ଓଡ଼ିଶା ହେବ ୧ ନମ୍ବର ରାଜ୍ୟ: ମୁଖ୍ୟମନ୍ତ୍ରୀ

Advertisment

ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବୁ, ଲୁଟ୍‌କୁ ପ୍ରଶ୍ରୟ ଦେବ ନାହିଁ ନୂଆ ସରକାର

ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବୁ, ଲୁଟ୍‌କୁ ପ୍ରଶ୍ରୟ ଦେବ ନାହିଁ ନୂଆ ସରକାର

ଓଡ଼ିଶା ହେବ ୧ ନମ୍ବର ରାଜ୍ୟ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଓଡ଼ିଶା ଆଗାମୀ ଦିନ‌‌ରେ ବିକାଶର ଶୀର୍ଷରେ ପହଞ୍ଚିବ। ୧ ନମ୍ବର ରାଜ୍ୟ ଭାବେ ଗଢ଼ି‌ ତୋଳିବାକୁ ଆପଣମାନଙ୍କ ସହଯୋଗ ଆବଶ୍ୟକ ବୋଲି କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ଝୁମ୍ପୁରାଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭ‌ାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦୁଝର ରିଜର୍ଭ ପଡ଼ିଆରୁ ହେଲିକପ୍ଟର ଯୋଗେ ଯାଇ ରାଇକଳା ଗ୍ରାମରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ। ସେଠାରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶୋଭାଯାତ୍ରାରେ ରାଇକଳାରୁ ବାହାରି ଝୁମ୍ପୁରା ବଜାର ପରିକ୍ରମା କରିବା ପରେ ଦୁର୍ଗା ପଡ଼ିଆରେ ପହଞ୍ଚିଥିଲେ। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଜଣେ ସାଧାରଣ ପରିବାରର ପିଲା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛି। ଏହି ରାଇକଳା ଓ ଝୁମ୍ପୁରା ମାଟିରୁ ମୁଁ କର୍ମମୟ ଜୀବନ ଆରମ୍ଭ କରିଥିଲି। ୧୯୯୩ରୁ ୧୯୯୭ ପର୍ଯ୍ୟନ୍ତ ସ୍ଥାନୀୟ ଶିଶୁମନ୍ଦିରରେ ଆଚାର୍ଯ୍ୟ ଭାବେ କାମ କରିଥିଲି। ଝୁମ୍ପୁରା ସହିତ ‌ମୋର ଅନେକ ସ୍ମୃତି ଜଡ଼ିତ ରହିଛି। ମୁଁ ଯେଉଁ ବିଜେପି ଦଳରେ ଅଛି, ତାହା ଏକ ରାଷ୍ଟ୍ରୀୟ ବିଚାରଧାରର ଦଳ। କାରଣ ଏଥିରେ ଚା’ବାଲା ପ୍ରଧାନମନ୍ତ୍ରୀ ଓ ସାଧାରଣ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇପାରନ୍ତି। ମୁଁ ଜ‌ଣେ ପିଅନ ପୁଅ ହୋଇ ବି ମୋତେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ବ ମିଳିଛି। ମୁଁ ଯାହା ବି ହୋଇଛି, ଏ ମାଟି ପାଇଁ ହୋଇଛି ବୋଲି ସେ କହିଥିଲେ।

ଆମର ପୂର୍ବଜ ବିପ୍ଳବୀ ଧରଣୀଧର ଭୂୟାଁ ଇଂରେଜ ଓ ରାଜାରାଜୁଡ଼ାଙ୍କ ଶାସନ ବିରୋଧରେ ଲଢ଼େଇ କରୁଥିଲେ। ତାଙ୍କ ପାଖରୁ ମୁଁ ଲଢ଼େଇ କରିବା ଶିଖିଛି। କାରଣ ଲଢ଼େଇ କଲେ ଆତ୍ମସମ୍ମାନର ସହିତ ବଞ୍ଚି ହୁଏ। ଯଦି ଆମେ ଲଢ଼େଇ ନକରିବା ସମ୍ମାନର ସହିତ ବଞ୍ଚିପାରିବା ନାହିଁ। ୨୪ ବର୍ଷ ଶାସନ କରିଥିବା ଦଳ ଏଥର ମଧ୍ୟ ସରକାରରୁ ହଟିବାକୁ ଚାହୁଁ ନଥିଲା। ସେଥିପାଇଁ ଆପଣମାନେ ଅନେକ କଷ୍ଟ ସ୍ବୀକାର କରିଛନ୍ତି। ମୋଦୀଙ୍କ ଡବଲ ଇଞ୍ଜିନ ସରକାରକୁ ସମର୍ଥନ ଦେଇଛନ୍ତି। ମୁଁ କଥା ଦେଉଛି, ଆମେ ନିର୍ବାଚନ ବେଳେ ଯହା ପ୍ରତିଶ୍ରୁତି ଦେଇଥିଲୁ ତାହାକୁ ଗୋଟି ଗୋଟି କରି ପୂରଣ କରିବୁ। ଗତ ୧୨ ତାରିଖରେ ଶପଥ ନେବାର ମାତ୍ର କିଛି ଘଣ୍ଟା ପରେ କ୍ୟାବିନେଟ୍‌ ବୈଠକ ବସିଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ସହ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି, ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ଭଳି ନିଷ୍ପତ୍ତି ନିଆଯାଇଛି। ଯାହାର ସୁଫଳ ଖୁବ୍‌ଶୀଘ୍ର ରାଜ୍ୟବାସୀ ପାଇବେ। ରାଜ୍ୟବାସୀଙ୍କ ବିନା ସହଯୋଗ ଓ ସମର୍ଥନରେ ଓଡ଼ିଶା ୧ ନମ୍ବର ରାଜ୍ୟ ହୋଇପାରିବ ନାହିଁ। ଓଡ଼ିଶାକୁ ୧ ନମ୍ବର କରିବା ପାଇଁ ଆପଣମାନେ ଗୁଣ୍ଡୁଚି ମୂଷାର ଭୂମିକା ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।

କେନ୍ଦୁଝର ଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୂର। ଏଠାକାର ଡିଏମ୍‌ଏଫ୍‌ ଓ ଓମ୍‌ବାଡ୍‌ସିରେ ଅର୍ଥର ଅଭାବ ନାହିଁ। କିଛି ଦଲାଲ ଆମ ଖଣି ଲୁଟ୍‌ କରି ଆମକୁ ଶୋଷଣ କରୁଥିଲେ। ମୋ ସରକାର ଆଉ ଲୁଟ୍‌କୁ ପ୍ରଶ୍ରୟ ଦେବ ନାହିଁ ବୋଲି ସେ କହିଥିଲେ। କେନ୍ଦୁଝର ଓ ଓଡ଼ିଶାର ସର୍ବାଧିକ ବିକାଶ ଦିଗରେ ନୂଆ ସରକାର କାମ କରିବ। ଆପଣଙ୍କ ଆଶୀର୍ବାଦରେ ମୋତେ ମୁଖ୍ୟମନ୍ତ୍ରୀ ପଦ ମିଳିଲା। ଆଗାମୀ ଦିନରେ ଆପଣଙ୍କ ସହ ହୁଏତ ନିୟମିତ କଥାବାର୍ତ୍ତା, ସାକ୍ଷାତ ହୋଇନପାରେ। ମାତ୍ର ଆପଣମାନେ ମୋତେ ସବୁବେଳେ ଏମିତି ଭଲପାଉଥାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଦୁର୍ଗତୀ ନାଶିନୀ ଯୁବକ ସଂଘର ଅଧ୍ୟକ୍ଷ ଇଂ ଦେବବ୍ରତ ବେହେରା, ସଭାପତି ଶଶୀଭୂଷଣ ସାହୁ, ଉପସଭାପତି ଅନୁପ କୁମାର ରାମ, ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ର୍ମା, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ସାହୁ, ସମ୍ପାଦକ ଧନେଶ୍ବର ବେହେରା, ଉପଦେଷ୍ଟା ପ୍ରଭାକର ସିଂ, ସଂଯୋଜକ ନିର୍ମଳ ଚନ୍ଦ୍ର ବାରିକ, ବିଜେପି ଯୁବମୋର୍ଚ୍ଚା ଉପସଭାପତି ଅନିନ୍ଦ୍ୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe