ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍‌ ଆଗତ କରିଛନ୍ତି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ସବୁ କ୍ଷେତ୍ର ଓ ବର୍ଗର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ବଜେଟ୍‌ରେ ଅନେକ ଆଖିଦୃଶିଆ ଏବଂ ଆକର୍ଷଣୀୟ ଯୋଜନା ଘୋଷଣା କରିଛନ୍ତି। ବଜେଟ୍‌ର ଫୋକସ୍‌ ଏଥର ୬ଟି ବିଷୟ ଉପରେ ରହିଛି। ସେଗୁଡ଼ିକ ହେଲା ନାଗରିକଙ୍କୁ ପ୍ରାଥମିକତା, ଗ୍ରାମୀଣ ସଶକ୍ତୀକରଣ, ସମସ୍ତଙ୍କର ସମୃଦ୍ଧି, ଆମ ପରମ୍ପରା ଆମ ଗର୍ବ, ପଥ ପ୍ରଦର୍ଶନକାରୀ ପ୍ରଯୁକ୍ତି ଓ ଲୋକକୈନ୍ଦ୍ରିକ ପ୍ରଶାସନ। ଏସବୁକୁ ନେଇ ଏକ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣର ସ୍ବପ୍ନ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ବଜେଟ୍‌ ଆକାର ପ୍ରଥମଥର ପାଇଁ ୩ ଲକ୍ଷ କୋଟି ଟପିଛି। ଅର୍ଥାତ୍ ୨୦୨୬-୨୭ ବର୍ଷ ଲାଗି ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି ସରକାର। ୨୦୨୫-୨୬ ତୁଳନାରେ ବଜେଟ୍‌ ଆକାର ପାଖାପାଖି ୭ ପ୍ରତିଶତ ବଢ଼ିଛି। କେବଳ ସେତିକି ନୁହେଁ, ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ଏହା ୨୮ ପ୍ରତିଶତରେ ପହଞ୍ଚିଛି। ମୋଟ ବ୍ୟୟରୁ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୧ ଲକ୍ଷ ୮୦ ହଜାର କୋଟି ରଖାଯାଇଛି। ୨୦୨୫-୨୬ ବଜେଟ୍‌ରେ କାର୍ଯ୍ୟକ୍ରମ ବ୍ୟୟ ୧,୭୦,୦୦୦ କୋଟିରେ ରହିଥିଲା। ତେଣୁ ପୂର୍ବ ବଜେଟ୍ ତୁଳନାରେ ଏଥିର କାର୍ଯ୍ୟକ୍ରମ ବ୍ୟୟ ୧୦ ହଜାର କୋଟି ବୃଦ୍ଧି ପାଇଛି। 

Advertisment

Odisha Governor: ଉତ୍ତର-ପୂର୍ବାଞ୍ଚଳ ଭାରତର ଜାତୀୟ ଦୃଷ୍ଟିକୋଣରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ରାଜ୍ୟପାଳ

ବଜେଟ୍‌ରେ ବିକଶିତ ଭାରତ-ଜି ରାମ ଜି ପାଇଁ ୫୫୭୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସମୃଦ୍ଧ ଅଙ୍ଗନବାଡ଼ି ଯୋଜନାକୁ ୬୩୫ କୋଟି, ୧୦୦ଟି ସ୍ମାର୍ଟ ଫାର୍ମ ବଜାର (ମଡେଲ୍‌ ମଣ୍ଡି) ପାଇଁ ୧୦୦ କୋଟି, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିସନ୍‌କୁ ୧୦୦ କୋଟି, ବିଶ୍ବର ସର୍ବବୃହତ୍‌ ଶସ୍ୟ ସଂରକ୍ଷଣ ଯୋଜନା ପାଇଁ ୨୪୦ କୋଟି, ରେଆର୍‌ ଆର୍ଥ କରିଡର୍‌ ପାଇଁ ୧୦ କୋଟି, ସଂଯୋଗବିହୀନ ବାସସ୍ଥାନ ସହିତ ସଂଯୋଗୀକରଣ ପାଇଁ ୧୦୦୦ କୋଟି, ରାଜ୍ୟ ଏଆଇ ମିସନ୍‌ ପାଇଁ ୨୩ କୋଟି, ପର୍ଯ୍ୟଟନ ଭୂମି ବ୍ୟାଙ୍କ ଯୋଜନାରେ ୧୫୦ କୋଟି, ଡାଲଖାଇ ଯୋଜନାରେ ୨୨୦ କୋଟି, ଫିଟ୍‌ ଓଡ଼ିଶା ମିସନ୍‌ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାବ୍ୟତୀତ ପୁରୀରେ ଶ୍ରୀ ଜଗନ୍ନାଥଙ୍କ ବ୍ୟାଖ୍ୟା କେନ୍ଦ୍ର, ବିଶ୍ବ ପର୍ଯ୍ୟଟନ କେନ୍ଦ୍ର, ରାଜ୍ୟ ରୂପାନ୍ତରମୂଳକ ପଦକ୍ଷେପ ପ୍ରତିଷ୍ଠାନ (ଏସ୍‌ଆଇଟିଆଇ-ଓଡ଼ିଶା), ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଆଦି ଘୋଷଣା କରାଯାଇଛି।

ମୋଟ ୩,୧୦,୦୦୦ କୋଟିର ବ୍ୟୟ ଅଟକଳ ମଧ୍ୟରୁ ସରକାର କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୫୮ ପ୍ରତିଶତ, ପ୍ରାଶାସନିକ ବ୍ୟୟରେ ୩୭ ପ୍ରତିଶତ ଖର୍ଚ୍ଚ କରିବେ। ମୋଟ ପ୍ରାଶାସନିକ ବ୍ୟୟରୁ ପ୍ରତିଷ୍ଠାନ, ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦରେ ୨୭ ପ୍ରତିଶତ, ଋଣ ପରିଶୋଧ ବାବଦରେ ୭ ପ୍ରତିଶତ ଓ ସ୍ଥାନୀୟ ନିକାୟ ସଂସ୍ଥାଗୁଡ଼ିକୁ ଅର୍ଥ ସ୍ଥାନାନ୍ତର ବାବଦରେ ୩ ପ୍ରତିଶତ ଅର୍ଥ ଖର୍ଚ୍ଚ ହେବ। ଏହାବ୍ୟତୀତ ମୋଟ ବ୍ୟୟରୁ ସୁଧ ଦେୟ ବାବଦରେ ୩ ପ୍ରତିଶତ ଏବଂ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦରେ ୨ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବେ। ପୁଞ୍ଜିବ୍ୟୟ ୭୨,୧୦୦ କୋଟି ଟଙ୍କାରେ ବା ଜିଏସ୍‌ଡିପିର ୬.୫ ପ୍ରତିଶତରେ ରହିଛି। ସାମାଜିକ କ୍ଷେତ୍ର ପାଇଁ ମୋଟ ୧,୨୫,୫୮୩ କୋଟି ଟଙ୍କା ଖର୍ଚ୍ଚ କରାଯିବ, ଯାହାକି ମୋଟ ବଜେଟ୍‌ ଅଟକଳର ୪୦.୫ ପ୍ରତିଶତ। ଉନ୍ନୟନମୂଳକ ବ୍ୟୟ ୨,୨୮,୦୩୮ କୋଟି ଟଙ୍କା ବା ମୋଟ ବଜେଟ୍‌ ଅଟକଳର ୭୩.୬ ପ୍ରତିଶତ ରହିବ ବୋଲି ଦର୍ଶାଯାଇଛି।

ପୁରୀରେ ଶ୍ରୀଜଗନ୍ନାଥଙ୍କ ବ୍ୟାଖ୍ୟାକେନ୍ଦ୍ର, ପାଣ୍ଠି ପାଇଁ ‘ସମର୍ପଣ’
୬୦ ବର୍ଷରୁ ଅଧିକ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା
୮୦୦ କୋଟିରେ ଭୁବନେଶ୍ବରରେ ବିଶ୍ବସ୍ତରୀୟ ମ୍ୟୁଜିୟମ୍‌ 
ନୟାଗଡ଼ରେ ଫାର୍ମା, ଖୋର୍ଦ୍ଧାରେ ମେଡ୍‌ଟେକ୍‌ ପାର୍କ
ଦାଦନ ରୋକିବାକୁ ‘ଡାଲ୍‌ଖାଇ’ ୪ଟି ନୂଆ ବିଶ୍ବବିଦ୍ୟାଳୟ 

ସରକାର ୩୩ ହଜାର କୋଟି ଟଙ୍କାର ରାଜସ୍ବ ବଳକା ବଜେଟ୍‌ ଆଣିଥିବାବେଳେ ବିତ୍ତୀୟ ନିଅଣ୍ଟକୁ ୩୮,୮୦୦ କୋଟି ଟଙ୍କା (କେନ୍ଦ୍ରରୁ ପୁଞ୍ଜିନିବେଶ ବାବଦରେ ଆଣୁଥିବା ଋଣକୁ ମିଶାଇ) ବା ଜିଏସ୍‌ଡିପିର ୩.୫ ପ୍ରତିଶତରେ ରଖିଛନ୍ତି। ଏହି ଋଣକୁ ବାଦ୍‌ ଦେଲେ ବିତ୍ତୀୟ ନିଅଣ୍ଟ ୨୯,୮୦୦ କୋଟିରେ (ଜିଏସ୍‌ଡିପିର ୨.୭ ପ୍ରତିଶତ) ରହିବା ନେଇ ଆକଳନ କରାଯାଇଛି। ସେହିଭଳି ସରକାରଙ୍କ ଆୟରେ ନିଜସ୍ବ ଟିକସ ଏବଂ ନିଜସ୍ବ ଅଣଟିକସ ରାଜସ୍ବ ଯଥାକ୍ରମେ ୨୩ ପ୍ରତିଶତ ଲେଖାଏଁ ରହିଛି। କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ଭାବେ ୨୨ ପ୍ରତିଶତ ଅର୍ଥ ପାଇବାକୁ ଥିବାବେଳେ କେନ୍ଦ୍ରୀୟ ଅନୁଦାନରୁ ୧୩ ପ୍ରତିଶତ ଅର୍ଥ ମିଳିବ। ଏଥିସହିତ ପୁଞ୍ଜି ଆୟ ୧୯ ପ୍ରତିଶତ ରହିବ। ଆହୁରି ସରଳ ଭାବେ କହିଲେ, ମୋଟ ବଜେଟ୍‌ରେ ରାଜ୍ୟର ନିଜସ୍ବ ଆୟ ୧,୪୧,୦୦୦ କୋଟି ଟଙ୍କା ରହିଛି। ଏଥିରୁ ନିଜସ୍ବ ଟିକସ ରାଜସ୍ବ ୭୦,୦୦୦ କୋଟି ଓ ଅଣଟିକସ ରାଜସ୍ବ ୭୧,୦୦୦ କୋଟି ରହିଛି। କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ଭାବେ ସରକାର ୬୭୪୬୦ କୋଟି ଟଙ୍କା ପାଇବେ। କେନ୍ଦ୍ରୀୟ ଅନୁଦାନ ବାବଦରେ ୪୦,୦୪୦ କୋଟି ଟଙ୍କା ପାଇବା ନେଇ ହିସାବ ଦିଆଯାଇଛି। ଅର୍ଥାତ୍‌ ଅର୍ଥ ଆୟୋଗ ସୁପାରିସ ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ରାଜ୍ୟ ସରକାର କେନ୍ଦ୍ରଠାରୁ ଏଥର ମୋଟ ୧,୦୭,୫୦୦ କୋଟି ଟଙ୍କା ପାଇବେ। ରାଜ୍ୟର ମୋଟ ଋଣ ଭାର ୧,୫୫,୭୧୦ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ଜିଏସ୍‌ଡିପିର ୧୪.୧ ପ୍ରତିଶତ ବୋଲି ଦର୍ଶାଯାଇଛି। 

Odisha Governor: ଉତ୍ତର-ପୂର୍ବାଞ୍ଚଳ ଭାରତର ଜାତୀୟ ଦୃଷ୍ଟିକୋଣରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ରାଜ୍ୟପାଳ

ସାମାଜିକ କ୍ଷେତ୍ରଗୁଡ଼ିକୁ ଦେଖିଲେ ଶିକ୍ଷାକୁ ୪୨,୫୬୫ କୋଟି ବା ମୋଟ ବଜେଟ୍‌ର ୧୩.୭ ପ୍ରତିଶତ, ଜିଏସ୍‌ଡିପିର ୩.୮% ଅର୍ଥ ପ୍ରଦାନ କରାଯାଇଛି। ସେହିଭଳି ସ୍ବାସ୍ଥ୍ୟ କ୍ଷେତ୍ରକୁ ୨୩,୧୮୨ କୋଟି ବା ମୋଟ ବଜେଟ୍‌ର ୭.୫ ପ୍ରତିଶତ ଏବଂ ଜିଏସ୍‌ଡିପିର ୨.୧ ପ୍ରତିଶତ ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷାକୁ ୨୫,୨୦୮ କୋଟି ବା ବଜେଟ୍‌ର ୮.୧ ପ୍ରତିଶତ ଏବଂ ଜିଏସ୍‌ଡିପିର ୨.୩ ପ୍ରତିଶତ ପ୍ରଦାନ କରାଯାଇଛି। ମହିଳାମାନଙ୍କ ନିମନ୍ତେ ୧୮,୯୫୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହା ମୋଟ ବଜେଟ୍‌ର ୬.୧ ପ୍ରତିଶତ ଏବଂ ଜିଏସ୍‌ଡିପିର ୧.୭ ପ୍ରତିଶତ ରହିଛି। 

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ୪୨,୪୯୨ କୋଟି ଟଙ୍କା ଦିଆଯାଇଛି। ଏହା ମୋଟ ବଜେଟ୍‌ର ୧୩.୭ ପ୍ରତିଶିତ ଓ ଜିଏସ୍‌ଡିପିର ୩.୮ ପ୍ରତିଶତ। ପୂର୍ବ ଥର ତୁଳନାରେ ଏଥର କୃଷି ବଜେଟ୍‌ରେ ୧୨.୩ ପ୍ରତିଶତ ଅଧିକ ଅର୍ଥ ଦିଆଯାଇଛି। ସେହିଭଳି ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ଲାଗି ୧୭,୮୫୫ କୋଟି, ଗ୍ରାମୀଣ ବିକାଶ ପାଇଁ ୪୪,୩୦୯ କୋଟି, ନଗର ଉନ୍ନୟନ ଲାଗି ୧୦୭୩୮ ‌କୋଟି ଅର୍ଥ ପ୍ରଦାନ କରାଯାଇଛି। ବିଭାଗ ଅନୁସାରେ ଦେଖିଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ସର୍ବାଧିକ ୧୧ ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୧୦.୩ ପ୍ରତିଶତ ଅର୍ଥ ଦିଆଯାଇଛି।

କଟାକ୍ଷ କଲେ ନବୀନ

ଭୁବନେଶ୍ବର: ରାଜ୍ୟ ବଜେଟ୍‌କୁ ଶୂନ୍ୟ ହାଣ୍ଡିଶାଳରେ ପୂର୍ଣ୍ଣ ବ୍ୟଞ୍ଜନ କହି କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ଡବଲ୍‌ ଇଞ୍ଜିନ୍‌ ସରକାର ଓଡ଼ିଶାର ଲୋକମାନଙ୍କୁ ଗୁଡ଼ାଏ ପ୍ରତିଶ୍ରୁତି ଦେଲା ପରେ ଏବେ ଓଲଟା ଦିଗରେ ନେଉଛନ୍ତି। ଆମେ ଏମିତି ଏକ ନୂଆ ଯୁଗକୁ ଯାଉଛେ, ଯେଉଁଠି ନବଜାତ ଶିଶୁ ଉପରେ ୩୦ ହଜାର ଟଙ୍କାର ମୁଣ୍ଡପିଛା ଋଣ ବୋଝ ପଡ଼ିବ। ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଜେଡି ସରକାର ଦାୟିତ୍ବ ଗ୍ରହଣ କରିବା ସମୟରେ ଓଡ଼ିଶାର ରାଜସ୍ବ ଋଣ ପରିଶୋଧ ପାଇଁ ବ୍ୟବହୃତ ହେଉଥିଲା। ଫଳରେ ବିକାଶ ପ୍ରକଳ୍ପ ପାଇଁ କମ ପାଣ୍ଠି ଉପଲବ୍ଧ ଥିଲା। କିନ୍ତୁ ଯୋଜନାବଦ୍ଧ ଉଦ୍ୟମ ଓ ଆର୍ଥିକ ପରିଚାଳନା ଯୋଗୁ ଆମେ ଋଣ ବୋଝକୁ ବହୁ ପରିମାଣରେ ହ୍ରାସ କରିଥିଲୁ। 

ଆର୍ଥିକ ଦୃଷ୍ଟିରୁ ଆମେ ଦେଶର ସର୍ବୋତ୍ତମ ପରିଚାଳିତ ରାଜ୍ୟ ଥିଲୁ। କିନ୍ତୁ ବିଜେପି ସରକାର ଓଡ଼ିଶାକୁ ଏକ ଦେବାଳିଆ ରାଜ୍ୟ କରିବା ପାଇଁ କାମ ଜାରି ରଖିଛନ୍ତି। ମୋଟ୍‌ ଋଣ ଖୁବଶୀଘ୍ର ୧ ଲକ୍ଷ ୩୦ ହଜାର କୋଟି ଟଙ୍କାକୁ ଛୁଇଁବାକୁ ଯାଉଛି। ଏହା ଓଡ଼ିଶା ଉପରେ ଆର୍ଥିକ ଚାପ ପକାଇବ ଏବଂ ବିକାଶର ଗତିକୁ ରୋକିବ। ଓଡ଼ିଶାର ଲୋକମାନେ ଆଶା କରିଥିଲେ ଡବଲ୍‌ ଇଞ୍ଜିନ କେନ୍ଦ୍ରରୁ ଡବଲ୍‌ ଲାଭ-ଅନୁଦାନ ଆଣିବ। କିନ୍ତୁ ଗତ ଦୁଇ ବର୍ଷରେ ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା ହ୍ରାସ ପାଉଛି। ସେହିପରି ଚାଷୀଙ୍କ ପ୍ରକୃତ ସମସ୍ୟାର ସମାଧାନ କରିବାରେ ବଜେଟ୍‌ ବିଫଳ ହୋଇଛି। ବଜେଟ୍‌ରେ ରାଜ୍ୟର ବିକାଶ ଉପରେ ଧ୍ୟାନ ଦିଆ ନଯାଇ କେବଳ ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଇଛି।