ଘଟଗାଁରେ ଓଡ଼ିଶା ଟ୍ରକ୍‌ ମାଲିକ ମହାସଂଘ ବୈଠକ: ପରିବହନ ଦର ବୃଦ୍ଧି ପାଇଁ ଏକକ ସ୍ବର

Advertisment

ସାମିଲ ହେଲେ ୧୬ ଟ୍ରକ୍‌ ମାଲିକ ସଂଘ

ସାମିଲ ହେଲେ ୧୬ ଟ୍ରକ୍‌ ମାଲିକ ସଂଘ

ଘଟଗାଁରେ ଓଡ଼ିଶା ଟ୍ରକ୍‌ ମାଲିକ ମହାସଂଘ ବୈଠକ: ପରିବହନ ଦର ବୃଦ୍ଧି ପାଇଁ ଏକକ ସ୍ବର

ଦର ନିର୍ଦ୍ଧାରଣ ପାଇଁ ବୈଷୟିକ କମିଟି ଗଠନ
ଟ୍ରକ୍‌ ଯୋଗେ ୬୦ ପ୍ରତିଶତ ପରିବହନ ଦାବି

ଘଟଗାଁ : ତେଲଦର ବଢ଼ିଲାଣି। ଯନ୍ତ୍ରାଂଶ ଦର ମଧ୍ୟ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ପୁରୁଣା ଦରରେ ଆଉ ପରିବହନ କରିବା ସମ୍ଭବ ନୁହେଁ। ଏହାଦ୍ବାରା ବ୍ୟାପକ କ୍ଷତି ସହିବାକୁ ପଡ଼ୁଛି। କିସ୍ତି ଶୁଝି ହେଉନାହିଁ। ତେଣୁ ତୁରନ୍ତ ପରିବହନ ଦର ବୃଦ୍ଧି କରାଯାଉ। ଏତକ କରା ନଗଲେ ଆଉ ଗାଡ଼ି ଗଡ଼ାଇ ହେବ ନାହିଁ। କେନ୍ଦୁଝର ଜିଲ୍ଲା ଘଟଗାଁର ହୋଟେଲ ବୃନ୍ଦାବନ କନଫରେନ୍ସ ହଲ୍‌ଠାରେ ଆୟୋଜିତ ଓଡ଼ିଶା ଟ୍ରକ୍‌ ମାଲିକ ମହାସଂଘର ଏକ ଗୁରୁତ୍ବ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପରିବହନ ଦର ବୃଦ୍ଧି ପାଇଁ ମଧ୍ୟ ଏକ ବୈଷୟିକ କମିଟି ଗଠନ କରାଯାଇଛି। ସାମୟିକ ସମୟ ପାଇଁ ଦର ନିର୍ଦ୍ଧାରଣ କରାଯାଇ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ବୈଠକରେ ଚରମବାଣୀ ଶୁଣାଯାଇଛି।

ପୁରୁଣା ପରିବହନ ଦରରେ ପରିବହନ କରି ଟ୍ରକ୍‌ ମାଲିକମାନେ ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବହୁ ଟ୍ରକ୍‌ ମାଲିକ ଋଣ ବୋଝରେ ବୁଡ଼ି ରହିଛନ୍ତି। ଠିକ୍‌ ସମୟରେ କିସ୍ତି ଦେଇପାରୁନାହାନ୍ତି। ନୂଆ ପରିବହନ ଦର ନିର୍ଦ୍ଧାରଣ କରିବା ପର୍ଯ୍ୟନ୍ତ ସାମୟିକଭାବେ ଆଜିଠାରୁ ନୂଆ ଦର ଧାର୍ଯ୍ୟ କରାଯାଇଛି। ଟନ୍‌ ପିଛା କୋଇଡ଼ାରୁ ପାରାଦୀପ ୧୯୦୦ ଟଙ୍କା, ଯୋଡ଼ାରୁ ପାରାଦୀପ ୧୮୦୦ ଟଙ୍କା ଓ ବଡ଼ବିଲରୁ ପାରାଦୀପ ୧୮୫୦ଟଙ୍କା ଦରଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଦରଧାର୍ଯ୍ୟ ପର୍ଯ୍ୟନ୍ତ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଟ୍ରକ୍‌ ମାଲିକମାନେ ନିଜନିଜ ସଂଘର ଆବଶ୍ୟକ ଟୋକନ ନେଇ ମାଲ୍‌ ପରିବହନ କରିବେ।ଏହାର ଉଲ୍ଲଙ୍ଘନ କଲେ ସଂପୃକ ଟ୍ରକ୍‌ ମାଲିକଙ୍କୁ କଳା ତାଲିକାଭୁକ୍ତ କରାଯିବା ସହ ପରିବହନ ଠିକାଦାରଙ୍କୁ ମଧ୍ୟ ଦଣ୍ଡିତ କରାଯିବ ବୋଲି ମହାସଂଘର ସମ୍ପାଦକ ରବିନାରାୟଣ ଶତପଥୀ କହିଛନ୍ତି।

ରେଳ ଓ ଟ୍ରକ୍‌ ଦ୍ବାରା ଲୁହାପଥର ପରିବହନ ନେଇ ଦୀର୍ଘଦିନ ଧରି ଉପୁଜିଥିବା ବିବାଦର ସମାଧାନ ବୈଠକରେ ଉଦ୍ୟମ କରାଯାଇଛି। ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ସହ ଏ ବିଷୟରେ ଆଲୋଚନା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଆଜିର ଏହି ବୈଠକରେ ପାରାଦୀପ, ଜଗନ୍ନାଥ ଟ୍ରକ୍‌ ମାଲିକ ସଂଘ ପାରାଦୀପ, ଜଗତସିଂହପୁର, ଖୁଣ୍ଟୁଣି, ମଙ୍ଗୁଳି, ଖୋର୍ଦ୍ଧା, ତାଳଚେର, ଅନୁଗୁଳ, ଯାଜପୁର, ଚଣ୍ଡିଖୋଲ, କେନ୍ଦୁଝର, ଯୋଡ଼ା, ବଡ଼ବିଲ, କୋଇଡ଼ା, ଭଦ୍ରାସାହି ଟ୍ରକ ମାଲିକ ସଂଘର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

ଓଡ଼ିଶା ଟ୍ରକ୍‌ ମାଲିକ ମାନଙ୍କ ମହାସଂଘ ସଭାପତି କରତି ଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ କେନ୍ଦୁଝର ଜିଲ୍ଲା ଟ୍ରକ୍‌ ମାଲିକ ସଂଘ ଯୁଗ୍ମ ସମ୍ପାଦକ ଦେବୁ ପଟ୍ଟନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ମହାସଂଘର ସମ୍ପାଦକ ରବିନାରାୟଣ ଶତପଥୀ, କେନ୍ଦୁଝର ଜିଲ୍ଲା ଟ୍ରକ୍‌ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ, ସମ୍ପାଦକ ସୂର୍ଯ୍ୟନାରାୟଣ କର, ଉପସଭାପତି ଦିଲୀପ କୁମାର ପଣ୍ଡା, ଯୋଡ଼ା ସଂଘ ସଭାପତି ମାତା ଜୈୟସ୍ୱାଲ, ସମ୍ପାଦକ ସୁଶାନ୍ତ କୁମାର ବାରିକ, ବଡ଼ବିଲ ସଂଘ ସଭାପତି ବିକାଶ ସୌରଗୀ, ସମ୍ପାଦକ ଚନ୍ଦ୍ରପ୍ରସାଦ ଗୁପ୍ତା, କୋଇଡ଼ା ସଂଘ ସଭାପତି ଜନାର୍ଦ୍ଦନ ଦେହୁରୀ, ଯୋଡ଼ା ଆଞ୍ଚଳିକ ଟ୍ରକ୍‌ ମାଲିକ ସଂଘ ସଭାପତି ରାଜେନ୍ଦ୍ର କୁମାର ବାରିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ଗତ ୭ ତାରିଖରୁ ରାଜ୍ୟରେ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚାଲିଥିଲା। ଏ ସମ୍ପର୍କରେ ବିଶେଷ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe