ନାସିକ୍ ବେପାରୀଙ୍କ କବ୍‌ଜାରେ ଓଡ଼ିଶା ପିଆଜ ବଜାର

Advertisment
ସରକାରଙ୍କୁ ପିଆଜ ଚିନ୍ତା: ୪୦% ରପ୍ତାନି ଶୁଳ୍କ ଲାଗିଲା

India TV

ପିଆଜ ଉତ୍ପାଦନ କମିନି; ଦର କିନ୍ତୁ ବଢ଼ୁଛି
ସଂରକ୍ଷଣ ସମସ୍ୟା ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶିକାର
ଅନୁଗୁଳରେ ନିର୍ମାଣ ହେବ ହଜାରେ ଟନ୍‌ର ଗୋଦାମ

ଭୁବନେଶ୍ବର : ଚାହିଦା ଅନୁସାରେ ହେଉଛି ପିଆଜ ଉତ୍ପାଦନ। କିନ୍ତୁ ଗୋଦାମ ଅଭାବ ସହିତ ସଂରକ୍ଷଣ ସମସ୍ୟା ଯୋଗୁଁ ଆକାଶଛୁଆଁ ହେଲାଣି ଦର। ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ କିଲୋ ୫୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି ପିଆଜ। ଏଭଳି ପରିସ୍ଥିତିରେ ଉଭୟ ଚାଷୀ ଓ ଗ୍ରାହକ ହନ୍ତସନ୍ତ ହେଉଥିବା ବେଳେ ଏଥିରୁ ଫାଇଦା ଉଠାଉଛନ୍ତି ରାଜ୍ୟ ବାହାରର ପିଆଜ ବେପାରୀ।

ରାଜ୍ୟ କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ବର୍ଷକୁ ପ୍ରାୟ ୩.୭୫ ଲକ୍ଷ ଟନ୍‌ ପିଆଜର ଚାହିଦା ଥାଏ। ସେହି ଅନୁଯାୟୀ ପିଆଜ ଉତ୍ପାଦନ ହେଉଛି। ନୂଆପ଼ଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, ନବରଙ୍ଗପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କେବଳ ରବି ଋତୁରେ ପିଆଜ ଚାଷ ହୁଏ। ଏପ୍ରିଲ, ମେ’ ମାସ ବେଳକୁ ଚାହିଦାଠାରୁ ଅଧିକ ପରିମାଣରେ ପିଆଜ ବଜାରକୁ ଆସିଯାଉଥିବାରୁ ଦର ଏତେ କମିଯାଏ ଯେ ଚାଷୀ ଲାଭ କରିପାରେ ନାହିଁ। ଫଳରେ ଚାଷୀ କିଲୋ ୩.୫୦ରୁ ୫.୫୦ ଟଙ୍କା ପିଆଜ ବିକିବାକୁ ବାଧ୍ୟ ହୁଏ ଏବଂ ଅଭାବୀ ବିକ୍ରିର ଶିକାର ହୁଏ। ତେବେ ଅଗ‌ଷ୍ଟ ମାସରୁ ଓଡ଼ିଶା ବଜାରରେ ପିଆଜର ଅଭାବ ଆରମ୍ଭ ହୋଇଯାଏ। ଆଉ ଓଡ଼ିଶାର ପିଆଜ ବଜାର ନାସିକ୍ ବେପାରୀଙ୍କ କବ୍‌ଜାକୁ ଚାଲିଯାଏ। ନଭେମ୍ବର ମାସ ବେଳକୁ ବାହାର ରାଜ୍ୟରୁ ଆବଶ୍ୟକତା ଅନୁସାରେ ପିଆଜ ଯୋଗାଣ ହେଉ ନ ଥିବାରୁ ଦର ପ୍ରାୟ ଶହେ ଟଙ୍କାକୁ ଛୁଇଁଯାଏ।

କୃଷି ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଶୀତଳଭଣ୍ଡାରରେ ପିଆଜ ସର୍ବାଧିକ ୨ରୁ୩ ମାସ ରଖାଯାଇ ପାରିବ। ତେଣୁ ପ୍ରାୟ ଅଳ୍ପ ଦରରେ ସ୍ଥାନୀୟ ବଜାରରେ ବିକ୍ରି ହୋଇଯାଏ, ବାକି ୭୫ ପ୍ରତିଶତ ରପ୍ତାନି ହୁଏ। ଏପରିକି କିଛି ବର୍ଷ ରପ୍ତାନି ବେଳେ ଅଧିକ ଦର ମିଳିଗଲେ ଚାଷୀ କୌଣସି ପିଆଜ ସଂରକ୍ଷିତ ନରଖି ସବୁ ବାହାରକୁ ପଠାଇ ଦିଅନ୍ତି। ଏହା ପରବର୍ତ୍ତୀ ସମୟରେ ପିଆଜ ଅଭାବର ବଡ଼ କାରଣ ପାଲଟେ। ସମ୍ବଲପୁର ପିଆଜ ଚାଷୀ କୁଶଧ୍ବଜ ଚୌଧୁରୀ କହନ୍ତି, ପ୍ରତିବର୍ଷ ରବିରେ ସେ ୧ ଏକର ଜମିରେ ପିଆଜ ଚାଷ କରନ୍ତି। ଆଉ ଏପ୍ରିଲ ମାସରେ ଅମଳ ବେଳକୁ ନିକଟସ୍ଥ ଦୋକାନରେ ୫ରୁ ୧୦ ଟଙ୍କାରେ ବିକ୍ରି କରି ଦିଅନ୍ତି। ସରକାରଙ୍କ ପକ୍ଷରୁ କ୍ରୟ କରି ଉପଯୁକ୍ତ ଭାବରେ ସଂରକ୍ଷଣ କରି ରଖିଲେ ଅକ୍ଟୋବର, ନଭେମ୍ବରରେ ଏଭଳି ସମସ୍ୟା ହୁଅନ୍ତା ନାହିଁ।

publive-image The Rising Nepal

କୃଷି ବିଭାଗର ଗବେଷଣା ଶାଖା ଅନୁସାରେ, ଚାଷୀ କେବଳ ଶୀତ ଋତୁରେ ପିଆଜ ଚାଷ ନକରି ନାସିକ ଏବଂ ଆନ୍ଧ୍ରପ୍ରଦେଶ ଭଳି ବର୍ଷକୁ ୩ ଥର ୮ ମାସ ଧରି ଥାକଥାକ କରି ପିଆଜ ଚାଷ କରିବା ଉଚିତ। କମ୍‌ ବୃଷ୍ଟିପାତ ଅଞ୍ଚଳରେ ଅଧିକ ପିଆଜ ଚାଷ ହେଉଥିଲେ ଏଭଳି ଦର ମଧ୍ୟ ବଢନ୍ତା ନାହିଁ। ନାସିକରେ ଏକ ପ୍ରକାର ନାଲି ପିଆଜ ଆସିଥାଏ, ବର୍ଷା ଦିନରେ ଏହା ନଷ୍ଟ ହେଲେ ଦର ଆହୁରି ଅଧିକ ହୋଇଯାଏ।

ଏ ନେଇ ନାଫେଡ୍‌ ମଧ୍ୟ କହିଛି ଯେ ମହାରାଷ୍ଟ୍ର ଭଳି ଓଡ଼ିଶାରେ ପିଆଜକୁ ରଖିବା ପାଇଁ ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା ନାହିଁ। ଏଥିଯୋଗୁଁ ସେମାନେ ଏଠାକାର ପିଆଜ କ୍ରୟ କରନ୍ତି ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ନାଫେଡ୍‌ ପକ୍ଷରୁ ଅନୁଗୁଳରେ ଏକ ହଜାର ଟନ୍‌ ସଂରକ୍ଷଣ କ୍ଷମତା ବିଶିଷ୍ଟ ଗୋଦାମ ନିର୍ମାଣ ହେବ ବୋଲି କହିଛନ୍ତି ନାଫେଡର ଓଡ଼ିଶା ଶାଖା ପରିଚାଳିକା ଭାବ୍ୟା ଆନନ୍ଦ। ଏକ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଉତ୍ପାଦନ ଭଲ ହେଲେ ମହାରାଷ୍ଟ୍ର ଓ ଗୁଜରାଟ ଭଳି ଓଡ଼ିଶାରୁ ମଧ୍ୟ ପିଆଜ କ୍ରୟ କରାଯିବ।
ଅନ୍ୟପକ୍ଷରେ ଏବେ ରାଜ୍ୟରେ ସୃଷ୍ଟି ହୋଇଥିବା ପିଆଜ ଦରବୃଦ୍ଧିକୁ ରୋକିବା ପାଇଁ ଅଣ୍ଟା ଭିଡ଼ିଛି ନାଫେଡ୍‌। ସ୍ଥିତି ନିୟନ୍ତ୍ରଣ ପାଇଁ ନାଫେଡ୍‌ ପକ୍ଷରୁ ଭୁବନେଶ୍ବରର ଆଇଗିଣିଆ, କଟକ ଏବଂ ବ୍ରହ୍ମପୁରରେ ୨୮ରୁ ୩୦ ଟଙ୍କା ମଧ୍ୟରେ ପିଆଜ ବିକ୍ରି କରାଯାଉଛି। ଗ୍ରାହକମାନଙ୍କୁ ଏହାର ଲାଭ ନେବା ପାଇଁ ନାଫେଡ୍‌ ଅନୁରୋଧ କରିଛି।

ଭୁବନେଶ୍ବର କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତି ମିଶ୍ରଙ୍କ କହିବା ଅନୁସାରେ, ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ମାର୍କେଟିଂ ବ୍ୟବସ୍ଥା ଯୋଗୁଁ ପିଆଜର ଖୁଚୁରା ଦର ଆକାଶଛୁଆଁ ହେଉଛି। ଏପରିକି ବର୍ତ୍ତମାନ ମଧ୍ୟ ହୋଲସେଲ୍‌ରେ ପିଆଜ ୩୨ରୁ ୩୫ ଟଙ୍କାରେ ବିକ୍ରି ହେଉଛି, ମାତ୍ର ବିଭିନ୍ନ ସ୍ଥାନରେ କଳାବଜାରୀମାନେ ବେଆଇନ ଭାବରେ ପିଆଜ ଗଚ୍ଛିତ କରି କିଲୋପିଛା ୫୦ରୁ ୬୦ ଟଙ୍କା ନେଇଯାଉଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ଏଥିପାଇଁ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe