ ପ୍ରଥମ

Advertisment

୯୨୨ଟି ଗାଁକୁ ସଡ଼କ ନାହିଁ, ବର୍ଷକୁ ହାରାହାରି ନିର୍ମାଣ ହେଉଛି ୨୦୦ ସେତୁ, ଏ ବର୍ଷ ୨୫୦୦ ଗ୍ରାମକୁ ସବୁଦିନିଆ ରାସ୍ତା

୯୨୨ଟି ଗାଁକୁ ସଡ଼କ ନାହିଁ, ବର୍ଷକୁ ହାରାହାରି ନିର୍ମାଣ ହେଉଛି ୨୦୦ ସେତୁ, ଏ ବର୍ଷ ୨୫୦୦ ଗ୍ରାମକୁ ସବୁଦିନିଆ ରାସ୍ତା

ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଦର୍ଶନ ନେଇ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ : ଗ୍ରାମ୍ୟ ସଡ଼କ ନିର୍ମାଣରେ ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶା ଲଗାତାର ଭାବେ ସଫଳତା ହାସଲ କରୁଛି। ୨୦୧୬-୧୭ରେ ୫୭୯୭ କି.ମି. କି.ମି. ରାସ୍ତା ନିର୍ମାଣ କରି ସର୍ବଭାରତୀୟ ସ୍ତରରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଗତ ଆର୍ଥିକ ବର୍ଷରେ ୭ ହଜାର କି.ମି. ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୭୧୭୬ କି.ମି. ରାସ୍ତା ନିର୍ମାଣ କରି ଲକ୍ଷ୍ୟ ଅତିକ୍ରମ କରିି ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ଓଡ଼ିଶା। କେବଳ ଜାତୀୟ ସ୍ତରରେ ନୁହେଁ, ଓସ୍‌ଡମା ପାଇଁ ୨୯୬ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରି ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରଶଂସିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଦର୍ଶନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିବା ସହିତ ଗ୍ରାମ ସଡ଼କ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବିଭାଗକୁ ଧନ୍ୟବାଦ ଦେଇଛନ୍ତିି।

ଆଜି ବିଭାଗର ପ୍ରଦର୍ଶନ ସଂପର୍କରେ ଉପସ୍ଥାପନ କରିବା ବେଳେ ଗଣମାଧ୍ୟମକୁ ଏ କଥା କହିଥିଲେ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସେ କହିଲେ, ଗତ ଚାରିବର୍ଷରେ ୮୧୪୩ କୋଟି ଖର୍ଚରେ ୨୧୦୪୯ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ କରାଯାଇଛି। ଫଳରେ ୬୦୩୦ ଗ୍ରାମକୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି। ତେବେ ରାଜ୍ୟର ଆହୁରି ୯୨୨ଟି ଗ୍ରାମକୁ ସଡ଼କ ସଂଯୋଗୀକରଣ ବାକି ରହିଛି। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩୨୦ଟି ଓ ଅନ୍ୟାନ୍ୟ ଯୋଜନାରେ ଅବଶିଷ୍ଟ ଗ୍ରାମଗୁଡ଼ିକୁ ସଂଯୋଗୀକରଣ ସଡ଼କ ନିର୍ମାଣ କରାଯିବ। ୨୦୧୪-୧୫ରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୮୨୦.୪୫ କୋଟି ଖର୍ଚ କରାଯାଇ ୧୨୫୪ କି.ମି. ରାସ୍ତା ନିର୍ମିତ ହୋଇଛି। ଫଳରେ ୩୦୩ଟି ଗ୍ରାମକୁ ସଂଯୋଗ କରାଯାଇଛି। ଏ ବର୍ଷ ୩୭୫ଟି ଗ୍ରାମକୁ ସଂଯୋଗ ପାଇଁ ୭୦୦ କୋଟିର ବଜେଟ୍‌ ବ୍ୟବସ୍ଥା ହୋଇଥିବା ସେ କହିଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗରେ ପ୍ରାୟ ୨୨୮୨ କୋଟିର ଅନିୟମିତତା ସଂପର୍କରେ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ପ୍ରବୀର କୁମାର ପ୍ରଧାନଙ୍କ କାରଣ ଦର୍ଶାଅ ନୋଟିସ ଜାରି ହେବା ସଂପର୍କରେ ମନ୍ତ୍ରୀ କହିଲେ, ସଂପୃକ୍ତ ଯନ୍ତ୍ରୀ ନୋଟିସର ଉତ୍ତର ଦେଇଛନ୍ତି। ଇତି ମଧ୍ୟରେ ରାସ୍ତା ରକ୍ଷଣାବେକ୍ଷଣ ନୀତି କାର୍ଯ୍ୟକାରୀ ହେଉଛି। ବିନାନୁମୋଦନରେ ହୋଇଥିବା କାର୍ଯ୍ୟଗୁଡ଼ିକୁ ନୀତି ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିବା ସେ କହିଥିଲେ। ବିଭାଗର ସଫଳତା ବଖାଣି ଶ୍ରୀ ଆରୁଖ କହିଲେ, ୨୦୧୧-୧୨ରୁ ଆରମ୍ଭ ହୋଇଥିବା ବିଜୁ ସେତୁ ଯୋଜନାରେ ୧୦୩୨ଟି ସେତୁ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ସେଥିମଧ୍ୟରୁ ୧୬୧୦ କୋଟି ବିନିଯୋଗରେ ୫୮୪ଟି ସେତୁ ନିର୍ମାଣ କାର୍ଯ୍ୟ ସରିଛି। ବିଜୁ ସେତୁ ହେଉ ବା ଅନ୍ୟାନ୍ୟ ସେତୁ ଯୋଜନାରେ ବର୍ଷକୁ ହାରାହାରି ୨୦୦ରୁ ଅଧିକ ସେତୁ ନିର୍ମାଣ କରାଯାଉଛି। ଗ୍ରାମାଞ୍ଚଳ କୋଠାବାଡ଼ି କାର୍ଯ୍ୟକ୍ରମରେ ଗତ ଚାରିବର୍ଷରେ ୧୭୫ଟି ଆଦର୍ଶ ବିଦ୍ୟାଳୟ, ୯ଟି ତହସିଲ୍‌, ୧୫୦୭ଟି ସ୍ୱାସ୍ଥ୍ୟାନୁଷ୍ଠାନ, ୧୭୫ଟି ଗୋଦାମଘର, ୨୯୬ଟି ବାତ୍ୟା ଆଶ୍ରୟସ୍ଥଳୀ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୯୭ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଛି। ବିଜୁ କେବିକେ ଯୋଜନାରେ ଗତ ଚାରିବର୍ଷରେ ୧୦୪୮ କୋଟି ବ୍ୟୟରେ ୨୯୨୫ କି.ମି. ରାସ୍ତାର ନିର୍ମାଣ ସରିଛି। ଏହାବ୍ୟତୀତ, ସବୁଜ ବୈଷୟିକ ପ୍ରଣାଳୀରେ ୧୫୩୩ କି.ମି. ରାସ୍ତା ନିର୍ମାଣ କରାଯାଇଛି। ରାସ୍ତା ନିର୍ମାଣ, ରକ୍ଷଣାବେକ୍ଷଣ, ନୂଆ ବୈଷୟିକ ଜ୍ଞାନକୌଶଳ ସଂପର୍କରେ ତାଲିମ ଦେବା ପାଇଁ ଭୁବନେଶ୍ୱରରେ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋଲାଯାଇଥିବା ବେଳେ ଆଉ ଜିଲ୍ଲା ସ୍ତରରେ ୬ଟି କେନ୍ଦ୍ର ସ୍ଥାପନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe