Odisha Public Trust Bill passed: ଓଡ଼ିଶା ଜନବିଶ୍ବାସ ବିଲ୍ ପାରିତ: ଜୁଆ ଖେଳିଲେ ଜେଲ୍ ନାହିଁ, ୫ରୁ ୭୫ ହଜାର ପର୍ଯ୍ୟନ୍ତ ଜରିମାନା

ରାଜ୍ୟରେ ‌ଜୁଆ ଖେଳିକି ଧରାପଡ଼ିଲେ ଆଉ ଜେଲ୍‌ ଯିବାକୁ ପଡ଼ିବନି। କେବଳ ଜରିମାନା ଦେଇଦେ‌ଲେ ସରକାର ଜୁଆ ଖେଳିବାଜନିତ ଅପରାଧକୁ ମାଫ୍ କରିଦେବେ। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଜନବିଶ୍ବାସ ବିଲ୍‌, ୨୦୨୫ ଆଣିଛନ୍ତି।

Gambling

Gambling Photograph: (sambad.in )

ଭୁବନେଶ୍ବର: ରାଜ୍ୟରେ ‌ଜୁଆ ଖେଳିକି ଧରାପଡ଼ିଲେ ଆଉ ଜେଲ୍‌ ଯିବାକୁ ପଡ଼ିବନି। କେବଳ ଜରିମାନା ଦେଇଦେ‌ଲେ ସରକାର ଜୁଆ ଖେଳିବାଜନିତ ଅପରାଧକୁ ମାଫ୍ କରିଦେବେ। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଜନବିଶ୍ବାସ ବିଲ୍‌, ୨୦୨୫ ଆଣିଛନ୍ତି। ଏହି ବିଲ୍‌ରେ ୯ଟି ବିଭାଗର ୧୬ଟି ଆଇନ‌ର ସଂଶୋଧନ କରାଯାଇଥିବା ବେଳେ ଓଡ଼ିଶା ଜୁଆ ଖେଳ ପ୍ରତିରୋଧ ଅଧିନିୟମ,୧୯୫୫ରେ ବ୍ୟାପକ ସଂଶୋଧନ କରି ସମସ୍ତ ଜେଲ୍‌ ଦଣ୍ଡକୁ ଉଠାଇ ଜରିମାନାରେ ପରିଣତ କରାଯାଇଛି। ଏଥିରେ ମୁଖ୍ୟତଃ ୫ ହଜାରରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେଲେ ଜୁଆ ଖେଳାଳି, ସଂସ୍ଥାଙ୍କ ଅପରାଧ ମାଫ୍ କରିବାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଜୁଆ ଖେଳିଲେ ଯେଉଁ ୧ମାସରୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଥିଲା ତାହାକୁ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି।

FIR Against Pradeep Majhi: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ନାମରେ ଏତଲା

ଆଜି ବିଧାନସଭାରେ ଓଡ଼ିଶା ଜନବିଶ୍ବାସ ବିଲ୍‌, ୨୦୨୫‌କୁ ପାରିତ କରିବା ପାଇଁ ଦୀର୍ଘ ୪ଘଣ୍ଟା କାଳ ଆଲୋଚନା ହୋଇଥିବାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ କଡ଼ା ବିରୋଧ କରିଥିଲେ। ରାତାରାତି ଏହି ବିଲ୍‌କୁ ପ୍ରସ୍ତୁତ କରାଯାଇଛି ଏବଂ ତରବରିଆ ଭାବେ ପାରିତ ନକରି ବିଲ୍‌ଟିକୁ ଯାଞ୍ଚ କମିଟିକୁ ପଠାଇବାକୁ ଦାବି କରିଥିଲେ। କିନ୍ତୁ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଥିଲେ, ଏହି ବିଲ୍‌ ପାସ୍‌ ହେଲେ ରାଜ୍ୟରେ ଇଜ୍‌ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍ ଏବଂ ଇଜ୍ ଅଫ୍ ଲିଭିଂ ଆହୁରି ସହଜ ହେବ। ଓଡ଼ିଶାରେ ନିବେଶ ବଢ଼ିବ, ପୁଞ୍ଜିନିବେଶକାରୀଙ୍କର ସରକାରଙ୍କ ପ୍ରତି ବିଶ୍ବାସ ବଢ଼ିବ। 

ଏହା ଜନବିଶ୍ବାସ ନୁହେଁ, ଜନ ଅବିଶ୍ବାସ ବିଲ୍: ବିଜେଡି
ଜୁଆ ପାଇଁ ଗାଁ ଗାଁରେ ଗଣ୍ଡଗୋଳ ହେଉଛି, ସରକାର କ’ଣ ଜାଣିପାରୁନାହାନ୍ତି: କଂଗ୍ରେସ
ବିରୋଧୀ ‘ଅ’ ପାର୍ଟି ଭଳି କାମ କରୁଛନ୍ତି: ବିଜେପି

ଏହି ବିଲ୍ ରାତାରାତି ନୁହେଁ, ଦୀର୍ଘ ୬ ମାସ ଧରି ବିଭିନ୍ନ ଆଲୋଚନା, ପର୍ଯ୍ୟାଲୋଚନା କରି ଅଣାଯାଇଛି। ତେଣୁ ଯାଞ୍ଚ କମିଟିକୁ ଯିବାର କୌଣସି ଆବଶ୍ୟକତା ନାହିଁ। ସାରା ଦେଶରେ ୯ଟି ରାଜ୍ୟ ଏହାକୁ ଲାଗୁ କରିସାରିଲେଣି। ଆମେ ଯେଉଁ ୧୬ଟି ଆଇନରେ ସଂଶୋଧନ କରିଛୁ, ତାହା ଲୋକଙ୍କ ହିତକୁ ଦେଖି ଆଣିଛୁ। ତେଣୁ ଏହାକୁ ତୁରନ୍ତ ପାସ୍‌ କରି ଲାଗୁ କରାଯାଉ। ଦୀର୍ଘ ୪ ଘଣ୍ଟାର ଆଲୋଚନା ପରେ ଗୃହରେ ଅଧ୍ୟକ୍ଷତା କରୁଥିବା ସନାତନ ବିଜୁଳି ବିଲ୍‌ଟିକୁ ପାରିତ କରିଥିଲେ। 
ଓଡ଼ିଶା ଜନବିଶ୍ବାସ ବିଲ୍‌ ଉପରେ ଆଲୋଚନା ଆରମ୍ଭ କରି ବିଜେଡି ବିଧା‌ୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଦିଲ୍ଲୀରେ କିଛି ଲୋକ ଆଦାନୀ, ଅମ୍ବାନୀ ପାଖରେ ଦେଶକୁ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାର ଜଳ, ଜଙ୍ଗଲ, ଜମିକୁ ଶାଗମାଛ ଦରରେ ବିକିବାକୁ ଫନ୍ଦିଫିକର କରିଛନ୍ତି। ଏହି ବିଲ୍‌ଟି କେବଳ ବହୁରାଷ୍ଟ୍ରୀୟ କମ୍ପାନି, ବଡ଼ ପ୍ରତିଷ୍ଠାନ ପାଇଁ ଜନବିଶ୍ବାସ, ଓଡ଼ିଶାବାସୀଙ୍କ ପାଇଁ ଜନଅବିଶ୍ବାସ ବିଲ୍। ଏହି ବିଲ୍‌ରେ ବ୍ୟାପକ ତ୍ରୁଟି ରହିଛି। ଲୋକଙ୍କ ତ୍ରୁଟି ସଂଶୋଧନ ପାଇଁ କୌଣସି ସୁଯୋଗ ନଦେଇ ସିଧା ଜରିମାନା ଆଦାୟ କରାଯିବ। ପୂର୍ବରୁ ଯେଉଁ ଜରିମାନା ଥିଲା ତାକୁ ୧୦ ଗୁଣା ବଢ଼ାଇ ଦେଇଛ। ଏହା କେବଳ ତାନାସାହି ମାନସିକତା। ଜୁଆ ଖେଳ ଦ୍ବାରା କିପରି ଇଜ୍‌ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍ ହେବ? 

Raid: ଖଣି ବିଭାଗର ଚଢଉ: ହାଇୱା-ଟ୍ରାକ୍ଟର ଜବତ

ଧ୍ରୁବଚରଣ ସାହୁ କହିଥିଲେ, ଯଦି ବିଲ୍ ଲୋକଙ୍କ ସ୍ବାର୍ଥ ପାଇଁ ଆଣୁଛ ବୋଲି କହୁଛ ତେବେ ଏହା ଉପରେ ଜନମତ ସଂଗ୍ରହ କରାଯାଉ। ପୂର୍ବରୁ ଜୁଆ ଖେଳିଲେ ଅତି କମ୍‌ରେ ୧ମାସ ଜେଲ୍ ସହ ଜରିମାନା ଥିଲା। ହେଲେ ତୁମେ ୫ ହଜାର ଟଙ୍କା ଜରିମାନା କରି ଛାଡ଼ିଦେବ। ଗୌତମବୁଦ୍ଧ ଦାସ କହିଥିଲେ, ଏହି ବିଲ୍‌ ମାଧ୍ୟମରେ ବିଶ୍ବାସଘାତକତା କରିବା ପାଇଁ କେନ୍ଦ୍ର ସରକାର ୨୦୨୩ରୁ ନୀଳନକ୍ସା ପ୍ରସ୍ତୁତ କରିଛନ୍ତି। ଏହା କେବଳ କର୍ପୋରେଟ୍‌ ସଂସ୍ଥାଙ୍କୁ ସୁହାଇଲା ଭଳି ବିଲ୍। ଗଣେଶ୍ବର ବେହେରା କହିଥିଲେ, ରାଜ୍ୟ ସରକାର ନଭେମ୍ବର ୩ରେ ଓଡ଼ିଶା ଜନବିଶ୍ବାସ ଅଧ୍ୟାଦେଶ ଆଣିଲେ। ନଭେମ୍ବର ୨୭ରେ ବିଧାନସଭା ଆରମ୍ଭ ହେବାର ଥିଲା। ସରକାରଙ୍କର ଏମିତି କ’ଣ ଜରୁରୀକାଳୀନ ଆବଶ୍ୟକ ପଡ଼ିଲା ଯେ ତରବରିଆ ଭାବେ ଆଧ୍ୟାଦେଶ ଆଣିଲେ ଏବଂ ଏହାକୁ ରାଜ୍ୟପାଳ ଅନୁମୋଦନ କଲେ?
କଂଗ୍ରେସ ବିଧାୟକ ସିଏସ୍‌ ରାଜନ ଏକ୍କା କହିଥିଲେ, ଜୁଆ ପାଇଁ ଜରିମାନା ଆଦାୟ କରି ସରକାର ଏହାକୁ ପ୍ରୋତ୍ସାହିତ କରୁଛନ୍ତି। ଜୁଆ ପାଇଁ ଗାଁ ଗାଁରେ ଗଣ୍ଡଗୋଳ ହେଉଛି। ସରକାର ଜାଣିପାରୁନାହାନ୍ତି ଯେ ଏହାକୁ ପ୍ରଚାର ପ୍ରସାର କରିବାକୁ ଯାଉଛନ୍ତି। ସୋଫିଆ ଫିର୍‌ଦୋସ୍ କହିଥିଲେ, ସରକାର କୌଣସି ବିଲ୍ ପାସ୍ କରିବାବେଳେ ଆମ ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରୁନାହାନ୍ତି, କିନ୍ତୁ ବାରମ୍ବାର ସଂଶୋଧନ ଆଣୁଛନ୍ତି। ନିର୍ବାଚନ ଜିତିଛ ମାନେ ଲୋକଙ୍କ ଆସ୍ଥା ଜିତିଛ, ହେଲେ ଏହି ବିଲ୍ ଆଣି ଲୋକଙ୍କ ସହ ବିଶ୍ବାସଘାତ କରନି। 

ଶାସକ ଦଳ ପକ୍ଷରୁ ଇରାଶିଷ ଆଚାର୍ଯ୍ୟ କହିଥିଲେ, ପୂର୍ବରୁ ଜୁଆ ଖେଳିଲେ ମାସେରୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଥିଲା। ଏଥିରେ ଜେଲ୍ ଯିବା ଦୂର କଥା, ଥାନାକୁ ବି ଯିବାକୁ ପଡ଼ୁନଥିଲା। ସେହିପରି ବହୁ ଆଇନରେ ୧୦ଟଙ୍କା, ୫୦ଟଙ୍କା ଜରିମାନା ଥିଲା। ତାହାକୁ ଏବେ ବଢ଼ାଯାଇଛି। ବାବୁ ସିଂହ କହିଥିଲେ, ବିରୋଧୀ ଏବେ ‘ଅ’ ପାର୍ଟି ଭଳି କାମ କରୁଛନ୍ତି। ଯାହା ସରକାର କରୁଛନ୍ତି ତା’ପୂବରୁ ଖାଲି ‘ଅ’ ଲଗାଇ ଏହାକୁ ବିରୋଧ କରୁଛନ୍ତି। ଯେମିତି ଜନବିଶ୍ବାସକୁ ଜନଅବିଶ୍ବାସ କହୁଛନ୍ତି। ବିଧାୟକ ସନ୍ତୋଷ ଖଟୁଆ, ଦୁଷ୍ମନ୍ତ କୁମାର ସ୍ବାଇଁ, ପ୍ରତାପଚନ୍ଦ୍ର ନାୟକ, ଫକୀରମୋହନ ନାଏକ, ଦୁର୍ଗାପ୍ରସନ୍ନ ନାୟକ ଏହି ବିଲ୍ ସପକ୍ଷରେ ଯୁକ୍ତି ବାଢ଼ିଥିଲେ।
ଜନବିଶ୍ବାସ, ଜନ ଅଧିକାର ଓ ଜନହିତରେ ଏହି ବିଲ୍ ଅଣାଯାଇଛି: ଶିଳ୍ପ ମନ୍ତ୍ରୀ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଆଲୋଚନାର ଉତ୍ତର ରଖି କହିଥିଲେ, ଶିଳ୍ପ ସଂସ୍ଥାଗୁଡ଼ିକ ଉପରେ ମାତ୍ରାଧିକ ନିୟନ୍ତ୍ରଣ ଓ ଅତ୍ୟଧିକ କାର୍ଯ୍ୟାନୁଷ୍ଠାନକୁ ହଟାଇବା ପାଇଁ ଏହି ସଂସ୍କାର କରାଯାଇଛି। କେନ୍ଦ୍ର ସରକାରଙ୍କ ଆଇନ ସହ ସମନ୍ୱୟ ରକ୍ଷା କରି ଓଡ଼ିଶା ଜନବିଶ୍ୱାସ ବିଲ୍‌ ପ୍ରସ୍ତୁତ କରାଯାଇଛି। ଏହାଦ୍ବାରା ଅନାବଶ୍ୟକ ଅନୁପାଳନ ବୋଝ ହଟିବ। ଏହି ବିଲ୍ ଜନବିଶ୍ବାସ, ଜନ ଅଧିକାର ଓ ଜନହିତରେ ଅଣାଯାଇଛି। ଏହା ଜନ ଅବିଶ୍ବାସ ନୁହେଁ। ଏଥିରେ ଉଦ୍ଦେଶ୍ୟମୂଳକ ଠକେଇ, ସ୍ବାସ୍ଥ୍ୟ, ପରିବେଶ ଓ ସମାଜ ଉପରେ କୁପ୍ରଭାବ ପକାଉଥିବା କାର୍ଯ୍ୟ ଉପରେ ଦଣ୍ଡବିଧାନ ବ୍ୟବସ୍ଥା ଅଛି। ଏଥିରେ ଛୋଟ ଅପରାଧର ଦଣ୍ଡ କୋହଳ କରାଯାଇଛି। ଜୁଆ ଖେଳିଲେ ପୂର୍ବରୁ ଯେଉଁ ଜରିମାନା ୧୦୦ ଟଙ୍କା ଥିଲା ତାକୁ ୫ ହଜାର ଟଙ୍କା କରାଯାଇଛି, କାରାଦଣ୍ଡ କ୍ଷେତ୍ରରେ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ରଖାଯାଇଛି। ଏହି ଆଇନକୁ ଭାରତୀୟ ନ୍ୟାୟ ସଂହିତା ସହ ଯୋଡ଼ୁଛୁ। ଯେଉଁଠି ଆବଶ୍ୟକ ପଡ଼ିବ ସେଠାରେ ଆଇନ ଅନୁଯାୟୀ ଦଣ୍ଡବିଧାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe