photo by : Telegraph India
ଭୁବନେଶ୍ୱର : ଦକ୍ଷିଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି। ତେଣୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବୁଧବାରଠାରୁ ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଥିଲା ସେଭଳି ହେବ ନାହିଁ। ବରଂ ୬ ତାରିଖ ସନ୍ଧ୍ୟା କିମ୍ବା ୭ ତାରିଖ ସକାଳଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଜି ଜଣାଇଛି।
ପାଣିପାଗ କେନ୍ଦ୍ର ଆହୁରି କହିଛି, ୬ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିପାରେ। ତେବେ ଯେଉଁଭଳି ବଡ଼ ବର୍ଷା ଆଶଙ୍କା କରାଯାଉଥିଲା ସେଭଳି ହେବନାହିଁ। ହାଲ୍କା ବର୍ଷା ହେବ। ଅନ୍ୟପଟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ତାହାର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ପଡ଼ିବ। ସେଠାରେ କିନ୍ତୁ ପ୍ରବଳ ବର୍ଷା ହୋଇପାରେ। ୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଯେହେତୁ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷାର ଆଶଙ୍କା ରହୁଛି। ତେଣୁ ଏସବୁ ନଦୀରେ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଉପକୂଳରେ ବର୍ଷାର ଆଶଙ୍କା ରହିଥିଲେ ମଧ୍ୟ ଅଧିକ ହେବ ନାହିଁ। ବର୍ଷାର ପରିମାଣ ୪୦ ମିମି ଭିତରେ ରହିବ। ଜୁଲାଇ ଦ୍ୱିତୀୟ ସପ୍ତାହରେ କିନ୍ତୁ ବର୍ଷା ଅଧିକ ହେବାର ଅନୁମାନ କରାଯାଉଛି।
ଉଲ୍ଲେଖଯୋଗ୍ୟ, ଗତ ୧୨ ଘଣ୍ଟା ମଧ୍ୟରେ କାଁ ଭାଁ ବର୍ଷା ହୋଇଛି। ପାରାଦୀପରେ ସର୍ବାଧିକ ୨୦ ମିମି ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪, ଭୁବନେଶ୍ୱରରେ ୧.୮, ପୁରୀରେ ୧ ମିମି ସମେତ ଆଉ କିଛି ସ୍ଥାନରେ ହାଲ୍କା ବର୍ଷା ହୋଇଛି। ତାପମାତ୍ରା କିନ୍ତୁ ଅପରିବର୍ତ୍ତିତ ରହିଛି। କୋରାପୁଟ ଓ ଦାରିଙ୍ଗବାଡ଼ିକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା।
Follow Us