ପଶ୍ଚିମବଙ୍ଗକୁ ଯାଉଛି ଓଡ଼ିଶା ବାଲି: ମାସକୁ ୨୦୦ କୋଟିର ବାଲି ଚାଲାଣ, ପ୍ରଶାସନର ଧରପଗଡ଼

Advertisment

ବାଲେଶ୍ବରରୁ ବେଧଡ଼କ ବାଲି ଚୋରି ହେଉଛି। ଏ ନେଇ ବିଭିନ୍ନ ସମୟରେ ଖବରମାନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ହେଁ ଖଣି ବିଭାଗର ନିଘା ନଥିଲା। ଏଭଳି ସ୍ଥିତିରେ ଆଜି ପ୍ରଶାସନ ଚଢ଼ଉ କରିବା ପରେ ବାଲି ଚୋରିର ଆଉ ଏକ ସାଂଘାତିକ ଚିତ୍ର ସାମନାକୁ ଆସିଛି।

ବାଲେଶ୍ବରରୁ ବେଧଡ଼କ ବାଲି ଚୋରି ହେଉଛି। ଏ ନେଇ ବିଭିନ୍ନ ସମୟରେ ଖବରମାନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ହେଁ ଖଣି ବିଭାଗର ନିଘା ନଥିଲା। ଏଭଳି ସ୍ଥିତିରେ ଆଜି ପ୍ରଶାସନ ଚଢ଼ଉ କରିବା ପରେ ବାଲି ଚୋରିର ଆଉ ଏକ ସାଂଘାତିକ ଚିତ୍ର ସାମନାକୁ ଆସିଛି।

scddfdf

ଜଳେଶ୍ବର/ବସ୍ତା-୨: ବାଲେଶ୍ବରରୁ ବେଧଡ଼କ ବାଲି ଚୋରି ହେଉଛି। ଏ ନେଇ ବିଭିନ୍ନ ସମୟରେ ଖବରମାନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ହେଁ ଖଣି ବିଭାଗର ନିଘା ନଥିଲା। ଏଭଳି ସ୍ଥିତିରେ ଆଜି ପ୍ରଶାସନ ଚଢ଼ଉ କରିବା ପରେ ବାଲି ଚୋରିର ଆଉ ଏକ ସାଂଘାତିକ ଚିତ୍ର ସାମନାକୁ ଆସିଛି। ଚଢ଼ଉ ସମୟରେ ୪୦୦ରୁ ଊର୍ଦ୍ଧ୍ବ ଗାଡ଼ି ଚୋରା ବାଲି କାରବାରରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ତେବେ, ନିୟମିତ ୧୦୦୦ଟି ଡମ୍ପର୍‌ରେ ବାଲି ବୋଝେଇ ହୋଇ ଯାଉଥିବାରୁ ଦିନକୁ ୬ କୋଟିରୁ ଊର୍ଦ୍ଧ୍ବ ଓ ମାସକୁ ୨୦୦ କୋଟି ଟଙ୍କାର ଚୋରା କାରବାର ହେଉଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ବାଲି ଚୋରା କାରବାରରୁ ସରକାର ବିପୁଳ ରାଜସ୍ବ ହରାଉଥିଲେ ମଧ୍ୟ ସମସ୍ତେ ନିରବ ରହୁଛନ୍ତି। ତେବେ, ଆଗକୁ ଚଢ଼ଉ ଜୋର୍‌ଦାର୍‌ ହେବ ବୋଲି ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି। ଉତ୍ତର ବାଲେଶ୍ବର କୁହାଯାଉଥିବା ୪ଟି ବ୍ଳକ୍‌ ବସ୍ତା, ଜଳେଶ୍ବର, ଭୋଗରାଇ ଓ ବାଲିଆପାଳରେ ବାଲି ଚୋରା କାରବାର ଅଧିକମାତ୍ରାରେ ଦେଖିବାକୁ ମିଳୁଛି। ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ବେଆଇନ ଭାବେ ଶହଶହ ଟ୍ରକ୍‌ ବାଲି ଉତ୍ତୋଳନ ହେଉଛି ଏବଂ ପଶ୍ଚିମବଙ୍ଗ ସହ ଅନ୍ୟସ୍ଥାନକୁ ଚାଲାଣ କରାଯାଉଛି। ଏ ନେଇ ତହସିଲ୍‌ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା। 

ଏପରିକି ଖଣି ବିଭାଗର ଅଧିକାରୀମାନେ ମଧ୍ୟ କୌଣସି ପଦକ୍ଷେପ ନେଉନଥିଲେ। ଆଜି ହଠାତ୍‌ ପ୍ରଶାସନ ପକ୍ଷରୁ ଧରପଗଡ଼ ହୋଇଥିଲା। ପୂର୍ବାହ୍ନରେ ଜଳେଶ୍ବର ତହସିଲଦାର ୧୬ ନମ୍ବର ଜାତୀୟ ରାଜପଥରେ ଚଢ଼ଉ କରି ୮୫ରୁ ଅଧିକ ବେଆଇନ ବାଲି ବୋଝେଇ ଗାଡ଼ି ଜବତ କରିଥିଲେ। ଜଳେଶ୍ବର ତହସିଲ ପକ୍ଷରୁ ଚଢ଼ଉ ଖବର ଶୁଣି ପାଖ ବ୍ଲକ୍‌ ବସ୍ତା ତହସିଲ୍‌ ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ରାଜଘାଟ, ପୁରୁଣା ଟୋଲ୍‌ ପ୍ଲାଜା, ଭେଲୋରା, ଗୁଡ଼ିଖାଳ ଆଦି ସ୍ଥାନରେ ୩୦୦ରୁ ଅଧିକ ବାଲିଗାଡ଼ି ଛାଡ଼ି ଡ୍ରାଇଭର୍‌ମାନେ ଚମ୍ପଟ ମାରିଥିଲେ। ଏ ନେଇ ବସ୍ତା ତହସିଲକୁ ଖବର ଦିଆଯିବା ସତ୍ତ୍ବେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ବସ୍ତା ପୁଲିସ ୨/୩ଟି ଗାଡ଼ିକୁ ଥାନା ନେଇଥିବା ବେଳେ ଅନ୍ୟ ଗାଡ଼ିଗୁଡ଼ିକ ରାଜଘାଟ ବାଇପାସ୍ ଦେଇ ମୟୂରଭଞ୍ଜ ଜିଲ୍ଲା ଆଡ଼କୁ ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା।

୮୫ ବାଲିବୋଝେଇ ଗାଡ଼ି ଜବତ
୩୦୦ ଗାଡ଼ି ଛାଡ଼ି ଡ୍ରାଇଭର୍‌ ଛୁ’

ବାଲି ଚୋରି ନେଇ ଏପରି ସାଂଘାତିକ ଚିତ୍ର ସାମନାକୁ ଆସିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମାଫିଆମାନେ ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିବା ବେଳେ ଏ ବାବଦରେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଆକଳନରୁ ଜଣାପଡ଼ିଛି, ଗୋଟିଏ ବାଲି ହାଇୱା ବା ଡମ୍ପର୍‌ରେ ୬୦ ହଜାର ଟଙ୍କାର ବାଲି ଯାଉଥିବାବେଳେ ପ୍ରତିଦିନ ୧୦୦୦ ଗାଡ଼ି ହିସାବରେ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଚୋରାକାରବାର ହେଉଛି। ତଦନୁଯାୟୀ ମାସକୁ ପାଖାପାଖି ୨୦୦ କୋଟି ଟଙ୍କାର କାରବାର ହେଉଛି। ମାତ୍ର, ଖଣି ବିଭାଗ ସହ ରାଜସ୍ବ ଓ ପୁଲିସ ବିଭାଗ ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ନେଇ ଚୁପ୍‌ ବସିଯାଉଛନ୍ତି।  ବାଲିମାଫିଆ ଓ ପ୍ରାଶାସନିକ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଏଭଳି କାରବାର ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ଜିଲ୍ଲା ଖଣି ଅଧିକାରୀ ସନ୍ତୋଷିନୀ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ବେଆଇନ ବାଲି ତଥା ଲଘୁ ଖଣିଜ ଚାଲାଣ ଓ ଉତ୍ତୋଳନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆଜି ଏବଂ ପୂର୍ବରୁ ଯେଉଁ ଗାଡ଼ିଗୁଡ଼ିକ ଜବତ ହୋଇଛି ସେମାନଙ୍କ ବିରୋଧରେ ଏତଲା କରାଯିବ। ତେବେ, ଖଣି ବିଭାଗରେ ଆବଶ୍ୟକ ମାନବ ସମ୍ବଳର ଅଭାବ ଥିବାରୁ ନିୟମିତ ଚଢ଼ଉରେ ପ୍ରତିବନ୍ଧକ ହେଉଥିବା ସେ ସ୍ବୀକାର କରିଛନ୍ତି। ଆଗରୁ ପୁଲିସ ଓ ରାଜସ୍ବ ବିଭାଗ ମିଳିତ ଭାବେ ଚଢ଼ାଉ କରୁଥିଲେ। ଏବେ ଖଣି ବିଭାଗ ସହିତ ସେମାନଙ୍କୁ ସାମିଲ୍‌ କରାଯାଇଥିବାରୁ ଧରପଗଡ଼ ଜୋର୍‌ଦାର୍‌ କରାଯାଇଛି। ଅନ୍ୟପଟେ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ‘ସମ୍ବାଦ’କୁ କହିଛନ୍ତି, ବେଆଇନ ଲଘୁ ଖଣିଜ ଉତ୍ତୋଳନ ଓ ଚାଲାଣ ବିରୋଧରେ ଏଣିକି ନିୟମିତ ଚଢ଼ଉ ହେବ। ଏ ସଂକ୍ରାନ୍ତରେ ଖଣି ବିଭାଗ, ପୁଲିସ ଓ ରାଜସ୍ବ ବିଭାଗକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe