ସମ୍ବଲପୁର: ଆଜି ବି ଦେଶରେ ମଣିଷର ମଳ ଆଉ ଜଣେ ମଣିଷ ହିଁ ସଫା କରୁଛି। ଅନେକ କ୍ଷେତ୍ରରେ ମଳ ହାଣ୍ଡିକୁ ମୁଣ୍ଡରେ ବୋହି ନେବା ଭଳି ପ୍ରଥା ବଞ୍ଚି ରହିଛି, ତାହା ପୁଣି ଜାତି ଆଧାରରେ। ଏଭଳି ଘୃଣ୍ୟ ଓ ଅମାନବୀୟ ପ୍ରଥା ବିଷୟରେ କିନ୍ତୁ ଆଲୋଚନା ନାହିଁ କହିଲେ ଚଳେ।
ମାନବ ଅଧିକାର ଦିବସ ଅବସରରେ ଏ ସଂକ୍ରାନ୍ତରେ ଆଲୋଚନା ପାଇଁ ସମ୍ବଲପୁର ଆସିଥିବା ରମଣ ମାଗାସେସେ ପୁରସ୍କାର ବିଜେତା ବେଜବାଡ଼ା ଉଇଲସନଙ୍କ ସହିତ ସମ୍ବାଦର ସ୍ବତନ୍ତ୍ର ସାକ୍ଷାତକାର- ଗାର୍ଗୀ ଶତପଥୀ
କୁହାଯାଏ ଦେବତାଙ୍କୁ ଅର୍ପଣ କରାଯାଉଥିବା ପଦ୍ମ ଫୁଲ ପଙ୍କରୁ ଜନ୍ମ ନେଇଥାଏ। ସମାଜରୁ ମଇଳା ସଫା କରି ପରିଷ୍କାର କରୁଥିବା ଏହି ମଣିଷମାନେ ନିର୍ବିକାର ଭାବେ ମନରେ କୌଣସି ଘୃଣା ଭାବନା ନରଖି ମଇଳା ସଫା କରିଥାନ୍ତି। ସତରେ ଏଭଳି ମଣିଷଙ୍କୁ ପଙ୍କର ପଦ୍ମ କହିଲେ କିଛି ଭୁଲ୍ ହେବ ନାହିଁ।
ଆହୁରି ପଢ଼ନ୍ତୁ:Life In Toilet: ୪ବର୍ଷ ହେଲା ଶୌଚାଳୟରେ ବିତୁଛି ଜୀବନ
ପ୍ରଶ୍ନ: ହାତରେ ମଳ ଉଠାଇବା କାର୍ଯ୍ୟ କଣ ଆଜି ବି ଦେଶରେ ଏବଂ ଓଡ଼ିଶାରେ ରହିଛି?
ଉତ୍ତର: ଶୁଷ୍କ ଶୌଚାଳୟ ସଫା କରିବା କାର୍ଯ୍ୟ ଆଜିର ସମୟରେ ଓଡ଼ିଶାରେ ଆଉ ନାହିଁ। କିନ୍ତୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଜମ୍ମୁ-କଶ୍ମୀରର ୪୬ରୁ ୪୮ ଜିଲ୍ଲାରେ ବର୍ତ୍ତମାନ ବି ସେହି ସ୍ଥିତି ରହିଛି। ସେପ୍ଟିକ ଟ୍ୟାଙ୍କ ସଫେଇ ଦେଶର ସବୁ ସ୍ଥାନରେ ରହିଛି। ଓଡ଼ିଶା, ଏପରିକି ଭୁବନେଶ୍ବରରେ ମଧ୍ୟ ସେପଟିକ୍ ଟ୍ୟାଙ୍କ, ଅଣ୍ଡର ଡ୍ରେନେଜ କ୍ଲିନିଂର ସମ୍ପୂର୍ଣ୍ଣ ଯାନ୍ତ୍ରୀକରଣ ହୋଇପାରି ନାହିଁ।
ସେପଟିକ୍ ଟ୍ୟାଙ୍କ ସଫା କରିବା ପାଇଁ ଆବଶ୍ୟକ ମେସିନ ନଥିବାରୁ ମଣିଷ ହିଁ ଏହାକୁ ସଫା କରୁଛନ୍ତି। ଏହା ସହିତ ମେସିନ ଜରିଆରେ ସଫା କରୁଥିବା ବ୍ୟକ୍ତି ବେଶି ଟଙ୍କା ନିଅନ୍ତି। ମଣିଷ ଦ୍ବାରା ଏହାର ସଫେଇ ହେଉଛି। ସେମାନଙ୍କୁ ସୁରକ୍ଷା ଉପକରଣ ମଧ୍ୟ ଦିଆଯାଉ ନାହିଁ। ସୁରକ୍ଷା ଉପକରଣ ଦିଆଗଲେ ମଧ୍ୟ ଏଭଳି ବ୍ୟବସ୍ଥା କୌଣସି ଭାବରେ ସୁରକ୍ଷିତ ନୁହେଁ।
ପ୍ରଶ୍ନ: ଓଡ଼ିଶାରେ ସଫେଇ କର୍ମଚାରୀଙ୍କ ସ୍ଥିତି ସମ୍ପର୍କରେ କଣ କହିବେ?
ଉତ୍ତର: ଓଡ଼ିଶାରେ ସଫେଇ କ୍ଷେତ୍ରରେ ଠିକା ବ୍ୟବସ୍ଥା କରାଯିବା ଅତି ବିପଜ୍ଜନକ। ବର୍ତ୍ତମାନ ତ ମହିଳା ଏସ୍ଏଚ୍ଜି ଗ୍ରୁପ୍ଙ୍କୁ ଏହି ଦାୟିତ୍ବ ଦିଆଯାଉଛି। ସେମାନେ ନିଜେ କିମ୍ବା କୌଣସି ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ମଧ୍ୟ ସଫେଇ ଉପକରଣ, ମେଡିକାଲ, ବୀମା ଆଦି ସୁବିଧା ନାହିଁ। ଛୋଟ ଏସ୍ଏଚ୍ଜି ଗ୍ରୁପ୍ ଗୁଡ଼ିକ ପାଇଁ ଏହା ଅତି କଷ୍ଟକର ବ୍ୟାପାର। କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁ ହେଲେ ୧୦ ଲକ୍ଷ ଟଙ୍କା ମଧ୍ୟ ମିଳୁ ନାହିଁ। ସଫେଇ ବ୍ୟବସ୍ଥାକୁ ଘରୋଇ ସଂସ୍ଥାକୁ ଟେକି ଦିଆଯିବା ପରେ ଶୋଷଣ ଆହୁରି ବଢ଼ିଛି।
ପ୍ରଶ୍ନ: ହାତରେ ମଳ ସଫେଇ କାର୍ଯ୍ୟ ଉପରେ ପ୍ରତିବନ୍ଧକ ରହିଛି। କିନ୍ତୁ ଏହି କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରତି ସାମାଜିକ ଆଭିମୁଖ୍ୟ ଏଭଳି ଯେ ଅନ୍ୟ ରୋଜଗାର ବି ମିଳୁ ନାହିଁ। ସରକାର ସେମାନଙ୍କ ପୁନର୍ବାସ ପାଇଁ କଣ କରିପାରିବେ?
ଉତ୍ତର: ଯାହା ବି ହେଉ, କୌଣସି ଭାବରେ ମଧ୍ୟ ଜଣେ ମଣିଷଙ୍କ ମଳ ଆଉ ଜଣେ ମଣିଷ ହାତରେ ସଫା କରିବା ବରଦାସ୍ତ ଯୋଗ୍ୟ ନୁହେଁ। ତାହା ପୁଣି ଜାତି ଆଧାରରେ ହେବା ଆହୁରି ଦୁଃଖଦାୟକ। ଏହି କାର୍ଯ୍ୟରେ କୌଣସି ବିଶେଷ ମଜୁରି ବି ନାହିଁ। ଏହି କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଥଇଥାନ ବ୍ୟବସ୍ଥା ହେବା ଦରକାର।
ପ୍ରଶ୍ନ: ସଫେଇ କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟଗତ ସ୍ଥିତି କେମିତି?
ଉତ୍ତର:ସଫେଇ କର୍ମଚାରୀମାନେ ଯେଉଁଭଳି ପାରିପାର୍ଶ୍ବିକ ସ୍ଥିତି ଓ ପରିବେଶରେ କାର୍ଯ୍ୟ କରନ୍ତି, ୧୦ରୁ ୧୫ ବର୍ଷ କାମ କରିବା ଅତି କଷ୍ଟକର। ମଳ, ନର୍ଦ୍ଦମା, ଆବର୍ଜନା ମଧ୍ୟରେ କାର୍ଯ୍ୟ କରି ଘରକୁ ଯାଇ ଖାଦ୍ୟ ଗ୍ରହଣ କରିବାଠୁ କଷ୍ଟକର କାମ କଣ ହୋଇପାରେ? ସେହି ଦୁର୍ଗନ୍ଧ ସେମାନଙ୍କ ଭିତରେ ରହିଥାଏ। ଏଥିରୁ ତ୍ରାହି ପାଇବା ପାଇଁ ସେମାନେ ତମାଖୁ ସେବନ କରନ୍ତି। ରାତିରେ ମଦ୍ୟପାନ କରନ୍ତି। ସେମାନଙ୍କୁ ଡାଇରିଆ, ଜଣ୍ଡିସ, ଟାଇଫଏଡ୍ ହେବା ଅତି ସାଧାରଣ କଥା। ଠିକା ବ୍ୟବସ୍ଥା ଯୁଗରେ ଏହି ସଫେଇ କର୍ମଚାରୀଙ୍କ ପାଇଁ ପେନସନ ବି ନାହିଁ। ଯେଉଁମାନଙ୍କ ପାଇଁ ବି ଅଛି, ସେମାନେ ପେନସନ ପାଇବା ପର୍ଯ୍ୟନ୍ତ ବଞ୍ଚୁ ନାହାନ୍ତି। ଏହା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଯାଉଛି।
ପ୍ରଶ୍ନ: ମଣିଷ ହାତରେ ମଳ ଉଠାଇବା ପ୍ରଥାର ବିରୋଧ ପାଇଁ କାହିଁକି ଚିନ୍ତା କଲେ?
ଉତ୍ତର: ମୋ ବାପା, ମା’ ମଧ୍ୟ ସେହି କାର୍ଯ୍ୟ କରୁଥିଲେ। ତେଣୁ ଏହାର ପ୍ରତ୍ୟକ୍ଷ ଅନୁଭବ ରହିଛି। ଏହାକୁ ନେଇ ଉତ୍ପନ୍ନ କ୍ରୋଧରୁ ହିଁ ଏହି ପ୍ରଥାକୁ ବିରୋଧ କରିବା ଆରମ୍ଭ କରିଛି। ଆମ ଦେଶର ଭଲ କଥା ହେଲା, ଏଠାରେ ଯେତେ କୁପ୍ରଥା ଥିଲେ ମଧ୍ୟ ସାମାଜିକ ଆନ୍ଦୋଳନରେ ଯୋଡ଼ି ହେଉଥିବା ବ୍ୟକ୍ତି ମଧ୍ୟ କମ ନୁହନ୍ତି।
ଆହୁରି ପଢ଼ନ୍ତୁ:Absconding Goa club owner: ଗୋଆ କ୍ଲବ ମାଲିକଙ୍କ ପାସପୋର୍ଟ ରଦ୍ଦ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/11/odisha-too-has-a-complete-manual-scavenging-system-bezbada-wilson-2025-12-11-11-32-31.jpg)