ଇଲେକ୍ଟ୍ରୋନିକ୍ସ ହବ୍‌ ହେବ ଓଡ଼ିଶା: ପ୍ରଥମ ୧୦ଟି ପ୍ରକଳ୍ପ ପାଇଁ ପୁଞ୍ଜିନିବେଶ ଉପରେ ଅଧିକ ୫୦% ସବ୍‌ସିଡି

ଓଡ଼ିଶାକୁ ଏକ ଇଲେକ୍ଟ୍ରୋନିକ୍ସ ହବ୍‌ରେ ପରିଣତ କରାଯିବ। ଏଥି ପାଇଁ ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମାନୁଫାକଚରିଂ (ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ) ନୀତି-୨୦୨୫ ଆଣିଛନ୍ତି।

sfhfshfvxvbv
ଭୁବନେଶ୍ବର: ଓଡ଼ିଶାକୁ ଏକ ଇଲେକ୍ଟ୍ରୋନିକ୍ସ ହବ୍‌ରେ ପରିଣତ କରାଯିବ। ଏଥି ପାଇଁ ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମାନୁଫାକଚରିଂ (ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ) ନୀତି-୨୦୨୫ ଆଣିଛନ୍ତି। ଏହାର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଏକ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା, ଉଚ୍ଚ କୁଶଳୀ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଆମଦାନୀ ହେଉଥିବା ଯନ୍ତ୍ରାଂଶ ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବା। 
ଓଡ଼ିଶାରେ କିପରି ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଯଥା ରେଜିଷ୍ଟର୍‌, କାପାସିଟର, ଇଣ୍ଡକ୍ଟର, ଡାୟୋଡ୍‌, ଟ୍ରାଞ୍ଜିଷ୍ଟର, ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଅଧିକରୁ ଅଧିକ ଉତ୍ପାଦନ ହେବ। ଯେଉଁ ବିଦେଶୀ କମ୍ପାନି କିମ୍ବା ଆମ ଦେଶର କମ୍ପାନିଗୁଡ଼ିକ ପୁଞ୍ଜିନିବେଶ କରିବାକୁ ଚାହିଁବେ ସେମାନଙ୍କ ପ୍ରଥମ ପସନ୍ଦ ଯେପରି ଓଡ଼ିଶା ହେବ, ସେଥିପାଇଁ ରାଜ୍ୟ ସରକାର ଏହି ନୀତି ଆଣିଛନ୍ତି। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଉପରୋକ୍ତ ପ୍ରସ୍ତାବ ସମେତ ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି।
କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି, ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ ନୀତି-୨୦୨୫କୁ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ ନୀତି ଆଧାରରେ ପ୍ରସ୍ତୁତ କରାଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ ପରିଯୋଜନା (ଇସିଏମ୍‌ଏସ୍) ଦ୍ବାରା ପ୍ରଦାନ କରାଯାଉଥିବା ସହାୟତାର ସମତୁଲ ସହାୟତା ପ୍ରଦାନ କରିବା ସହ ଏହି ନୀତି ପ୍ରୋତ୍ସାହନ ଉପରେ ଏକ ବଳିଷ୍ଠ ଢାଞ୍ଚା ପରିବର୍ତ୍ତନ କରାଯାଇଛି। ନିବେଶକ ଯେପରି ଓଡ଼ିଶାମୁହାଁ ହେବେ ତାହାକୁ ଏଥିରେ ଫୋକସ୍ କରାଯାଇଛି।
ଓଡ଼ିଶାରେ ପ୍ରଥମ ୧୦ଟି ମେଗା ପ୍ରକଳ୍ପ ପାଇଁ (୫୦କୋଟିର ନିବେଶ ଉପରେ) ୫୦% ପୁଞ୍ଜି ସବ୍‌ସିଡି କିମ୍ବା ଟର୍ଣ୍ଣଓଭର୍ ଲିଙ୍କ୍‌ଡ ପ୍ରୋତ୍ସାହନ ଏବଂ ଅତିରିକ୍ତ ପୁଞ୍ଜି ସବ୍‌ସିଡି ଦ୍ବାରା ପରିପୂରକ ସମତୁଲ ସବ୍‌ସିଡି ମଧ୍ୟରୁ ଗୋଟିଏ ପ୍ରଦାନ କରାଯିବ। ଏହା ଦୁଇଟି ବାର୍ଷିକ କିସ୍ତିରେ ପ୍ରଦାନ କରାଯିବ। କେନ୍ଦ୍ର ସରକାର ୨୫% ପୁଞ୍ଜି ସବ୍‌ସିଡି ପ୍ରଦାନ କରୁଥିବାବେଳେ ଓଡ଼ିଶାରେ ପ୍ରଥମ ୧୦ଟି ପ୍ରକଳ୍ପ ପାଇଁ ଏହା ଉପରେ ଅଧିକ ୫୦% ସବ୍‌ସିଡି ଦିଆଯିବ। ପରେ ଆସିବାକୁ ଥିବ‌ା ସଂସ୍ଥାଙ୍କୁ ୩୫% ସବ୍‌ସିଡି ଦିଆଯିବ। ସେହିପରି ଯେଉଁମାନେ ଟର୍ଣ୍ଣଓଭର ଲିଙ୍କ୍‌ଡ ପ୍ରୋତ୍ସାହନ ନେବେ, ସେମାନଙ୍କୁ ଭାରତ ସରକାର ୧% ଦେଉଥିଲେ ଓଡ଼ିଶା ସରକାର ଆଉ ୧% ଦେବେ। ନି‌େବଶକାରୀ ପୁଞ୍ଜି ସବ୍‌ସିଡି କିମ୍ବା ଟର୍ଣ୍ଣଓଭର ଲିଙ୍କ୍‌ଡ ପ୍ରୋତ୍ସାହନ ନେବେ ତାହା ବାଛିବେ। ଆଉ କେତେକ ସଂସ୍ଥାଙ୍କୁ ଦୁଇଟି ସୁବିଧା ମିଳିବ; ତାହା ଧାର୍ଯ୍ୟ ହେବ। ଏହି ଯୋଜନାରେ ଜମି ଆବଣ୍ଟନ, ଭଡ଼ା ସହାୟତା, ବିଦ୍ୟୁତ୍‌ ଶୁଳ୍କରେ ୧୦ବର୍ଷର ଛାଡ଼ ଆଦି ସହାୟତା ପ୍ରଦାନ କରାଯିବ।
ପ୍ରଥମ ୧୦ଟି ପ୍ରକଳ୍ପ ପାଇଁ ପୁଞ୍ଜିନିବେଶ ଉପରେ ଅଧିକ ୫୦% ସବ୍‌ସିଡି
ଆଇଟି ପାର୍କ କଲେ ନିବେଶ ଉପରେ ୩୦% ସବ୍‌ସିଡି
ଦକ୍ଷତା ବିକାଶ ପାଇଁ ତାଲିମ୍ ଖର୍ଚ୍ଚର ଅଧା ବହନ କରିବେ ସରକାର
ଯାହା ପ୍ରକଳ୍ପ ନିବେଶର ୭୫% ମଧ୍ୟରେ ସୀମିତ। ୫୦୦କୋଟି ଟଙ୍କାରୁ ଅଧିକ ନିବେଶ କିମ୍ବା ୧୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ମେଗା ପ୍ରକଳ୍ପଗୁଡ଼ିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ସେମାନଙ୍କୁ କଷ୍ଟମାଇଜ୍ ରିହାତି ପ୍ରଦାନ କରାଯିବ। ସେହିପରି ରାଜ୍ୟର ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି)ର ଅଭିଭୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ଆଇଟି ନୀତି-୨୦୨୫ ଅଣାଯାଇଛି। ପୂର୍ବରୁ ଆଇଟି ନୀତି-୨୦୨୨ରେ ଯେଉଁ ସବ୍‌ସିଡି ଏବଂ ପ୍ରୋତ୍ସାହନ ଥିଲା ତାହାକୁ ନୂଆ ନୀତିରେ ବଢ଼ାଯାଇଛି। ଯେପରି ପୂର୍ବରୁ ଆଇଟି ପାର୍କ, ଆଇଟି ଶିଳ୍ପ କଲେ ୨୦କୋଟିର ପୁଞ୍ଜିନିବେଶ ଉପରେ ୨୫% କ୍ୟାପିଟାଲ ସବ୍‌ସିଡି ଦିଆଯାଉଥିଲା। ଏବେ ‌ନିବେଶ ମୂଲ୍ୟକୁ ହଟାଇ ଦିଆଯାଇଛି। ଏଣିକି ଯିଏ ଯେତେ ନିବେଶ କରିବେ ତା’ଉପରେ ୩୦% ସବ୍‌ସିଡି ଦିଆଯିବ।
ଦକ୍ଷତା ବିକାଶ କ୍ଷେତ୍ରରେ ସବ୍‌ସିଡି ଦିଆଯିବ। ପ୍ରତି କର୍ମଚାରୀଙ୍କ ତାଲିମ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥର ୫୦% ସରକାର ବହନ କରିବେ। ଏହା ୫୦ହଜାରରେ ସୀମିତ ରହିବ। ଯେଉଁମାନେ ଅଫିସ୍‌ ଲିଜ୍ ନେଇ କର୍ମଚାରୀଙ୍କୁ ଇଣ୍ଟର୍ଣ୍ଣସିପ୍ କରାଇବେ ପ୍ରତି କର୍ମଚାରୀ ପିଛା ମାସିକ ୨ହଜାର ଟଙ୍କା ଦିଆଯିବ। ଏଥିରେ କେବଲ୍ ଲ୍ୟାଣ୍ଡିଂ ଷ୍ଟେସନ୍ ପାଇଁ ୨୫% ସବ୍‌ସିଡି, ସମୁଦ୍ରରେ କେବୁଲ୍ ବିଛାଇବା ପାଇଁ ସଂସ୍ଥା ଅନୁସା‌େର ସବ୍‌ସିଡି ବ୍ୟବସ୍ଥା ରହିଛି। ଏହାସହ ଯେପରି ନୂଆ ନୀତିର ଅବଧିରେ ଓଡ଼ିଶାରେ ୧୦ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ସେଥିପାଇଁ ପରିକଳ୍ପନା କରାଯାଇଛି। ଏଥିରେ ଆଇଟି ପାର୍କ, ଆଇଟି ଟାୱାର, ଏସ୍‌ଇଜେଡ୍ ପରି ବିଶ୍ବସ୍ତରୀୟ ଭିତ୍ତିଭୂମି ବିକାଶ କରିବା ସହ ଗବେଷଣା ଏବଂ ବିକାଶ, ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ସମନ୍ବୟ, ଏକାଡେମିଆ ଏବଂ ଷ୍ଟାର୍ଟଅପ୍ ସହ ସହଯୋଗ ମାଧ୍ୟମରେ ବୈଷୟିକ ଉଦ୍ଭାବନକୁ ପ୍ରୋତ୍ସାହିତ କରିବ। ଏହି ନୀତି ସାଇବର ସୁରକ୍ଷା, ଡାଟା ଆନାଲିଟିକ୍ସ, ୫ଜି ମୋବାଇଲ୍ ଟେକ୍, ଆଇଓଟି, ଏ‌ଆର/ଭିଆର୍, କ୍ଲାଉଡ୍ କମ୍ପ୍ୟୁଟିଂ, ଡିପ୍ ଲର୍ଣ୍ଣିଂ, ବ୍ଲକଚେନ୍, ଏଆଇ ଏବଂ ଏମ୍‌ଏଲ୍ ପରି ନୂଆନୂଆ ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବ। ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ପୁଞ୍ଜି, ସୁଧ ସବ୍‌ସିଡି, ଜମି ଏବଂ ଭଡ଼ା ସହାୟତା, ଏସ୍‌ଜିଏସ୍‌ଟି ପୁନଃପୈଠ ଭଳି ବ୍ୟବସାୟ ଅନୁକୂଳ ପ୍ରୋତ୍ସାହନ ପ୍ରଦାନ କରିବ। ଅତିରିକ୍ତ ସୁବିଧାଗୁଡ଼ିକ ମଧ୍ୟରେ ଚାର୍ଜ ଛାଡ଼, ମାର୍କେଟିଂ ସହାୟତା, ପେଟେଣ୍ଟ ପଞ୍ଜୀକରଣ ପ୍ରୋତ୍ସାହନ ଅାଦି ଅନ୍ତର୍ଭୁକ୍ତ। 
ଏସେହିପରି ଗତ ମେ ୧୩, ଜୁଲାଇ ୧୦ରେ ରାଜ୍ୟ ସରକାର ଉଦୟ ନାରାୟଣ ଦାସ, ମିହିର ପ୍ରସାଦ ମିଶ୍ର ଓ ମନୋଜ କୁମାର ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଏହି ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି।  ଆସନ୍ତା ସେପ୍ଟେମ୍ବର ୧୮ରୁ ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏ ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe