ବେଆଇନ ବାଣ ବିକିଲେ ଫସିିବେ ଦୋକାନୀ

Advertisment

ପୁଲିସ ଡିଜିଙ୍କ ପରାମର୍ଶବଳୀ ଜାରି

ପୁଲିସ ଡିଜିଙ୍କ ପରାମର୍ଶବଳୀ ଜାରି

ବେଆଇନ ବାଣ ବିକିଲେ ଫସିିବେ ଦୋକାନୀ

କଟକ : ସରକାରୀ ସ୍ୱୀକୃତିପ୍ରାପ୍ତ ସଂସ୍ଥାର କେବଳ ବାଣ ବଜାରରେ ବିକ୍ରି କରାଯିବ। ବେଆଇନ ବାଣ ବିକିଲେ ଗିରଫ ହେବେ ବାଣ ଦୋକାନୀ। କାଳୀପୂଜାରେ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତ ଉପରେ ୨୪ ଘଣ୍ଟା କଡ଼ା ନଜର ରଖାଯିବ। ପର୍ଯ୍ୟାପ୍ତ ପୁଲିସ କର୍ମୀଙ୍କୁ ମୁତୟନ କରାଯିବ। ଏ ସଂକ୍ରାନ୍ତରେ ଆଜି ରାଜ୍ୟ ପୁଲିସ ଡିଜି ଆର୍‌.ପି. ଶର୍ମା ଏକ ପରାମର୍ଶବଳୀ ଜାରି କରିଛନ୍ତି।

ସୂଚନା ଅନୁଯାୟୀ ଦୀପାବଳି ଏବଂ କାଳୀପୂଜା ଶାନ୍ତିଶୃଙ୍ଖଳାରେ ଆୟୋଜନ କରିବା ଉଦ୍ଦେଶ୍ୟରେ ପୁଲିସ ଡିଜି ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି, କମିସନରେଟ୍‌ ପୁଲିସର ଡିସିପି ଏବଂ ରେଳବାଇ ପୁଲିସକୁ ପରାମର୍ଶବଳୀ ଜାରି କରିଛନ୍ତି। ଏଥିରେ ଦର୍ଶାଯାଇଛି କି, ବେଆଇନ ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଜାରି କରାଯିବ। କୌଣସି ଦୋକାନୀ ଏଭଳି ଢଙ୍ଗରେ ବାଣ ବିକ୍ରି କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାଣ ଦୋକାନ ମଧ୍ୟରେ ବ୍ୟବଧାନ, ଅଗ୍ନିନିରୋଧକ ବ୍ୟବସ୍ଥା ଅନୁସରଣ କରାଯିବା ବାଧ୍ୟତାମୂଳକ। କେବଳ ଅନୁମତି ପ୍ରାପ୍ତ ଏବଂ ନାମୀ ସଂସ୍ଥାର ବାଣ ଦୋକାନୀ ବଜାରରେ ବିକ୍ରି କରିପାରିବେ। ୬୫ ଡେସିବେଲ୍‌ରୁ ଅଧିକ ଶବ୍ଦ କରୁଥିବା ବାଣ କିମ୍ବା ବିପଜ୍ଜନକ ବାଣ ବିକ୍ରି ସମ୍ପୂର୍ଣ୍ଣ ନିଷେଧ।

ଏସ୍‌ପି/ଡିସିପିମାନେ ନିଜ ଅଞ୍ଚଳରେ ଅଗ୍ନିନିରୋଧକ ବ୍ୟବସ୍ଥା ଏବଂ ଉଦ୍ଧାରକାରୀ ଟିମ୍‌କୁ ସଜାଗ ରଖିବାକୁ କୁହାଯାଇଛି। ଅଗ୍ନିକାଣ୍ଡ ଘଟିଲେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରିବ। ଏହାବାଦ୍‌ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ଓ୍ଵାର୍ଡ ଏବଂ ସ୍ୱତନ୍ତ୍ର ଭାବେ ଜରୁରିକାଳୀନ ବିଭାଗ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମ୍ବୁଲାନ୍ସ ମଧ୍ୟ ରୋଗୀଙ୍କୁ ଡାକ୍ତରଖାନା ନେବା ଆଣିବା ପାଇଁ ସଜାଗ ରହିବା ଜରୁରୀ। ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବା ସହିତ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଆଗୁଆ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାକୁ ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି।

ବାଣ ଫୁଟାଇବା ସମୟରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ସଚେତନା କରାଯିବ। ଜାରି ହୋଇଥିବା ପରାମର୍ଶବଳୀ ସମ୍ପର୍କରେ ଜିଲ୍ଲା ଏସ୍‌ପି/ଡିସିପି ସମସ୍ତ ଥାନା ଓ୍ଵାରି ଇନ୍‌ସପେକ୍ଟରଙ୍କୁ ସୂଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କଟକ ସମେତ ଭଦ୍ରକ, ଯାଜପୁର, ପୁରୀରେ କାଳୀପୂଜା ବଡ଼ ଆକାରରେ ଆୟୋଜିତ ହେଉଥିବାରୁ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପ୍ରତି ନଜର ରଖାଯିବ। ପୂଜା ମଣ୍ଡପ ନିକଟରେ ଚୋରି, ଛିନ୍‌ତାଇ ବଢ଼ିବାର ଆଶଙ୍କା ଥିବାରୁ ଉକ୍ତ ଅଞ୍ଚଳରେ ପର୍ଯ୍ୟପ୍ତ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯିବାକୁ ପୁଲିସ ଡିଜି ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe