ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧିତ) ଅଧ୍ୟାଦେଶ ବିବାଦ ପ୍ରସଙ୍ଗ : କଳା ବ୍ୟାଜ୍‌ ପିନ୍ଧିବେ ପ୍ରଫେସର

Advertisment

ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା, କେନ୍ଦ୍ରମନ୍ତ୍ରୀଙ୍କୁ ‌ଭେଟିଲା ଜଏଣ୍ଟ ଆକ୍ସନ କମିଟି

ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା, କେନ୍ଦ୍ରମନ୍ତ୍ରୀଙ୍କୁ ‌ଭେଟିଲା ଜଏଣ୍ଟ ଆକ୍ସନ କମିଟି

ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧିତ) ଅଧ୍ୟାଦେଶ ବିବାଦ ପ୍ରସଙ୍ଗ : କଳା ବ୍ୟାଜ୍‌ ପିନ୍ଧିବେ ପ୍ରଫେସର

ଭୁବନେଶ୍ୱର : ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧିତ) ଅଧ୍ୟାଦେଶ ଏବେ ରାଜନୀତିର ରୂପ ନେଇଛି। ବି‌ଧାନସଭା ଭିତରେ ବିଜେପି ଓ କଂଗ୍ରେସ ଏହି ଅଧ୍ୟାଦେଶକୁ ବିରୋଧ କରୁଥିବା ବେଳେ ବାହାରେ ବିଶ୍ବବିଦ୍ୟାଳୟ ପ୍ରଫେସରମାନଙ୍କ ସ୍ବର ଶାଣିତ ହେବାରେ ଲାଗିଛି। ବିଭିନ୍ନ ବିଶ୍ବବିଦ୍ୟାଳୟର ପ୍ରଫେସରମାନଙ୍କୁ ‌ନେଇ ଗଠିତ ଜଏଣ୍ଟ ଆକ୍ସନ କମିଟିର ବୈଠକ ବସି ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରସ୍ତୁତ ହୋଇଛି। ଶନିବାର ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ଅଧ୍ୟାଦେଶକୁ କଡ଼ା ବିରୋଧ ଲାଗି ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୫ ତଥା ସୋମବାର ପ୍ରଫେସରମାନେ କଳା ବ୍ୟାଜ୍‌ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇବେ। ଏଥିସହ କମିଟିର ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଏସମ୍ପର୍କରେ ଦାବିପତ୍ର ପ୍ରଦାନ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଫେସର କୁଞ୍ଜବିହାରୀ ପଣ୍ଡାଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର ସାମିଲ ହୋଇଥିଲେ। ଏହି ସାକ୍ଷାତ ସମୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ଉଚ୍ଚଶିକ୍ଷା ବ୍ୟବସ୍ଥାର ସ୍ୱାୟତ୍ତତାକୁ ବ୍ୟାପକ ଭାବରେ ସଙ୍କୁଚିତ କରାଯିବା ନେଇ ଜଏଣ୍ଟ ଆକ୍ସନ କମିଟି କ୍ଷୋଭ ପ୍ରକାଶ କରିଥିଲା। ଏହି ଅଧ୍ୟାଦେଶ ଆସିବା ଦ୍ୱାରା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହେବ। ରାଜ୍ୟର ଅଧିକାଂଶ ଶିକ୍ଷାବିତ୍‌ ଏହି ଅଧିନିୟମକୁ ବିରୋଧ କରୁଛନ୍ତି ବୋଲି କମିଟି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବିଶ୍ବବିଦ୍ୟାଳୟ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଅଧ୍ୟାଦେଶକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଉଲ୍ଲେଖ କରି ଏ ସଂକ୍ରାନ୍ତରେ ଏକ ଦାବିପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ବିଜେପି ଏହି ପ୍ରସଙ୍ଗରେ ନିଜର ସ୍ବରକୁ ଶାଣିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଶ୍ବାସନା ଦେଇଥିବା ସୂଚନା ମିଳିଛି।

ଜଏଣ୍ଟ ଆକ୍ସନ କମିଟି ବୈଠକରେ ଆଲୋଚନା ହୋଇଥିଲା ଯେ ଏପର୍ଯ୍ୟନ୍ତ ପ୍ରଫେସରମାନେ ଚୁପ୍‌ ରହିଛନ୍ତି। ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗ ଏକଚାଟିଆ ନିଷ୍ପତ୍ତି ନେଇଚାଲିଛି। ଏଣିକି ଆଉ ବରଦା‌ସ୍ତ କରାଯିବ ନାହିଁ। ରାଜ୍ୟ ସରକାରଙ୍କୁ ପ୍ରଫେସରମାନଙ୍କ ଶକ୍ତି ଦେଖାଇବାକୁ ପଡ଼ିବ। ସାଧାରଣ ଲୋକଙ୍କ ପାଖକୁ ଯିବାର ସମୟ ଆସିଛି। ତେଣୁ ଆସନ୍ତା ୫ ତାରିଖରେ ଏହି କଳା ଅଧ୍ୟାଦେଶ/କଳା ବିଲ୍‌ ବିରୋଧରେ ବିଶ୍ବବିଦ୍ୟାଳୟ ସମ୍ମୁଖରେ କଳା ବ୍ୟାଜ୍‌ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ। ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ହେବାକୁ ଥିବା ଏହି ଆନ୍ଦୋଳନରେ ପ୍ରଫେସରମାନେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି।

ବିଶ୍ବବିଦ୍ୟାଳୟ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ର‌ଫେସର ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)କୁ ପ୍ରଦାନ କରିବା ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠିଛି। ଓପିଏସ୍‌ସି ଦ୍ବାରା ପରିଚାଳିତ ବିଭିନ୍ନ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭୁଲ ହେଉଛି। ବହୁ ବିଭାଗର ଚୟନକୁ ନେଇ ଏବେ ବି ମାମଲା ବିଚାରାଧୀନ ରହିଛି। ଓପିଏସ୍‌ସି ଦ୍ବାରା ଆଜି ଯାଏ ‌ସରକାରୀ କଲେଜର ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ନିଯୁକ୍ତି କରାଯାଇପାରି ନାହିଁ। ସେହି ସ୍ତରରେ ଯେଉଁ ପଦୋନ୍ନତି ବ୍ୟବସ୍ଥା ରହିଛି, ଯାହା ୟୁଜିସି ଗାଇଡ୍‌ଲାଇନ୍‌ ଅନୁଯାୟୀ ହେବା କଥା ତାହା ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା‌ ବିଭାଗ ଦ୍ବାରା ଡିପିସି ଜରିଆରେ କରାଯାଇଛି। ଅନେକ ସ୍ବତନ୍ତ୍ର ବିଷୟରେ ବିଶ୍ବବିଦ୍ୟାଳୟରେ ଖାଲି ରହିଥିବା ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ପଦବି ପାଇଁ ଓପିଏସ୍‌ସି ନିଯୁକ୍ତି କରିପାରିବାକୁ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe