ଭୁବନେଶ୍ବର/ବରଗଡ଼: କେରଳର କାସରଗଡ଼ସ୍ଥିତ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରେ ଅଧୟନରତ ଜଣେ ଓଡ଼ିଆ ଛାତ୍ରୀ ଶିକ୍ଷାନୁଷ୍ଠାନର ଛାତ୍ରାବାସରେ ଝୁଲିପଡ଼ିଛନ୍ତି। ମୃତ ଛାତ୍ରୀ ହେଲେ ରୁବି ପଟେଲ (୨୭)। ସେ ପିଏଚ୍ଡି ଛାତ୍ରୀ ଥିଲେ। ପୁଲିସ ଏନେଇ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ସାଲେପାଲି ଗ୍ରାମର ଛନ୍ଦାଚରଣ ପଟେଲଙ୍କ ସାନ ଝିଅ ରୁବି ପଟେଲ କେରଳର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ହିନ୍ଦି ବିଷୟରେ ପିଏଚ୍ଡି କରୁଥିଲେ। ସେ ବିଶ୍ବବିଦ୍ୟାଳୟର ଛାତ୍ରାବାସ ‘ନିଳା’ରେ ରହୁଥିଲେ। ଗତକାଲି ପୂର୍ବାହ୍ଣ ୧୧ଟା ୩୦ରେ ରୁବିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା। ବେକାଲ ଥାନା ପୁଲିସ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଷ୍ଟମର୍ଟମ ପରେ ରୁବିଙ୍କ ମୃତଦେହ ଆଜି ଗାଁକୁ ଆସିବ। ମୃତଦେହ ପହଞ୍ଚିବା ପୂର୍ବରୁ କାନ୍ଦବୋବାଳିରେ ପରିବାର ଫାଟି ପଡୁଛି। ସାଲେପାଲି ଗାଁରେ ଶୋକର ଛାୟା ଖେଳି ଯାଇଛି।
ଅନ୍ୟପଟରେ ଭାରତୀୟ ଛାତ୍ର ସଂଗଠନ (ଏସ୍ଏଫ୍ଆଇ) ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ରୁବିଙ୍କ ମୃତ୍ୟୁ ନେଇ ଧାରଣା ଦିଆଯାଇଛି। ଛାତ୍ର ସଂଗଠନ ଅଭିଯୋଗ ଆଣିଛନ୍ତି ଯେ, ଗବେଷଣାରତ ଛାତ୍ରୀଙ୍କୁ ମାନସିକ ଭାବେ ନିର୍ଯାତନା ଦିଆଯାଇଛି। କେରଳ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଛାତ୍ର ପରିଷଦ ସଭାପତି ଶ୍ରୀହରି ଏ ଗଣମାଧ୍ୟମକୁ କହିଛନ୍ତି, ଏସ୍ଏଫ୍ଆଇ ଛାତ୍ରସଂଗଠନର ସଦସ୍ୟମାନେ କୁଳପତିଙ୍କୁ ଭେଟିଛନ୍ତି ଓ ଧାରଣା ଦେଇଛନ୍ତି। ସେମାନେ ବିଶ୍ବବିଦ୍ୟାଳୟ ପରିସରରେ ଜଣେ ମାନସିକରୋଗୀ ବିଶେଷଜ୍ଞଙ୍କ ନିଯୁକ୍ତି ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଶ୍ବବିଦ୍ୟାଳୟ ପରିସରରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ମାନସିକ ରୋଗୀ ବିଶେଷଜ୍ଞ ନାହାନ୍ତି। ଏହି କାରଣରୁ ଜଣେ ଛାତ୍ରୀ ଜୀବନ ହାରିଛନ୍ତି। ଅନ୍ୟ ଦୁଇ ଜଣ ଛାତ୍ର ମଧ୍ୟ ନିଜ ଜୀବନ ଶେଷ କରିବାକୁ ଉଦ୍ୟମ କରିଛନ୍ତି।
Follow Us