ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୩ ମୁକ୍ତ ବିଶ୍ବବିଦ୍ୟାଳୟ ସହ ଏମ୍‌ଓୟୁ ସ୍ବାକ୍ଷର

ଆଗାମୀ ଦିନରେ ମୁକ୍ତ ଦୂରନିରନ୍ତର ଶିକ୍ଷାର ଗୁରୁତ୍ବ ବଢ଼ିବ

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୩ ମୁକ୍ତ ବିଶ୍ବବିଦ୍ୟାଳୟ ସହ ଏମ୍‌ଓୟୁ ସ୍ବାକ୍ଷର

Collegedunia

ସମ୍ବଲପୁର : ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ପାଇଁ ସମ୍ବଲପୁର ହେଉଛି ପ୍ରକୃଷ୍ଟ ସ୍ଥାନ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ (ଓସୁ) ବିଭିନ୍ନ ଉପାୟରେ ସହଭାଗିତା କରି ଅଞ୍ଚଳର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରି ପାରିବେ। ଦକ୍ଷତା ବିକାଶ ମୂଳକ ପାଠ୍ୟକ୍ରମ ପ୍ରଚଳନ କରି ଆମ ରାଜ୍ୟରେ କୁଶଳୀ ମାନବ ସମ୍ବଳ ବିକଶିତ କରିବାରେ ମୁକ୍ତ ବିଶ୍ବବିଦ୍ୟାଳୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି।

ଗୁରୁବାର ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶ୍ରୀ ତ୍ରିପାଠୀ କହିଲେ, ବିଗତ ୨ ବର୍ଷ ଭିତରେ ପୃଥିବୀ ବଦଳି ଯାଇଛି। ଏହି ପରିବର୍ତ୍ତିତ ଦୁନିଆରେ ଶିକ୍ଷାର ପ୍ରସାର ପାଇଁ ଆଗାମୀ ଦିନରେ ମୁକ୍ତ ବିଶ୍ବବିଦ୍ୟାଳୟ ଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ। କିଛି ଦଶନ୍ଧି ପୂର୍ବରୁ ଏହି ମୁକ୍ତ ବିଶ୍ବବିଦ୍ୟାଳୟ ବିଚାରକୁ ଅନେକ ଗ୍ରହଣ କରୁ ନଥିଲେ। କିନ୍ତୁ ସମୟ ବଦଳି ଯାଇଛି ଓ ସମଗ୍ର ବିଶ୍ବ ଏକ ମୁକ୍ତ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ସେ ମଧ୍ୟ ଦୂରନିରନ୍ତର ଶିକ୍ଷା ବ୍ୟବସ୍ଥାର ସଫଳତା ଓ ବର୍ତ୍ତମାନର ମହାମାରୀ ସମୟରେ ଶିକ୍ଷାର ପ୍ରସାରରେ ଯୋଗଦାନ ପାଇଁ ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ଭୂମିକାକୁ ପ୍ରଶଂସା କରିଥିଲେ।

ବିଶ୍ବବିଦ୍ୟାଳୟର କୁଳପତି ପ୍ର. ଅର୍କ କୁମାର ଦାସମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଭର୍ଚୁଆଲ୍ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯଶୱନ୍ତ ରାଓ ଚଭନ୍ ମହାରାଷ୍ଟ୍ର ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ଇଂ. ବାୟୁନନ୍ଦନ ମୁକ୍ତ ଦୂରନିରନ୍ତର ଗୁରୁତ୍ବ ବର୍ଣ୍ଣନା ରିଥିଲେ। ସେ ଏହାର ଅତୀତ ଉପରେ ଆଲୋକପାତ କରିବା ସହ ଭବିଷ୍ୟତ ସଂପର୍କରେ ନିଜ ମତ ରଖିଥିଲେ। ୨୦୨୦ ଜାତୀୟ ଶିକ୍ଷା ନୀତିରେ ମୁକ୍ତ ଦୂରନିରନ୍ତର ଶିକ୍ଷାକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି ବୋଲି କହିବା ସହ ପ୍ର. ବାୟୁନନ୍ଦନ ବହୁଳ ଭାବେ ମୁକ୍ତ ଅନ୍‌ଲାଇନ୍‌ ପାଠ୍ୟକ୍ରମର ପ୍ରଚଳନ ଓ ମୁକ୍ତ ଶିକ୍ଷା ସମ୍ବଳ ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ। ସ୍ବାଗତ ଅଭିଭାଷଣରେ କୁଳପତି ପ୍ର. ଦାସମହାପାତ୍ର ମୁକ୍ତ ବିଶ୍ବବିଦ୍ୟାଳୟର ବିଭିନ୍ନ ଉପଲବ୍‌ଧି ସଂପର୍କରେ ଅତିଥି ମାନଙ୍କୁ ଅବଗତ କରାଇଥିଲେ। ବର୍ତ୍ତମାନ ବିଶ୍ବବିଦ୍ୟାଳୟର ପଞ୍ଜୀକୃତ ବିଦ୍ୟାର୍ଥୀ ସଂଖ୍ୟା ୩୪ ହଜାର ହୋଇଥିବାବେଳେ ୨୦୪୦ ସୁଦ୍ଧା ଏହାକୁ ୧୪ ଲକ୍ଷରେ ପହଞ୍ଚାଇବା ଲକ୍ଷ୍ୟରେ ଯୋଜନାବଦ୍ଧ ଅଭିଯାନ ଆରମ୍ଭ ହୋଇଛି ବୋଲି କହିଥିଲେ। କୁଳସଚିବ ଡ. ମାନସ ରଂଜନ ପୂଜାରୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଯଶୱନ୍ତ ରାଓ ଚଭନ୍ ମହାରାଷ୍ଟ୍ର ମୁକ୍ତ ବିଶ୍ବବିଦ୍ୟାଳୟ ନାସିକ, ନେତାଜୀ ସୁଭାଷ ମୁକ୍ତ ବିଶ୍ବବିଦ୍ୟାଳୟ ପଶ୍ଚିମବଙ୍ଗ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ କମ୍ପାନି ସେକ୍ରେଟାରିଜ୍ ଅଫ୍ ଇଣ୍ଡିଆ ନୂଆଦିଲ୍ଲୀ ସହ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ୩ଟି ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ଶେଷରେ ବିଶ୍ବବିଦ୍ୟାଳୟର ବିତ୍ତ ନିୟନ୍ତ୍ରକ ନଳିନୀ ରଂଜନ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe