Photo by : Morocco World News
ଭୁବନେଶ୍ୱର : ସାରା ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆସନ୍ତା ମଙ୍ଗଳବାର ଠାରୁ ତାତି ଅସହ୍ୟ ହେବ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଉତ୍ତର ମଧ୍ୟପ୍ରଦେଶ, ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଆକାଶରେ ବାଦଲ ଥିଲା। ଏହାସହ ସମୁଦ୍ରରୁ ସ୍ଥଳଭାଗକୁ ପବନ ବହୁଥିଲା। ତେଣୁ ତାତି ଅଧିକ ଅନୁଭୂତ ହେଉନଥିଲା। କିନ୍ତୁ ଆଜି ଓଡ଼ିଶା ସୀମାବର୍ତ୍ତୀ ଆକାଶରେ ବାଦଲ ନାହିଁ କି ସମୁଦ୍ର ଦିଗରୁ ସ୍ଥଳ ଭାଗକୁ ଜୋର୍ରେ ପବନ ବହୁନି। ଏହାସହ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଘଣ୍ଟା ପ୍ରତି ୧୫ରୁ ୨୦କିମି ବେଗରେ ପବନ ବହୁଛି। ତେଣୁ ତାତି ହଠାତ୍ ବଢ଼ିଯାଇଛି। ଏହିଭଳି ପାଗ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ୧୩ତାରିଖ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ରୁ ୪୨ଡିଗ୍ରି ପର୍ଯ୍ୟନ୍ତ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।୧୬ତାରିଖ ବେଳକୁ କିଛି ମାତ୍ରାରେ ଖରା କମିବ। ଏହି ସମୟରେ ବର୍ଷା ଓ କାଳ ବୈଶାଖୀ ହେବାର ସମ୍ଭାବନା ଥିବାରୁ ପାରଦ ଖସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ରାଜ୍ୟର ୧୭ଟି ସ୍ଥାନରେ ପାରଦ ୩୫ଡିଗ୍ରି ଉପରେ ରେକର୍ଡ ହୋଇଛି। ମାଲକାନଗିରିରେ ରାଜ୍ୟର ସର୍ବାଧିକ ୩୯.୨ଡିଗ୍ରି ଅନୁଭୂତ ହୋଇଛି। ସୋନପୁରରେ ୩୮.୮, ଟିଟିଲାଗଡ଼ରେ ୩୮, ଢେଙ୍କାନାଳରେ ୩୭.୨, ବଲାଙ୍ଗୀରରେ ୩୭.୩, ଭବାନିପାଟଣାରେ ୩୭.୨, ତାଳଚେର ଓ ହୀରାକୁଦରେ ୩୭.୭, ସୁନ୍ଦରଗଡ଼ରେ ୩୭, ସମ୍ବଲପୁରରେ ୩୭.୮, ଝାରସୁଗୁଡ଼ାରେ ୩୭.୬, ବାରିପଦାରେ ୩୬.୬, ଅନୁଗୁଳରେ ୩୮.୧, ଭୁବନେଶ୍ୱରରେ ୩୮.୬, କଟକରେ ୩୬.୫, ଚାନ୍ଦବାଲିରେ ୩୬ ଏବଂ ବାଲେଶ୍ୱରରେ ୩୭ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
Follow Us