ଦେଶରେ ଅଧିକ ସଂଖ୍ୟକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଓଡ଼ିଶାରେ, ୮ କାର୍ଯ୍ୟକ୍ଷମ ହସ୍ପିଟାଲରେ ରହିଛି ୧୫୯୭ ଶଯ୍ୟା

Advertisment

ରାଜ୍ୟରେ ଆଜି ସୁଦ୍ଧା ୨,୮୪୧ଟି କରୋନା ନମୁନା ପରୀକ୍ଷା କରାଯାଇଛି: ସୁବ୍ରତ ବାଗଚୀ

ରାଜ୍ୟରେ ଆଜି ସୁଦ୍ଧା ୨,୮୪୧ଟି କରୋନା ନମୁନା ପରୀକ୍ଷା କରାଯାଇଛି: ସୁବ୍ରତ ବାଗଚୀ

ଦେଶରେ ଅଧିକ ସଂଖ୍ୟକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଓଡ଼ିଶାରେ, ୮ କାର୍ଯ୍ୟକ୍ଷମ ହସ୍ପିଟାଲରେ ରହିଛି ୧୫୯୭ ଶଯ୍ୟା

ଭୁବନେଶ୍ୱର: ଦେଶର ସର୍ବାଧିକ ସଂଖ୍ୟକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଓଡ଼ିଶାରେ ରହିଛି। ଏ କ୍ଷେତ୍ରରେ ରାଜ୍ୟ ଆଗରେ ରହିଛି। ଏଯାବତ୍ ୮ଟି କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ଓ ସେଠାରେ ୧୫୯୭ଟି ଶଯ୍ୟା ରହିଛି। ସେହିପରି ଆଗାମୀ ଦିନରେ କୋଭିଡ୍‌ ହସ୍ପିଟାଲର ସଂଖ୍ୟା ବୃଦ୍ଧି କରିବା ସହ ଶଯ୍ୟା ସଂଖ୍ୟାକୁ ୬୦୦୦କୁ ବୃଦ୍ଧିି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଶ୍ରୀ ତ୍ରିପାଠୀ କହିଛନ୍ତି କରୋନା ଜନିତ ସମସ୍ତ ପ୍ରତିକୂଳ ପରିସ୍ଥିିତିର ସଫଳତାର ସହ ମୁକାବିଲା କରିବାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି। ଏଥିସହ କରୋନାର ମୁକାବିଲା ପାଇଁ ରାଜ୍ୟରେ ପର୍ଯ୍ୟପ୍ତ ପରିମାଣର ପିପିଇ କିଟ୍‌ ଠାରୁ ଆରମ୍ଭ କରି, ମାସ୍କ, ଔଷଧ ପ୍ରଭୃତି ମହଜୁଦ୍‌ ରହିଛି। ଏଥିସହ କରୋନା ନମୁନା ପରୀକ୍ଷାକୁ ତ୍ୱରାନ୍ଵିତ କରିବା ପାଇଁ ରାଜ୍ୟ ସରକାର ଆଇଏମ୍‌ଆରସି ଦ୍ୱାରା ମାନ୍ୟତା ପ୍ରାପ୍ତ ୧ ଲକ୍ଷ ଟେଷ୍ଟ କିଟ୍‌ ବିଦେଶରୁ ନିଜସ୍ୱ ଖର୍ଚ୍ଚରେ ଆମଦାନି କରିବା ପାଇଁ ଅର୍ଡର ପଠାଇଥିବା ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

publive-image

ଆଜି ସୁଦ୍ଧା ସମଗ୍ର ରାଜ୍ୟରେ ୨,୮୪୧ଟି କରୋନା ନମୁନା ପରୀକ୍ଷା କରା ଯାଇଥିବା ବେଳେ ଏଥିମଧ୍ୟରୁ ୪୪ଟି ନମୁନା ପଜିଟିଭ୍‌ ଆସିଛି। ସେହିପରି ରାଜ୍ୟରେ ଚିହ୍ନଟ ହୋଇଥିବା ୪୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଛି ଏବଂ ଅନ୍ୟ ୪୧ ଜଣ କରୋନା ସକ୍ରିୟ ରୋଗୀ ଏବେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ୧୦୬ ଜଣ କରୋନା ସନ୍ଦିଗ୍ଧଙ୍କୁ ରାଜ୍ୟ ସରକାର ଏବେ ପୃଥକବାସରେ ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌-୧୯ ପାଇଁ ନିଯୁକ୍ତ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ଅପରାହ୍ଣରେ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ବାଗଚୀ କହିଛନ୍ତି ଯେ ସମଗ୍ର ବିଶ୍ୱରେ ଏବେ ୨୦୯ଟି ରାଷ୍ଟ୍ର କରୋନାରେ ସଂକ୍ରମିତ ହୋଇଥିବା ବେଳେ ଭାରତ ୨୪ ତମ ସ୍ଥାନରେ ରହିଛି। ସେହିପରି ଦେଶର କରୋନା ଆକ୍ରାନ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ସ୍ଥାନ ୧୬ରେ ରହିଛି। ଏଥିସହ ସେ କହିଛନ୍ତି ଓଡ଼ିଶାରେ ଏବେ ୮ଟି କେବଳ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ରହିଛି। ଏହି ୮ଟି କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୩୯ ରହିଛି। ଯାହାକି ସମଗ୍ର ଦେଶରେ ସବୁଠାରୁ ଆଗରେ ରହିଛି।

ଏଥିସହ ବିଶ୍ୱ ଓ ଦେଶରେ କରୋନାର ସ୍ଥିତି ସଂପର୍କରେ ସୂଚନା ଦେଇ ଶ୍ରୀ ବାଗଚୀ କହିଛନ୍ତି, ଗତକାଲି ସକାଳ ୯ଟା ସୁଦ୍ଧା ସମଗ୍ର ବିଶ୍ୱର ୨୦୯ଟି ରାଷ୍ଟ୍ରରେ ମୋଟ ୧୪,୩୬,୮୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ସକାଳ ୯ଟା ସୁଦ୍ଧା ଏମାନଙ୍କ ସଂଖ୍ୟା ଆସି ପହଞ୍ଚିଛି ୧୫,୨୩,୮୯୮ରେ। ସେହପରି ଗତକାଲି ମୃତକଙ୍କ ସଂଖ୍ୟା ୮୨,୪୨୧ ଥିବା ବେଳେ ଆଜି ଏହା ୮୮,୯୫୬ରେ ପହଞ୍ଚିଛି। ଅନ୍ୟପକ୍ଷରେ ଦେଶରେ ଆଜି ସୁଦ୍ଧା ୫,୭୩୪ଜଣ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା ୧୬୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ଶ୍ରୀ ବାଗଚୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe