ମୁଖ୍ୟମନ୍ତ୍ରୀ କହିଥିଲେ ବୋଲି ପାଟକୁରା ନିର୍ବାଚନମଣ୍ଡଳୀରେ ତନାଘନା

Advertisment
ମୁଖ୍ୟମନ୍ତ୍ରୀ କହିଥିଲେ ବୋଲି ପାଟକୁରା ନିର୍ବାଚନମଣ୍ଡଳୀରେ ତନାଘନା

ଲୋକଙ୍କ ସମସ୍ୟା ଶୁଣିଲେ, ଛାତ୍ରଛାତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବାବୁ
କୁଟ୍ଟେଙ୍କୁ ଅଭିଯୋଗ କଲେ ସ୍ଥାନୀୟ ଲୋକେ, ଅଢଙ୍ଗରେ ତତ୍କାଳ ମଦ ଦୋକାନ ସିଲ୍‌

ଡେରାବିଶ/ଗରଦପୁର : ପାଟକୁରାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ। ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ କାମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଆଜି ପୃଥକ୍ ପୃଥକ୍ ଟିମ୍ ପାଟକୁରା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

ନବୀନଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଡି.ଏସ.କୁଟ୍ଟେ, ଅତିରିକ୍ତ ସଚିବ ରୂପା ରୋଶନ ସାହୁ ଓ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏହି ଟିମ୍ କେନ୍ଦ୍ରାପଡା ପାଟକୁରାରେ ପହଞ୍ଚିଥିଲେ । ଲୋକପ୍ରତିନିଧି ମାନଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ପ୍ରତି ପଞ୍ଚାୟତର ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିଥିଲେ। ଲୋକପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଅଢଙ୍ଗ ଗ୍ରାମପଞ୍ଚାୟତର କିଛି ଲୋକ କୁଟ୍ଟେ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ସ୍କୁଲ ପାଖରେ ଥିବା ମଦ ଦୋକାନକୁ ନେଇ ଅଭିଯୋଗ କରିଥିଲେ। ଅନ୍ୟ ସ୍ଥାନରେ ଲାଇସେନ୍ସ ପାଇଥିବା ଗୋଟିଏ ମଦ ଦୋକାନ ସ୍ଥାନୀୟ ବିଦ୍ୟାଳୟ ନିକଟରେ ଖୋଲାଯାଇଛି ବୋଲି ଅଭିଯୋଗ କରିଥିଲେ। ଆଉ ଏହି ଅଭିଯୋଗ ମିଳିବା ପରେ ବିଦ୍ୟାଳୟ ନିକଟରେ ଥିବା ମଦ ଦୋକାନକୁ ତୁରନ୍ତ ସିଲ୍ କରି ଦିଆଯାଇଛି। ଶ୍ରୀ କୁଟ୍ଟେଙ୍କ ସହ ଏହି ଟିମ୍‌ରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। କୋରୁଆ ସରକାରୀ ବିଦ୍ୟାଳୟରେ ଆୟୋଜିତ ବୈଠକରେ ଅଧିକାରୀମାନେ ଜନପ୍ରନିତିଧିଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ସେହିଭଳି ଅତିରିକ୍ତ ସଚିବ ରୁପା ରୋଶନ ସାହୁ, ଶ୍ରୀ ମହାପାତ୍ର ପ୍ରମୁଖ ବିଭିନ୍ନ ଟିମରେ ବିଭକ୍ତ ହୋଇ ବିଦ୍ୟାଳୟ ବୁଲି ଦେଖିଥିଲେ। ରୁପାଙ୍କ ସହିତ ଟିମରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ବିଡିଓ ଗୋପବନ୍ଧୁ ଭେସାଗର ଓ ଶ୍ରୀ ମହାପାତ୍ରଙ୍କ ଟିମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ସାମିଲ ହୋଇଥିଲେ। ପ୍ରତିନିଧିମାନେ ଡେରାବିଶ ବ୍ଲକ୍‌ କୁରୁଜଙ୍ଗା ପଞ୍ଚାୟତ ହାଇସ୍କୁଲରେ ପହଞ୍ଚି ପିଲାଙ୍କ ସମସ୍ୟା ବୁଝିଥିଲେ। ସେହିପରି ଚାଟରାଚକଡ଼ା ପଞ୍ଚାୟତ ରାମଚନ୍ଦ୍ରପୁର ହାଇସ୍କୁଲ, କାଉପଡା ମାରୁତି ଉଚ୍ଚ ବିଦ୍ୟାପୀଠ, ନହଙ୍ଗ ଆର୍ତେଶ୍ବର ଉଚ୍ଚ ବିଦ୍ୟାଳୟ, ବାରିମୂଳ ପଞ୍ଚାୟତ ହାଇସ୍କୁଲ, କୁଶିଆପାଳ ହାଇସ୍କୁଲରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ପରେ ସେମାନେ ସୁଦର୍ଶନ ହାଇସ୍କୁଲ, ଛୋଟିସ୍ଥିତ ରାମଚଣ୍ତୀ ଶିକ୍ଷା ନିକେତନ, ମଙ୍ଗଳେଶ୍ବର ବିଦ୍ୟାପୀଠ, ଦାମୋଦରଜିଉ ବିଦ୍ୟାପୀଠ, ବେଲାରପୁରସ୍ଥିତ ଭଗବତୀ ହାଇସ୍କୁଲ, ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ହାଇସ୍କୁଲ, ବାଲିଆ ସ୍ଥିତ ସନାତନ ବିଦ୍ୟାପୀଠ, ବେଲରପା ହାଇସ୍କୁଲ, କୁସୁନପୁର ହାଇସ୍କୁଲ ଏବଂ ଡେରାବିଶ ହାଇସ୍କୁଲରେ ବିଭିନ୍ନ ଯୋଜନା ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଆଦିତ୍ୟ ପ୍ରସାଦ ମହାପାତ୍ର ଓ ଅତିରିକ୍ତ ସଚିବ ମନୋଜ ଦାସଙ୍କ ନେତୃତ୍ୱରେ ଦୁଇଟି ଟିମ୍‌ ଗରଦପୁର ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରିଥିଲେ। ଏହି ଟିମ୍‌ ଗରଦପୁର ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବୈଠକରେ ଯୋଗ ଦେଇଥିଲେ। ସେଠାରେ ୧୨ ଏକର ବିଶିଷ୍ଟ ବିଜୁ ପୋଖରୀର ବିକାଶ ପାଇଁ ଏହି ଟିମ୍‌ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରେ ଏହି ଟିମ୍‌ ଗରଦପୁରସ୍ଥିତ ମଧୁବାବୁ ପାଠାଗାର ପରିଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe