ଓଡ଼ିଶା ସାହିତ୍ୟ ଏକାଡେମି ସାଧାରଣ ପରିଷଦ ସଦସ୍ୟ ନିଯୁକ୍ତିକୁ ଚାଲେଞ୍ଜ: ହାଇକୋର୍ଟଙ୍କ ଜବାବ ତଲବ

Advertisment
ଓଡ଼ିଶା ସାହିତ୍ୟ ଏକାଡେମି ସାଧାରଣ ପରିଷଦ ସଦସ୍ୟ ନିଯୁକ୍ତିକୁ ଚାଲେଞ୍ଜ: ହାଇକୋର୍ଟଙ୍କ ଜବାବ ତଲବ

କଟକ : ଓଡ଼ିଶା ସାହିତ୍ୟ ଏକାଡେମି ସାଧାରଣ ପରିଷଦରେ ଖୋର୍ଦ୍ଧା ଜିଲ୍ଲାରୁ କୌଣସି ସଦସ୍ୟଙ୍କୁ ସ୍ଥାନ ନ ଦିଆଯିବା ପ୍ରସଂଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଖୋର୍ଦ୍ଧାର ଦେବଦତ୍ତ ରାୟଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ୩ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ହାଇକୋର୍ଟରେ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଓଡ଼ିଶା ସାହିତ୍ୟ ଏକାଡେମି ସାଧାରଣ ପରିଷଦରେ କୃଷି ବିଭାଗରେ କାର୍ଯ୍ୟରତ ଅଧିକାରୀ ଅରବିନ୍ଦ ରାୟଙ୍କୁ ସଦସ୍ୟ ଭାବେ ଖୋର୍ଦ୍ଧା ଜିଲ୍ଲାରୁ ମନୋନୀତ କରାଯାଇ ନିଯୁକ୍ତି ଦିଆଯାଇଛି। ଖୋର୍ଦ୍ଧା ରାଜ୍ୟର ଏକ ପ୍ରମୁଖ ଜିଲ୍ଲା ହୋଇଥିବାବେଳେ ଏହି ଜିଲ୍ଲାର ଐତିହ୍ୟ ଓ ପରମ୍ପରାର ସ୍ୱତନ୍ତ୍ର ସ୍ଥାନ ରହିଛି। ଖୋର୍ଦ୍ଧାରେ ଅନେକ ବୁଦ୍ଧିଜୀବୀ ଓ ସାହିତ୍ୟିକ ଥିବା ବେଳେ ସେମାନଙ୍କୁ ଅଗ୍ରାଧିକାର ନ ଦିଆଯାଇ ଅନ୍ୟ ଜିଲ୍ଲାର ବାସିନ୍ଦାଙ୍କୁ ଏହି ଜିଲ୍ଲାରୁ ମନୋନୀତ କରାଯାଇଛି। ନିଯୁକ୍ତି ପାଇଥିବା ସଦସ୍ୟ ପୂର୍ବରୁ ଏକାଡେମିର ସାଧାରଣ ପରିଷଦରେ ଜଗତସିଂହପୁର ଓ କଟକ ଜିଲ୍ଲାରୁ ସଦସ୍ୟ ରହିଥିଲେ। ଶ୍ରୀ ରାୟଙ୍କ ସଦସ୍ୟତା ରଦ୍ଦ କରାଯାଉ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକଙ୍କୁ ଏକାଡେମିର ସାଧାରଣ ପରିଷଦର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ସଂସ୍କୃତି ବିଭାଗ ସଚିବ, ଓଡ଼ିଶା ସାହିତ୍ୟ ଏକାଡେମି, ଅରବିନ୍ଦ ରାୟଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe